ନୂଆଦିଲ୍ଲୀ : ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏହି ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଗୁଡ଼ିକ ମନଇଚ୍ଛା ଅର୍ଥ ଉଡ଼ାଇବାରେ ଲାଗିଛନ୍ତି । ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ସୁପ୍ରିକ୍କୋର୍ଟରେ ଦାୟର ହୋଇଛି । ନିର୍ବାଚନ ପୂର୍ବରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ଘୋଷଣା କରୁଥିବା ବିଭିନ୍ନ ମାଗଣା ଉପହାର (ଫ୍ରିବିଜ୍) ଉପରେ ରୋକ୍ ଲଗାଇବା ପାଇଁ ପିଟିସନ୍ରେ ଦାବି କରାଯାଇଛି । ଏହାକୁ ନେଇ କୋର୍ଟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ବେଞ୍ଚ୍ ପିଟିସନ୍ ଉପରେ କେନ୍ଦ୍ର, ନିର୍ବାଚନ କମିଶନ୍ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନୋଟିସ୍ ଜାରୀ କରିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ଦୁଇ ରାଜ୍ୟର ସରକାର କରଦାତାଙ୍କ ଅର୍ଥର ଦୁରୁପଯୋଗ କରୁଛନ୍ତି । ଆବେଦନକାରୀଙ୍କ ଓକିଲ କହିଛନ୍ତି, ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ୱାରା ନଗଦ ଅର୍ଥ ବାଣ୍ଟିବା ଠାରୁ ଖରାପ ଆଉ କିଛି ନାହିଁ । ପ୍ରତ୍ୟେକ ଥର ଏପରି ହେଉଛି ଏବଂ ଶେଷ ଏହାର ବୋଝ କରଦାତାଙ୍କ ଉପରେ ପଡ଼ୁଛି । କୋର୍ଟ ଏହି ମାମଲାରେ ସମସ୍ତ ପକ୍ଷଙ୍କୁ ଚାରି ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କହିଛନ୍ତି ।
ଏହା ସହିତ କୋର୍ଟ ଏହି ପ୍ରସଙ୍ଗକୁ ନେଇ ଦାଖଲ ଅନ୍ୟ ପିଟିସନ୍କୁ ଏକାଠି କରିଛନ୍ତି । ଏବେ ସମସ୍ତ ପିଟିସନ୍ର ଶୁଣାଣି ଏକସଙ୍ଗେ କରାଯିବ । ଏହା ପୂର୍ବରୁ ୨୦୨୨ରେ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଫ୍ରି-ବିଜ୍ ବିରୋଧରେ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମ୍କୋର୍ଟରେ ଦାଖଲ କରିଥିଲେ । ଏଥିରେ ନିର୍ବାଚନ ସମୟରେ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ପାର୍ଟି ଦ୍ୱାରା ମାଗଣା ଉପହାର ପ୍ରତିଶ୍ରୁତି ଉପରେ ରୋକ୍ ଲଗାଇବାକୁ ଅନୁରୋଧ କରିଥିଲେ । ନିର୍ବାଚନ କମିଶନ ଏପରି ପାର୍ଟିର ମାନ୍ୟତା ରଦ୍ଦ କରିବା ଆବଶ୍ୟକ ବୋଲି ଏଥିରେ ଦାବି କରାଯାଇଥିଲା । କେନ୍ଦ୍ର ସରକାର ଅଶ୍ୱିନୀଙ୍କ ସହିତ ସହମତ ହେବା ସହିତ ମାଗଣା ଉପହାର (ଫ୍ରି-ବିଜ୍)ର ପରିଭାଷା ସ୍ଥିର କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ପକ୍ଷରୁ କୁହାଯାଇଥିଲା, ଯଦି ମାଗଣା ଉପହାର ବଣ୍ଟାଯାଏ ତେବେ ଭବିଷ୍ୟତରେ ଏହା ଦେଶକୁ ଆର୍ଥିକ ସଙ୍କଟ ଆଡ଼କୁ ନେଇଯିବ ।