27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆଫ୍‌ଗାନିସ୍ତାନରେ ମହିଳା ବିରୋଧୀ ତାଲିବାନ ଫତ୍‌ୱା; ଜାତିସଂଘରେ ୮୦ ରାଷ୍ଟ୍ରଙ୍କ ନିନ୍ଦା ପ୍ରସ୍ତାବ

ଆଫ୍‌ଗାନିସ୍ତାନରେ ମହିଳା ବିରୋଧୀ ତାଲିବାନ ଫତ୍‌ୱା; ଜାତିସଂଘରେ ୮୦ ରାଷ୍ଟ୍ରଙ୍କ ନିନ୍ଦା ପ୍ରସ୍ତାବ

କାବୁଲ: ୨୦୨୧ରେ ଆଫ୍‌ଗାନିସ୍ତାନରେ କ୍ଷମତା ଅକ୍ତିଆର କରିବା ପରଠାରୁ ତାଲିବାନ ସରକାର ସେଠାକାର ମହିଳାଙ୍କ ବିରୋଧରେ ଯେଉଁ ଫତ୍‌ୱା (କଟକଣା) ଜାରି କରିଛନ୍ତି, ତାହାକୁ ବିଶ୍ୱର ୮୦ଟି ରାଷ୍ଟ୍ର ନିନ୍ଦା କରିଥିବା ଜଣାପଡିଛି । ନିକଟରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏହି ରାଷ୍ଟ୍ରଗୁଡିକ ମିଳିତଭାବେ ଆଫ୍‌ଗାନ ମହିଳାଙ୍କ ବିରୋଧରେ ଲାଗୁ କରାଯାଇଥିବା କଟକଣାକୁ ତୀବ୍ର ନିନ୍ଦା କରିଛନ୍ତି । ଆଫ୍‌ଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ତାଲିବାନ ସରକାର ତଳିତଳାନ୍ତ କରିଥିବାରୁ ଏହି ରାଷ୍ଟ୍ରଗୁଡିକ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ନିନ୍ଦା ପ୍ରସ୍ତାବ ଆଣିଥିବା ରାଷ୍ଟ୍ର ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍‌ସ, ଅଷ୍ଟ୍ରେଲିଆ, ଜାପାନ, ସ୍ପେନ ଓ ଚିଲି ଅନ୍ୟତମ । ଆତଙ୍କବାଦୀ ସଂଗଠନଭାବେ ବିଶ୍ୱରେ ନିନ୍ଦିତ ହୋଇସାରିଥିବା ତାଲିବାନ ସଂଗଠନ ଆଫ୍‌ଗାନିସ୍ତାନରେ ମହିଳାଙ୍କ ଶିକ୍ଷା, ଜୀବିକା ଏବଂ ଚାଲିଚଳଣ ଉପରେ କଠୋର କଟକଣା ଲାଗୁ କରିଛି । ଆନ୍ତର୍ଜାତିକ ସମୁଦାୟ ଏବଂ ଜାତିସଂଘର ସମସ୍ତ ତାଗିଦ ସତ୍ତ୍ୱେ ତାଲିବାନ ସରକାର କଟକଣା କୋହଳ କରିବାକୁ କର୍ଣ୍ଣପାତ କରୁନାହାନ୍ତି । ଇସଲାମ ଧର୍ମର ମୌଳିକତାକୁ ଉଦାହରଣ ଦେଇ ତାଲିବାନ ସରକାର ସେଠାରେ ଶାସନ ଚଳାଇଛନ୍ତି । ଏହି ପରିପ୍ରେକ୍ଷୀରେ ତୁରନ୍ତ ଏଭଳି କଟକଣା ପ୍ରତ୍ୟାହାର କରି ପୁରୁଷଙ୍କ ସହ ମହିଳାଙ୍କୁ ସମସ୍ତ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବାକୁ ଏହି ରାଷ୍ଟ୍ରଗୁଡିକ ମିଳିତ ବିବୃତିରେ ଦାବି କରିଛନ୍ତି ।

ଉଭୟ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ମହିଳାମାନେ ଯେପରି ପୁରୁଷଙ୍କ ଭଳି ଅଂଶଗ୍ରହଣ କରିପାରିବେ, ସେଥିପ୍ରତି ଯତ୍ନବାନ ହେବାକୁ ପ୍ରସ୍ତାବରେ ତାଲିବାନ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ମହିଳାଙ୍କୁ ଏଭଳି ଅଧିକାର ପ୍ରଦାନ କରାଗଲେ ଆଫ୍‌ଗାନିସ୍ତାନରେ ସାମାଜିକ ଓ ଅର୍ଥନୈତିକ ବିକାଶ ଘଟିବ ବୋଲି ଜାତିସଂଘରେ ଅବସ୍ଥାପିତ ସଂଯୁକ୍ତ ଆରବ ଏମିରେଟ୍‌ସ ରାଷ୍ଟ୍ରଦୂତ ଲାନା ନୁସିବେ କହିଛନ୍ତି । ଅପରପକ୍ଷରେ ତାଲିବାନ ପକ୍ଷରୁ ଜାରି କରାଯାଇଥିବା ଏଭଳି ଫତ୍‌ୱା ସମ୍ପୂର୍ଣ୍ଣ ଇସଲାମ ବିରୋଧୀ ଏବଂ ଏହା ମାନବାଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ମଧ୍ୟ ସେ କହିଛନ୍ତି । ତାଲିବାନ ସରକାର ସଫେଇ ଦେଉଛନ୍ତି ଯେ ସାରିଆ ଆଇନ ଅନୁଯାୟୀ ଆଫ୍‌ଗାନିସ୍ତାନରେ ମହିଳାଙ୍କୁ ଅଧିକାର ପ୍ରଦାନ କରାଯାଉଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜୁବିଉଲ୍ଲା ମୁଜାହିଦ୍ କହିଛନ୍ତି ଯେ ଇସଲାମ୍ ଧର୍ମରେ ଉଲ୍ଲେଖ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ମହିଳାଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରାଯାଉଛି ।

ଏହାକୁ ଉଲ୍ଲଘଂନ କରାଯାଇନଥିବାବେଳେ ଭବିଷ୍ୟତରେ ମଧ୍ୟ ଖିଲାପ କରାଯିବ ନାହିଁ ବୋଲି ସେ କହିଛନ୍ତି । ରାଜନୈତିକ ବିଶାରଦମାନେ କହିଛନ୍ତି ଯେ ତାଲିବାନ ସରକାର ପ୍ରଥମେ ସ୍ଥିର କରନ୍ତୁ ସେମାନେ ବିଶ୍ୱ ସମୁଦାୟ ସହ ମିଶି ବଞ୍ଚିବାକୁ ଚାହାନ୍ତି କି ନାହିଁ । ତାଲିବାନ ସରକାର ଏକାଧିକ ପ୍ରତିଶ୍ରୁତି ଦେଇଆସୁଥିଲେ ସୁଦ୍ଧା ସେଗୁଡିକୁ ଆଦୌ କାର୍ଯ୍ୟକାରୀ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି । ନିକଟରେ ଆଫ୍‌ଗାନିସ୍ତାନ ଉଚ୍ଚଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ କହିଛନ୍ତି ଯେ ସାରିଆ ଆଇନ୍‌ରେ ମହିଳା ଓ ପୁରୁଷ ଆଦୌ ସମାନ ନୁହନ୍ତି । ତେଣୁ ପୁରୁଷଙ୍କୁ ସବୁ ଅଧିକାର ମିଳୁଥିବାବେଳେ ମହିଳାଙ୍କୁ ଏଥିରୁ ବଞ୍ଚିତ କରାଯାଉଥିବା ସେ କହିଛନ୍ତି ।

ପୁରୁଷଙ୍କ ସହ ମହିଳାଙ୍କୁ ଗୋଟିଏ ନିକିତିରେ ତଉଲାଇବା ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର ଧର୍ମ ପାଲଟିଥିବା ସେ କହିଛନ୍ତି । ତାଲିବାନ ସରକାର ଦେଶରେ ମହିଳାଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିଥିବାବେଳେ ସମସ୍ତ ବିୟୁଟୀ ପାର୍ଲର ବନ୍ଦ କରିଦେଇଛନ୍ତି । ଆଫ୍‌ଗାନ ମହିଳା ବାହାରକୁ ବାହାରିଲେ ସାଙ୍ଗରେ ଜଣେ ପୁରୁଷଙ୍କୁ ନେବା ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ପାଠ ପଢିବାର ସୁଯୋଗ ପାଉଛନ୍ତି, ତେବେ ସେମାନଙ୍କୁ କେବଳ ମହିଳା ଶିକ୍ଷୟିତ୍ରୀ ପାଠ ପଢାଇବେ ବୋଲି ନିୟମ ପ୍ରଣୟନ କରାଯାଇଛି । ମହିଳାଙ୍କ ପାଇଁ ଏଭଳି କଟକଣାକୁ ତାଲିବାନ ସରକାରଙ୍କ ‘ଲିଙ୍ଗଭିତ୍ତିକ ହିଂସା’ ବୋଲି ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜାପାନ, ବ୍ରାଜିଲ, ସ୍ୱିଜରଲାଣ୍ଡ, ଇକ୍ୱେଡର, ଆଲ୍‌ବାନିଆ ଓ ସଂଯୁକ୍ତ ଆରବ ଏମିରେଟ୍‌ସ ଭଳି ରାଷ୍ଟ୍ର ଆକ୍ଷେପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking