କିଛିଦିନ ହେବ କଟକ ବଡ଼ ମେଜିକାଲ୍ର ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସୁଛି । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା ଏସସିବି ମେଡିକାଲରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା । ଦୁଇ ଦିନ କାଳ ବିନା ଲାଇନ୍ରେ ଛଟପଟ ହେବା ପରେ ଗତକାଲି ବିନା ପାଣିରେ କଲବଲ ହୋଇଥିଲେ ରୋଗୀ ଓ ସେମାନଙ୍କ ସଂପର୍କୀୟ ।
ପିଇବା ପାଇଁ ସିନା କିଣି ଆଣି ଚଳେଇ ଦେଲେ, ହେଲେ ଝାଡ଼ା-ପରିସ୍ରା ଯିବା ବେଳକୁ ସମସ୍ତଙ୍କର ଅକଲ ଗୁଡମ୍ ହୋଇଯାଇଥିଲା । କିଏ ବୋତଲ ଧରି ଏ ୱାର୍ଡରୁ ସେ ୱାର୍ଡ ଘୂରି ବୁଲିଲେ । ତ ଆଉ କିଏ ପାଣିକୁ ଅପେକ୍ଷା କରିଥିଲେ ଘଣ୍ଟା ଘଣ୍ଟା ଧରି । ହେଲେ ସମସ୍ୟା ସୁଧୁରିଲାନି ।
ପାଣି ଏତେ କମ୍ ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍ ସମୟ ଲାଗୁଛି । ମେଡିକାଲ୍ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।