34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଲିବ୍ୟା ବନ୍ୟାରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଲା; ୧୦,୧୦୦ ଏବେବି ନିଖୋଜ

ଲିବ୍ୟା ବନ୍ୟାରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଲା; ୧୦,୧୦୦ ଏବେବି ନିଖୋଜ

ତ୍ରିପୋଲି : ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟାରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୧,୦୦୦ ଅତିକ୍ରମ କରିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି । ଲିବ୍ୟାର ଡେର୍ନା ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୦,୧୦୦ ଲୋକଙ୍କର ପତ୍ତା ମିଳୁନାହିଁ । ପ୍ରତିଦିନ ମୃତଦେହ ଉଦ୍ଧାର କରାଯାଉଥିବାରୁ ମୃତକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଆଜକୁ ପ୍ରାୟ ଏକ ସପ୍ତାହ ପୂର୍ବେ ସାମୁଦ୍ରିକ ଝଡ଼ ‘ଡାନିଏଲ’ ଲିବ୍ୟା ଉପକୂଳରେ ତାଣ୍ଡବ ସୃଷ୍ଟି କରିଥିଲା । ଝଡ଼ ପ୍ରଭାବରେ ଦୁଇଟି ଡ୍ୟାମ୍ ଯଥା ଅବୁ ମନ୍‌ସୁର ଡ୍ୟାମ ଓ ଅଲ୍ ବିଲାଦ୍ ଡ୍ୟାମ୍ ଭାଙ୍ଗଯିବାରୁ ସେଥିରୁ ନିଷ୍କାସିତ ଜଳ ଯୋଗୁଁ ସୃଷ୍ଟ ଆକସ୍ମିକ ବନ୍ୟା ଡେର୍ନା ସହରକୁ ଭସାଇ ନେଇଥିଲା । ୧୯୭୦ରେ ତତ୍କାଳୀନ ଯୁଗୋସ୍ଲୋଭିଆର ଏକ କମ୍ପାନୀ ଏହି ଦୁଇଡି ଡ୍ୟାମ୍ ନିର୍ମାଣ କରିଥିଲା । ବିଂଶ ଶତାବ୍ଦୀରେ ବାରମ୍ବାର ବନ୍ୟା ଯୋଗୁଁ ଡେର୍ନା ସହର କ୍ଷତିଗ୍ରସ୍ତ ହେଉଥିବାରୁ ଏହି ଦୁଇଟି ଡ୍ୟାମ୍ ନିର୍ମିତ ହୋଇଥିଲା । ୧୯୯୮ରୁ ଏହି ଡ୍ୟାମ୍‌ରେ ଫାଟ ସୃଷ୍ଟି ହୋଇଥିଲା ।

୨୦୦୦ ମସିହାରେ ଇଟାଲୀରୁ ଆସିଥିବା ବିଶେଷଜ୍ଞ ଦଳ ଫାଟ ଚିହ୍ନଟ କରିଥିବାବେଳେ ତୃତୀୟ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୦୭ରେ ଲିବ୍ୟାର ତତ୍କାଳୀନ ସାମରିକ ଶାସକ କର୍ଣ୍ଣେଲ ଗଦାଫି ମରାମତି କାର୍ଯ୍ୟ ତୁର୍କୀର ଏକ କମ୍ପାନୀ ଉପରେ ନ୍ୟସ୍ତ କରିଥିଲେ । ତେବେ ପାରିଶ୍ରମିକ ବିବାଦ ଯୋଗୁଁ କମ୍ପାନୀ ମରାମତି କାର୍ଯ୍ୟ ଆରମ୍ଭ କରିନଥିଲା । ୨୦୧୧ରେ କର୍ଣ୍ଣେଲ ଗଦାଫିଙ୍କୁ ହତ୍ୟା କରାଯିବାପରେ ଏହି ଯୋଜନା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା । ଏହାପରେ ଲିବ୍ୟାରେ ଗୃହଯୁଦ୍ଧ ଲାଗି ରହିଥିବାବେଳେ ଏହା ମୁଖ୍ୟତଃ ପୂର୍ବ ଓ ପଶ୍ଚିମ ଦୁଇଭାଗରେ ବିଭକ୍ତ ହୋଇଛି । ଆନ୍ତର୍ଜାତିକ ସର୍କିଟରେ ସ୍ୱୀକୃତିପ୍ରାପ୍ତ ଲିବ୍ୟା ସରକାରଙ୍କର ପୂର୍ବ ଲିବ୍ୟାରେ କୌଣସି କର୍ତ୍ତୃତ୍ୱ ନଥିବା କୁହାଯାଇଛି । ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ରିଲିଫ୍ ପଠାଇବାରେ ଅସୁବିଧା ହେଉଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking