ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଳା ଜିଲ୍ଲାରେ ସ୍ଥଳସେନାର ଜଣେ ଯବାନ ସୋମବାର ନିଜର ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆର୍ମି କ୍ୟାମ୍ପରେ ଡ୍ୟୁଟି କରୁଥିବାବେଳେ ସୁରେନ୍ଦ୍ର ନାମକ ଏହି ଯବାନ ନିଜର ରାଇଫଲରୁ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଗତ ଦୁଇଦିନ ମଧ୍ୟରେ କୌଣସି ଯବାନ ଆତ୍ମହତ୍ୟା କରିବାରେ ଏହା ହେଉଛି ଦ୍ୱିତୀୟ ଘଟଣା ।
୩ କିଲୋ ଡ୍ରଗ୍ସ ସହ ପାକିସ୍ତାନୀ ଡ୍ରୋନ୍ ଜବତ
ପଞ୍ଜାବ ପୁଲିସର ମିଳିତ ସହଯୋଗରେ ବିଏସଏଫ୍ ଯବାନମାନେ ସୋମବାର ପଞ୍ଜାବର ତରନ୍ ତାରନ୍ ଜିଲ୍ଲା ସନ୍ନିକଟ ଏଲଓସି ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍କୁ ଜବତ କରିବା ସହ ୩ କିଲୋ ଓଜନର ହେରୋଇନ ଉଦ୍ଧାର କରିଛନ୍ତି । ରବିବାର ବିଳମ୍ବିତ ରାତିରେ ବିଏସଏଫ୍ ଯବାନମାନେ ଏକ ଡ୍ରୋନ୍ ଶବ୍ଦ ଶୁଣି ଏହାକୁ ଟ୍ରାକିଂ କରିଥିଲେ । ଡ୍ରୋନ୍ଟି ଭାରତୀୟ ସୀମାରେ ଅବତରଣ କରିବାପରେ ସେଥିରେ ବନ୍ଧାଯାଇଥିବା ଡ୍ରଗ୍ସ ପ୍ୟାକେଟକୁ ଜବତ କରାଯାଇଥିଲା ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ
୧୫୪ ଯାତ୍ରୀଙ୍କୁ ନେଇ ସୋମବାର ତାମିଲନାଡୁରର ତିରୁଚିରାପଲ୍ଲୀରୁ ଶାରଜା ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ପାଇଲଟ୍ ଏହାକୁ କେରଳର ଥିରୁଅନନ୍ତପୁରମ ଏୟାରପେ।।ର୍ଟେରେ ଜରୁରୀ ଅବତରଣ କରାଇଥିବା ଜଣାପଡିଛି । ଆବଶ୍ୟକ ମରାମତି ପରେ ବିମାନଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛି ବୋଲି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି ।
ଇଣ୍ଡୋନେସିଆରେ ସୁନା ଖଣି ଭୁଶୁଡ଼ି ୮ ମୃତ
ଇଣ୍ଡୋନେସିଆର ଜାଭା ପ୍ରଦେଶରେ ଥିବା ଏକ ସୁନା ଖଣି ଭୁଶୁଡି ପଡିଥିବାବେଳେ ସେଥିରେ ଫସିରହିଥିବା ୮ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି । ଗତ ମଙ୍ଗଳବାର ଖଣି ଶ୍ରମିକମାନେ ଭୂପୃଷ୍ଠରୁ ୨୦୦ ଫୁଟ ଗଭୀରରେ ଏକ ଗାତ ଖୋଳୁଥିବାବେଳେ ହଠାତ୍ ପାଣି ମାଡିଆସିବାରୁ ଏହା ଭୁଶୁଡି ପଡିଥିଲା । ବିଗତ ପାଞ୍ଚଦିନ ଧରି ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ସୋମବାର ପାଣି ଶୁଖିବାପରେ ଖଣି ଭିତରୁ ସେମାନଙ୍କର ମୃତଦେହ ଉଦ୍ଧାର କରାଯାଇଛି ।