ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦୁଇଟି ମନ୍ତ୍ରଣାଳୟର ସଚିବ ମିଳିତ ଭାବେ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ୱାରା ଅଟଳ ବୟୋ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟର ମୋଟ୍ ଜନସଂଖ୍ୟାର ୧୩ ପ୍ରତିଶତ ବରିଷ୍ଠ ନାଗରିକ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଜରାଶ୍ରମ ନାହିଁ । ସରକାରୀ ଅନୁଦାନରେ ରାଜ୍ୟରେ ୭୫ଜଣ ବୃଦ୍ଧବୃଦ୍ଧା ରହିବାର ସୁବିଧା ଏବେ ମାତ୍ର ୩ଟି ଜିଲ୍ଲାରେ ଥିବାବେଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ଦ୍ୱାରା କେତୋଟି ଜରାଶ୍ରମ ରହିଛି ତା’ର ହିସାବ କେନ୍ଦ୍ର ସରକାର ମାଗିଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଅତିକମ୍ରେ ୧୫୦ଜଣ ଅସହାୟ ବୃଦ୍ଧବୃଦ୍ଧା ରହିବା ଭଳି ଗୋଟିଏ ଜରାଶ୍ରମ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର କହିବା ସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ପୌରାଞ୍ଚଳରେ ଜରାଶ୍ରମ ଖୋଲିବାକୁ ପରାମର୍ଶ ଦେଇଛନ୍ତି ।
ଏନେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଉଭୟ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଓ କେନ୍ଦ୍ର ସହରାଂଚଳ ବ୍ୟାପାର ସଚିବ ମନୋଜ ଯୋଶୀ ମିଳିତ ଭାବେ ଚିଠି ଲେଖି ଦୁଃସ୍ଥ ବରିଷ୍ଠ ନାଗରିକଙ୍କ ଆଶ୍ରୟ ନିମନ୍ତେ ସ୍ଥାନ ଚିହ୍ନଟ ବା ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଦୁଇଟି ମନ୍ତ୍ରଣାଳୟର ସଚିବ ମିଳିତ ଭାବେ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଅଟଳ ବୟୋ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ବରିଷ୍ଠ ନାଗରିକଙ୍କ ପାଇଁ ସମନ୍ୱିତ କାର୍ଯ୍ୟକ୍ରମରେ ଜରାଶ୍ରମ ପରିଚାଳନା ନିମନ୍ତେ ଏନଜିଏଗୁଡ଼ିକୁ ଆର୍ôଥକ ଅନୁଦାନ ଦିଆଯାଉଛି ।
କେନ୍ଦ୍ର ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପୌରସଂସ୍ଥାଗୁଡ଼ିକ ଦ୍ୱାରା ‘ ସହରୀ ବାସହରାଙ୍କ ପାଇଁ ଆଶ୍ରୟସ୍ଥଳୀ’ ନାଁରେ ଏକ ଯୋଜନା କାର୍ଯ୍ୟକାରୀ ହେଉଛି । ସମାନ ଲକ୍ଷ୍ୟରେ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଓ ସହରରେ ଏଭଳି ଆଶ୍ରୟସ୍ଥଳୀ ବରିଷ୍ଠ ନାଗରିକମାନଙ୍କ ସମେତ ସମ୍ବେଦନଶୀଳ ବର୍ଗ ପାଇଁ ଖୋଲିବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ସହରାଂଚଳ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ବରିଷ୍ଠ ନାଗରିକଙ୍କ ଆଶ୍ରୟସ୍ଥଳୀ ଖୋଲିବା ପାଇଁ ଉପଯୁକ୍ତ ସ୍ଥାନର ଚିହ୍ନଟ,କୋଠା ନିର୍ମାଣ ସହ ପରିଚାଳନା ନିମନ୍ତେ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାରଙ୍କ ଉଭୟ ସଚିବ ଚିଠି ଲେଖି ମୁଖ୍ୟ ସଚିବଙ୍କୁ ପରାମର୍ଶ ଦେଇଛନ୍ତି । ସହରାଂଚଳ ସ୍ୱାୟତ୍ତ ସଂସ୍ଥା(ବିଜ୍ଞାପିତ ଅଂଚଳ, ପୌରାଂଚଳ,ମହାନଗର ନିଗମ)ଗୁଡ଼ିକ ସିଧାସଳଖ ବରିଷ୍ଠ ନାଗରିକଙ୍କ ପାଇଁ ସମନ୍ୱିତ କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ ‘ଇ-ଅନୁଦାନ’ ପୋର୍ଟାଲରେ ଆବେଦନ କରିପାରିବେ । ଏନେଇ ତୁରନ୍ତ ସହମତି ଦେବା ସହ ସ୍ଥାନ ଓ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ମୁଖ୍ୟ ସଚିବଙ୍କୁ କହିଛନ୍ତି ।