26.1 C
Bhubaneswar
Friday, October 11, 2024
Homeଅପରାଧବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା

ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା

ଭୁବନେଶ୍ୱର: ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏପରି ବେନାମୀ ସମ୍ପତ୍ତି କାରବାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା ତଥା ବେନାମୀ ସମ୍ପତ୍ତି ସମ୍ପର୍କରେ ସୂଚନା ଦେଉଥିବା ଲୋକଙ୍କୁ ପୁରସ୍କୃତ କରିବା ଲାଗି ଆଇନ ଅନୁଯାୟୀ ବ୍ୟବସ୍ଥା କରାଯାଇଥିବା ନେଇ ଆୟକର ବିଭାଗ ଜନସାଧାରଣଙ୍କୁ ସଚେତନ କରାଇ ଦେଇଛି । ବେନାମୀ ନେଣଦେଣର ଅର୍ଥ ହେଉଛି ଏପରି ଏକ ନେଣଦେଣ ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରାଯାଇଥାଏ ଏବଂ ପ୍ରତିଫଳ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଶୋଧ କିମ୍ବା ଯୋଗାଇ ଦିଆଯାଇଥାଏ । ତେଣୁ ଦୁଇଟି ପକ୍ଷ ଅର୍ଥାତ୍ ବେନାମୀଦାର ଏବଂ ହିତାଧିକାରୀ ମାଲିକଙ୍କ ମଧ୍ୟରେ ଏକ ବେନାମୀ ନେଣଦେଣ ସମ୍ପାଦନ କରାଯାଇଥାଏ । ହିତାଧିକାରୀ ମାଲିକ ହିଁ ବାସ୍ତବ ମାଲିକ ହୋଇଥାନ୍ତି ଯିଏକି ନେଣଦେଣରେ ପ୍ରତିଫଳ ପରିଶୋଧ କରିଥାନ୍ତି । ଏହାର ବିପରୀତ, ବେନାମୀ ନେଣଦେଣ ପାଇଁ ହିତାଧିକାରୀ ମାଲିକଙ୍କୁ ସମ୍ପତ୍ତି ଉଧାର ଦେଉଥିବା ଲୋକଙ୍କୁ ବେନାମୀଦାର କୁହାଯାଏ ।

ବେନାମୀ ସମ୍ପତ୍ତି କାରବାର ନିଷେଧ ଆଇନ ୧୯୮୮କୁ ୨୦୧୬ରେ ସଂଶୋଧନ କରାଯାଇ ବେନାମୀ ନେଣଦେଣ (ନିଷେଧ) ସଂଶୋଧନ ଆଇନ, ୨୦୧୬ କାର୍ଯ୍ୟକାରୀ କରାଯାଇଛି । ଏହି ଆଇନ ଅନୁଯାୟୀ, ନଭେମ୍ବର ପହିଲା ୨୦୧୬ ଠାରୁ ବେନାମୀଦାର ନାମରେ ଜଣେ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ସମ୍ପତ୍ତି (ତାଙ୍କର ନିକଟତମ ପରିବାର ସଦସ୍ୟ କିମ୍ବା ପ୍ରତ୍ୟୟୀ କ୍ଷମତାକୁ ବାଦ୍ ଦେଲେ)କୁ ଜବତ ଏବଂ ବ୍ୟାଜ୍ୟାପ୍ତ କରାଯିବ । ଏପରି ବେନାମୀ କାରବାରରେ ଲିପ୍ତ ଥିବା ସବୁ ଲୋକମାନଙ୍କୁ ୭ ବର୍ଷ ପର୍ଯ୍ୟନ୍ତ କଠୋର ଜେଲଦଣ୍ଡରେ ଦଣ୍ଡିତ କରାଯିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଦ୍ୱାରା ୨୩ ଏପ୍ରିଲ ୨୦୧୮ ଠାରୁ ‘‘ବେନାମୀ ନେଣଦେଣ ସୂଚନା ପୁରସ୍କାର ଯୋଜନା, ୨୦୧୮’’ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅଧୀନରେ ବେନାମୀ ସମ୍ପତ୍ତି ପାଇଁ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରୁଥିବା ଜଣେ ବ୍ୟକ୍ତି (ସୂଚନା ପ୍ରଦାନକାରୀ)ଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ ।

ସୂଚନା ପ୍ରଦାନକାରୀଙ୍କ ପରିଚୟକୁ ଗୋପନ ରଖାଯିବ । ଏଠାରେ ସୂଚନାଯୋଗ୍ୟ ଯେ ନିମ୍ନ ସର୍ତ୍ତ ଅନୁଯାୟୀ ସୂଚନା ପ୍ରଦାନକାରୀଙ୍କ ଦ୍ୱାରା ଦିଆଯାଉଥିବା ସୂଚନାକୁ ନିର୍ଦ୍ଦିଷ୍ଟ ସୂଚନା ଭାବେ ଗ୍ରହଣ କରାଯିବ : (କ) ବେନାମୀ ସମ୍ପତ୍ତିର ପ୍ରମାଣଯୋଗ୍ୟ ବିବରଣୀ; (ଖ) ସେହି ବ୍ୟକ୍ତିଙ୍କ ନାଁ ଓ ଠିକଣା ଯେଉଁମାନଙ୍କ ନାମରେ ସମ୍ପତ୍ତି ଅର୍ଜନ କରାଯାଇଛି; ଏବଂ (ଗ) ସମ୍ପତ୍ତି ପ୍ରକୃତରେ ବେନାମୀ ସମ୍ପତ୍ତି ଥିଲା ବୋଲି ଦିଆଯାଇଥିବା ସୂଚନା ପାଇଁ ସହାୟକ ପ୍ରମାଣ ସମେତ ବିଶ୍ୱସନୀୟ ଆଧାର । ଯେଉଁ ବ୍ୟକ୍ତିମାନେ ପୁରସ୍କାର ଆଶାରେ ନିର୍ଦ୍ଦିଷ୍ଟ ସୂଚନା ଦେବାକୁ ଚାହୁଁଛନ୍ତି ସେମାନେ ଅତିରିକ୍ତ/ଯୁଗ୍ମ ଆୟକର ଆୟୁକ୍ତ (ବେନାମୀ ସମ୍ପତ୍ତି ନିଷେଧ ୟୁନିଟ୍‌) ଭୁବନେଶ୍ୱର, ଆୟକର ପ୍ରମୁଖ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଆୟକର ଆନେକ୍ସ ବିଲ୍ଡିଂ, ଚତୁର୍ଥ ମହଲା, ରାଜସ୍ୱ ବିହାର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୦୭ ଠିକଣା କିମ୍ବା ମୋବାଇଲ ନମ୍ବର ୯୯୩୭୯୪୨୮୨୫ ନମ୍ବର ଅଥବା ଇ ମେଲରେ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking