27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଗଲେ ଭାରତୀୟ ମହିଳା

ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଗଲେ ଭାରତୀୟ ମହିଳା

ଜୟପୁର: ପାକିସ୍ତାନରୁ ଲୁଚି ପଳାଇଆସିଥିବା ସୀମା ହାଇଦରଙ୍କ ତଥାକଥିତ ପ୍ରେମକାହାଣୀ ବର୍ତ୍ତମାନ ଭାରତୀୟ ଗଣମାଧ୍ୟମର ଶିରୋନାମା ପାଲଟୁଥିବାବେଳେ ଭାରତରେ ମଧ୍ୟ ଅନୁରୂପ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଭାରତର ଜଣେ ବିବାହିତା ମହିଳା ତାଙ୍କର ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ଜଣାପଡିଛି । ରାଜସ୍ଥାନର ଅଲୱାର ଜିଲ୍ଲାରେ ବାସ କରୁଥିବା ୩୪ ବର୍ଷୀୟା ଅଞ୍ଜୁଙ୍କର ଫେସ୍‌ବୁକ୍‌ରେ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖ୍ୱା ଜିଲ୍ଲା ନିବାସୀ ୨୯ ବର୍ଷୀୟ ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ମେଡିକାଲ ରିପ୍ରେଣ୍ଟେଟିଭ୍‌ଭାବେ କାର୍ଯ୍ୟରତ ନସରୁଲ୍ଲାଙ୍କ ସହ ଅଞ୍ଜୁଙ୍କର ସମ୍ପର୍କ ମାତ୍ର କିଛିମାସ ପୂର୍ବେ ଫେସ୍‌ବୁକ୍‌ରେ ହୋଇଥିଲା । ଅଞ୍ଜୁ ଇତିମଧ୍ୟରେ ପାକିସ୍ତାନ ଯାଇ ନସରୁଲ୍ଲାଙ୍କୁ ଭେଟିଥିବା ତାଙ୍କର ଜଣେ ବାନ୍ଧବୀ କହିଛନ୍ତି । ପାକିସ୍ତାନରେ ପହଞ୍ଚିବାପରେ ସେଠାକାର ପୁଲିସ ଅଞ୍ଜୁଙ୍କୁ ଗିରଫ କରିଥିଲା ।

ତେବେ ତାଙ୍କର ପାସପୋର୍ଟ/ଭିସା କାଗଜପତ୍ର ଠିକଠାକ୍ ଥିବା ଜଣାପଡିବାପରେ ପୁଲିସ ଅଞ୍ଜୁଙ୍କୁ ଛାଡି ଦେଇଥିବା ପ୍ରକାଶ । ଏପରିକି ଖାଇବର ପାଖ୍‌ତୁନ୍‌ଖ୍ୱା ଯିବାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଅଞ୍ଜୁଙ୍କୁ ପାକିସ୍ତାନ ପୁଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା । ତେବେ ନସରୁଲ୍ଲାଙ୍କୁ ବିବାହ କରିନାହାନ୍ତି ବୋଲି ଅଞ୍ଜୁ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ଏହି ସମ୍ବାଦ ଗଣମାଧ୍ୟମରେ ପ୍ରସାରିତ ହେବାପରେ ସତ୍ୟାସତ୍ୟ ଜାଣିବାକୁ ରାଜସ୍ଥାନ ପୁଲିସର ଏକ ଟିମ୍ ଇତିମଧ୍ୟରେ ଅଲୱାର ଯାଇ ଅଞ୍ଜୁଙ୍କ ପରିବାରକୁ ଭେଟିଛନ୍ତି । ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ କହିଛନ୍ତି ଯେ ଜୟପୁର ଯିବାକୁ କହି ଅଞ୍ଜୁ ଗତ ଗୁରୁବାର ଘରୁ ବାହାରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜାଣିବାକୁ ପାଇଲେ ଯେ ଅଞ୍ଜୁ ପାକିସ୍ତାନ ଯାଇଛନ୍ତି । ଅରବିନ୍ଦ ଫୋନ୍ କରିବାପରେ ଅଞ୍ଜୁ ଲାହୋରରେ ଥିବା ତାଙ୍କୁ କହିଥିଲେ ।

୨୦୦୭ରେ ଅରବିନ୍ଦ ଓ ଅଞ୍ଜୁଙ୍କର ବିବାହ ସମ୍ପନ୍ନ ହୋଇଥିବାବେଳେ ସେମାନଙ୍କର ଏକ ୧୫ ବର୍ଷର ଝିଅ ଓ ୬ ବର୍ଷର ପୁଅ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଅଞ୍ଜୁଙ୍କ ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ କୌଣସି ନିଖୋଜ ମାମଲା ଦାଏର କରାଯାଇନାହିଁ । ପାକିସ୍ତାନରେ ପହଞ୍ଚିବାପରେ ଅଞ୍ଜୁ ତାଙ୍କ ଭଉଣୀଙ୍କୁ ଫୋନ୍ କରି ଲାହୋରରେ ଥିବା ଜଣାଇଥିଲେ । ତୁରନ୍ତ ଭାରତ ଫେରିଆସିବାକୁ ଅରବିନ୍ଦ ତାଙ୍କ ପତ୍ନୀଙ୍କୁ ଅନୁରୋଧ କରିଛନ୍ତି । ୨୦୨୦ରେ ଅଞ୍ଜୁ ଦିଲ୍ଲୀରେ ତାଙ୍କର ପାସପୋର୍ଟ ତିଆରି କରିଥିବାବେଳେ ଜନ୍ମସ୍ଥାନ ଉତ୍ତର ପ୍ରଦେଶ (ବୁନ୍ଦେଲଖଣ୍ଡ) ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ପୁଲିସ ଅଞ୍ଜୁଙ୍କ ପ୍ରେମକାହାଣୀର ସୂତ୍ର ଖୋଜୁଛନ୍ତି । ସୀମା ଓ ଅଞ୍ଜୁଙ୍କ କାହାଣୀ ମଧ୍ୟରେ କେତେକ ସମାନତା ରହିଥିଲେ ସୁଦ୍ଧା ଉଦ୍ଦେଶ୍ୟ କିନ୍ତୁ ଭିନ୍ନ ଥିବା ଜଣାପଡିଛି ।

ସିନ୍ଧ୍ ପ୍ରଦେଶ ବାସିନ୍ଦା ସୀମା ବିବାହିତ ହୋଇଥିବାବେଳେ ତାଙ୍କର ୪ ଜଣ ସନ୍ତାନ ଅଛନ୍ତି । ପବ୍‌ଜି ଗେମ୍ ଖେଳୁଥିବାବେଳେ ୨୦୨୯-୨୦ରେ ସଚିନଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢିଉଠିଥିଲା । ହ୍ୱାଟସଆପ୍ ଓ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ଅଧିକ ମଜଭୁତ ହେବାପରେ ସୀମା ଆଉ ସମ୍ଭାଳି ନପାରି ଚାରି ସନ୍ତାନଙ୍କୁ ଧରି ନେପାଳ ରାସ୍ତା ଦେଇ ମେ’ ୧୩ରେ ଭାରତରେ ପହଞ୍ଚିଥିବାବେଳେ ସଚିନଙ୍କୁ ହିନ୍ଦୁ ଋତିନୀତିରେ ବିବାହ କରି ସେ ଗ୍ରେଟର ନୋଏଡାର ରାବୁପୁରା ଅଞ୍ଚଳରେ ବାସ କରୁଥିଲେ । ଏହି ଘଟଣା ପ୍ରସାରିତ ହେବାପରେ ଉତ୍ତର ପ୍ରଦେଶ ପୁଲିସ ଜୁଲାଇ ୪ରେ ତାଙ୍କୁ ଗିରଫ କରିଥିଲା । ତେବେ ସ୍ଥାନୀୟ କୋର୍ଟରୁ ଜାମିନ ମିଳିବାପରେ ସୀମା ବର୍ତ୍ତମାନ ପରିବାର ସହ ରାବୁପୁରାରେ ସପରିବାର ବାସ କରୁଛନ୍ତି । ଅପରପକ୍ଷରେ ସୀମା ଗୁଇନ୍ଦାଗିରି ଉଦ୍ଦେଶ୍ୟରେ ଭାରତ ଆସିଥିବାରୁ ତାଙ୍କୁ ହାଲୁକାଭାବେ ଗ୍ରହଣ କରିବା ଅନୁଚିତ ବୋଲି ଉତ୍ତର ପ୍ରଦେଶ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ମତବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking