ନୂଆଦିଲ୍ଲୀ : ଯମୁନା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦିଲ୍ଲୀରେ ଜନଜୀବନୁ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯମୁନା ପାଣି ରାସ୍ତାରେ ମାଡ଼ିଯିବା ଫଳରେ ଶୁକ୍ରବାର ମଧ୍ୟ ଦିଲ୍ଲୀର କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆବଶ୍ୟ ଗତକାଲି ଅପେକ୍ଷା ଆଜି ଯମୁନାର ଜଳସ୍ତରରେ ହ୍ରାସ ଘଟିଛି । ମାତ୍ର ଯମୁନାରେ ଜଳସ୍ତର ଏବେ ବି ବିପଦ ସଙ୍କେତଠାରୁ ୩ ମିଟର ଉପରେ ପ୍ରବାହିତ ହେଉଛି । ଦିଲ୍ଲୀରେ ସକାଳ ୧୦ଟାରେ ଯମୁନାର ଜଳସ୍ତର ୨୦୮.୩୮ ମିଟର ରେକର୍ଡ କରାଯାଇଛି । ଲଲ୍କିଳ୍ଲା, ରାଜଘାଟ, ଆଇଟିଓ, ଯମୁନା ବଜାର, ମୋନେଷ୍ଟ୍ରି ମାର୍କେଟ୍, ସିଭିଲ୍ ଲାିନ୍ସ ଆଦି କେତେକ ଅଞ୍ଚଳର ସଡ଼କରେ ଏବେ ବି ପାଣି ଚାଲୁଥିବାରୁ ରାସ୍ତା ବନ୍ଦ ରହିଛି । ଯମୁନା ଜଳସ୍ତରରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ରାଜଘାଟ ଓ ଆଇଟିଓ ଆଖପାଖରେ ପାଣିର ସ୍ରୋତ ଭୟଭୀତ କରୁଛି । ଫଳରେ ସକାଳୁ ସେଠାରେ ଜାମି ସ୍ଥିତି ଲାଗିରହିଛି । ସୂଚନାଯୋଗ୍ୟ, ଗୁରୁବାର ଅଧିକାଂଶ ଅଞ୍ଚଳରେ ଯାତାୟାତ ଧୀମା ରହିଥିଲା ତଥା ଯାତ୍ରୀମାନଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ଦିଲ୍ଲୀରେ ବର୍ତ୍ତମାନ ସୁ୍ଧା ୨୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ରିଲିଫ୍ କ୍ୟାମ୍ପ୍କୁ ପଠାଯାଇଛି ।
ଗମ୍ଭୀର ବନ୍ୟା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଫ୍ରାନ୍ସରୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ଫୋନ୍ କରି ରାଜଧାନୀରେ ଦେଖାଦେଇଥିବା ବନ୍ୟାର ମୁକାବିଲା ପାଇଁ କରାଯାଉଥିବା ଉଦ୍ୟମର ବିସ୍ତୃତ ସୂଚନା ନେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ନେଇ ଦିଲ୍ଲୀର ହିତରେ ସମୁଚିତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ଜାରି ବନ୍ୟା ସଙ୍କଟ ମଧ୍ୟରେ ଶୁକ୍ରବାର ପୁଣିଥରେ ବର୍ଷା ଆରମ୍ଭ ହୋଇଥିବାରୁ ଯମୁନାର ଜଳସ୍ତର ପୁଣି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି, ଭିନ୍ନ ଭିନ୍ନ କାରଣୁ କେତେକ ଅଞ୍ଚଳରେ ବନ୍ୟା ପାଣି ପଶୁଛି । ଡ୍ରେନ୍ ରେଗୁଲେଟର୍ ଭାଙ୍ଗିଯିବା କାରଣରୁ ରାଜଘାଟରେ ନାଳଦେଇ ପାଣି ସହର ମଧ୍ୟକୁ ପ୍ରବେଶ କରୁଥିବା ସେ କହିଛନ୍ତି । ଶୁକ୍ରବାର କେଜରିୱାଲ୍ ମନ୍ତ୍ରୀ ଆତିଶି ଏବଂ ସୌରଭ ଭରଦ୍ୱାଜଙ୍କ ସହିତ ଆଇଟିଓସ୍ଥିତ ବିକାଶ ଭବନ ନିକଟରେ କ୍ଷତିଗ୍ରସ୍ତ ହୋଇଥିବା ଡ୍ରେନ୍ ରେଗୁଲେଟର୍ର ନିରୀକ୍ଷଣ କରିଥିଲେ ।