ଜୟପୁର: ଅପହରଣ କରାଯାଇ ଏସିଡ୍ଦ୍ବାରା ଆକ୍ରମଣ କରାଯାଇଥିବା ଜଣେ ୧୮ ବର୍ଷୀୟ ତରୁଣୀଙ୍କ ଶବ ରାଜସ୍ଥାନର କରୌଲି ଜିଲ୍ଲା ଅନ୍ତର୍ଗତ ଗୋଟାଏ କୂଅରୁ ଉଦ୍ଧାର କରାଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।ନଦୌତି ‘ଏସ୍ଏଚ୍ଓ’ ବାବୁଲାଲ୍ କହିଛନ୍ତି, ତୋଡ଼ାଭୀମ ଅଞ୍ଚଳର ମୋହନପୁର ବାସୀ ସେ ତରୁଣୀ ବୁଧବାର ଦିନରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ଫାଇଲ କରି ତାଙ୍କ ପରିବାର ଲୋକେ କହିଥିଲେ କି, ତାଙ୍କୁ ଅପହରଣ କରିନିଆଯାଇ ପରେ ହତ୍ୟା କରାଯାଇଛି।
ବ୍ୟବଚ୍ଛେଦ ନିମନ୍ତେ ଶବ ରଖାଯାଇଥିବା ଡାକ୍ତରଖାନା ସମ୍ମୁଖରେ ସାଂସଦ କିରୋଡ଼ିଲାଲ୍ ମୀନାଙ୍କ ସମେତ ବିରୋଧୀ ‘ବିଜେପି’ ନେତାମାନେ ଏବଂ ମୃତା ତରୁଣୀଙ୍କ ପରିବାର ଲୋକେ ଧାରଣା ଦେଇଥିଲେ।ଅପରାଧୀକୁ ତୁରନ୍ତ ଗିରଫ କରିବା ସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଏବଂ ସରକାରୀ ଚାକିରି ପାଇଁ ତରୁଣୀର ପରିବାର ଲୋକେ ଦାବି କରିଛନ୍ତି।ସାମ୍ବାଦିକମାନଙ୍କୁ ‘ବିଜେପି’ ନେତା ତଥା ସାଂସଦ ମୀନା କହିଛନ୍ତି ଯେ, ଅପହରଣ କରି ଦୁଷ୍କର୍ମ କରାଯିବା ପରେ ତରୁଣୀଙ୍କୁ ହତ୍ୟା କରାଯାଇଛି।