ବ୍ରହ୍ମପୁର: ସରକାରଙ୍କ ପକ୍ଷରୁ ଗରୀବ ଜନସାଧାରଣଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବା ପାଇଁ ବିପିଏଲ୍ ଯୋଜନାରେ ମାଗଣା ଚାଉଳ ପାଇଁ ଯୋଗାଇ ଦିଆଯାଉଛି । କିନ୍ତୁ ଏହି ଚାଉଳ ପାଇବା ପାଇଁ ଜିଲ୍ଳାର ଦିଗପହଣ୍ଡି ବ୍ଳକର କେତେକ ଆଦିବାସୀ ହିତାଧିକାରୀଙ୍କୁ ୪୪ କିମି ଚାଲି ଚାଲି ଯିବାକୁ ପଡ଼ୁଛି । ରାସ୍ତାର ଅଭାବରୁ ବହୁ ଅସୁବିଧାର ଶିକାର ହେଉଛନ୍ତି । ଗାଁକୁ ଯାତାୟାତ ପାଇଁ ପାଦଚଲା ରାସ୍ତା ଟିକିଏ ନଥିବାରୁ ପ୍ରାୟ ୪୪କିମି ରାସ୍ତା ସକାଳ ୬ଟାକୁ ଗଲେ ସନ୍ଧ୍ୟା ୬ଟାରେ ଗାଁକୁ ଚାଉଳ ନେଇ ଆସିବାକୁ ପଡୁଛି ।
ବହୁ ବର୍ଷ ହେଲା ଏଠାରେ ରାସ୍ତା ନିର୍ମାଣ ହୋଇନଥିବାରୁ ଆଦିବାସୀ ଲୋକମାନେ ଯନ୍ତ୍ରଣାରେ ଛଟ ପଟ ହେଉଥିଲେ ମଧ୍ୟ ନା ପ୍ରଶାସନ ନା ସ୍ଥାନୀୟ ବିଧାୟକ କେହି ଗୁହାରୀ ଶୁଣୁନାହାନ୍ତି । ସୁଚନା ଯୋଗ୍ୟ ଯେ ଏହି ଅଞ୍ଚଳର ବିଧାୟକ ଭାବେ ୨୫ବର୍ଷରୁ ଅଧିକ ସମୟ ହେଲା,ଯୋଗାଣ, ଶକ୍ତି, ରାଜସ୍ୱ ବିଭାଗରେ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଂଚଳକୁ ରାସ୍ତା, ବିଜୁଳି, ନଳକୂଅ ଏବଂ ବିଭିନ୍ନ ମୌଳିକ ସୁବିଧାରୁ ସେ ବଞ୍ଚିତ ରଖିଛନ୍ତି । ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡା ପଞ୍ଚାୟତର ଦାଦୁରୁମା କୁରୁମା, ଗୋଚ୍ଛାପଟାର ଅଧିବାସୀମାନେ ଅଭିଯୋଗ କରିଛନ୍ତି ଯେ ବହୁବାର ଏଠାକାର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଜଣାଇଲା ପରେ ମଧ୍ୟ ଏବଂ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଫଳରେ ଗ୍ରାମ ବାସୀ ଦୁର୍ଗମ ଅଂଚଳର ଘାଟୀ ପାର ହୋଇ ଯାଉଛନ୍ତି ।
ଏପରିକି ଗାଁରେ କେହି ଅସୁସ୍ଥ ହେଲେ ଦୋଳା କରି ନେବାକୁ ପଡୁଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏହିପରି ଅପହଞ୍ଚ ଅଞ୍ଚଳ ଅଛି ଯେଉଁଠି ଅଧିବାସୀ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏହା ଦାଦୁରୁମା, କୁରୁମା, ଏବଂ ଗୋଚ୍ଛା ପଟା ଗ୍ରାମର ବିକାଶର ଚିତ୍ର ସ୍ପଷ୍ଟ କରୁଛି । ଦିଗପହଣ୍ଡି ସଦର ମହାକୁମା ଠାରୁ ପ୍ରାୟ ୪୦କିମି ଦୂରରେ ଅବସ୍ଥିତ ଚାରି ଚାରିଟି ପାହାଡ଼ ଘେରା ଗ୍ରାମ ଦାଦୁରୁମା, ଗୋଚ୍ଛାପଟା ଗ୍ରାମରେ ପ୍ରାୟ ୪୦ ପରିବାର ବସବାସ କରୁଛନ୍ତି ସେଠି ବିଶୁଦ୍ଧ ପାଣି ନାହିଁ, ବିଜୁଳି ବି ନାହିଁ କି ରାସ୍ତା ନାହିଁ । ସୌରଶକ୍ତି ମାଧମରେ କିଛି ପରିମାଣ ଅନ୍ଧାର ଦୂର ହୋଇଛି । ନିର୍ବାଚନ ଆସିଲେ ନେତାମାନେ ରା୍ସ୍ତାଘାଟ ନିର୍ମାଣର ପ୍ରତିଶ୍ୃତି ଦିଅନ୍ତି,ଭୋଟ ନିୟନ୍ତି କିନ୍ତୁ ପରେ ପ୍ରତାରଣା କରନ୍ତି ବୋଲି ଦୁଃଖ ଭରା କଣ୍ଠରେ କହିଛନ୍ତି ନିରୀହ ଆଦିବାସୀ ମାନେ । ପ୍ରତ୍ୟେକ ମାସରେ ପ୍ରତ୍ୟେକ ପରିବାର ମାଗଣା ଚାଉଳ ନେବା ପାଇଁ ପ୍ରାୟ ୪୪ କିମି ଘାଟୀ ରାସ୍ତା ଦେଇ ସହଦେବ ଟିକରପଡା ପଞ୍ଚାୟତକୁ ଆସିବାକୁ ପଡୁଛି । ଏହି ଗାଁକୁ ଆମ୍ବୁଲାନସ ଆସୁନଥିବାରୁ ୪ଟି ପାହାଡ ଦେଇ ଦୋଳାରେ ରୋଗୀଙ୍କୁ ମୋହନା ବ୍ଲକର ଡେଙ୍ଗେମା କାଇଟମା ପିଚୁ ରାସ୍ତା ଏବଂ ସେହି ବ୍ଲକର ହାଣ୍ଡିମା ଜାମାଡିହର ପିଚୁ ରାସ୍ତାକୁ ନେଉଛନ୍ତି । ଏହି ଗ୍ରାମବାସୀ ମାନେ ପ୍ରତିମାସରେ ଚାଉଳ ଆଣିବାକୁ ଯାଇଥାନ୍ତି ।
ହେଲେ ଏହି ଗ୍ରାମରୁ ମୋହନା ବ୍ଲକର ଶିଙ୍କୁଳିଆ ପଦର ପଞ୍ଚାୟତ ଠାରୁ ପାଖା ପାଖି ୫କିମି ଦୂରରେ ଅଛି । ଯଦି ଏମାନଙ୍କୁ ବିପିଏଲ୍୍ ଚାଉଳ ଗ୍ରାମ ନିକଟରେ ଦିଆଯାଇଥାନ୍ତା ତେବେ ଗରୀବ ଆଦିବାସୀ ମାନେ ବହୁତ ଉପକୃତ ହୋଇଥାନ୍ତେ । ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ୧ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ କହିଛନ୍ତି କିନ୍ତୁ ଜନ ସାଧାରଣଙ୍କ ମୌଳିକ ସୁବିଧାରୁ ବଂଚିତ କରିଛନ୍ତି ବୋଲି ସେହି ଗ୍ରାମକୁ ଯାଇଥିବା ବିଜେପିର ପୂର୍ବ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି । ଶ୍ରୀପାଢ଼ୀ କହିଛନ୍ତି ଯଦି ଏହି ସମସ୍ୟାର ସମାଧାନ ନ କରାଯାଏ ତେବେ ଆଗାମୀ ଏକ ମାସ ଭିତରେ ଗ୍ରାମବାସୀଙ୍କୁ ନେଇ ବ୍ଲକ ଆଗରେ ଧାରଣା ଏବଂ ଘେରାଉ କରାଯିବ । ଶ୍ରୀ ପାଢ଼ୀଙ୍କ ଏହି ଗସ୍ତରେ ତାଙ୍କ ସାଙ୍ଗରେ ସୁଦାମ ଗୌଡ଼, ସେବକ ଦଳାଇ, ଚିନ୍ମୟ ରେଡି, ପାଣ୍ଡବ ପରିଡା, ପ୍ରତିଭା ଏବଂ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମଣ, ସନାତନ, ସରୋଜ, ଚନ୍ଦ୍ର, ପବିତ୍ର ମଙ୍ଗରାଜ ଅନତ, ରାଜେନ୍ଦ୍ର ସହଯୋଗ କରିଥିଲେ ।