କୋଲ୍କାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣିଥରେ ରାଜନୈତିକ ହତ୍ୟାକାଣ୍ଡ ଆରମ୍ଭ ହୋଇଛି । ରାଜ୍ୟରେ ଜୁଲାଇ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଶୁକ୍ରବାର ମୁର୍ସିଦାବାଦର ଝାଡ଼ଗ୍ରାମରେ ଜଣେ କଂଗ୍ରେସ କର୍ମକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଘଟଣାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ବିରୋଧରେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଟିଏମ୍ସିକୁ ରକ୍ତର ରାଜନୀତି କରିବାକୁ ଦିଆଯିବ ନାହିଁ । ଏ ନେଇ ରାଜ୍ୟପାଳଙ୍କୁ ସେ ପତ୍ରଲେଖି ରାଜ୍ୟରେ ସିଆର୍ପିଏଫ୍ର ମୁତୟନ ଦାବି ମଧ୍ୟ କରିଛନ୍ତି । ବିଜେପିର ଏକ ପ୍ରତିନିଧିମଣ୍ଡଳୀ ମଧ୍ୟ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଭେଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ସିଆର୍ପିଏଫ୍ ମୁତୟନ ପାଇଁ ଦାବି କରିଛି । ଅନ୍ୟପକ୍ଷରେ ଘଟଣାର ଦିନକ ପରେ ଶନିବାର ମୁର୍ସିଦାବାଦ ପୁଲିସ ଡୋମ୍କାଲ୍ ଅଞ୍ଚଳରୁ ଜଣେ ଟିଏମ୍ସି କର୍ମକର୍ତ୍ତା ଶବୀର ମୋଲ୍ଲାହଙ୍କୁ ଗିରଫ କରିଛି । ପୁଲିସ ତାଙ୍କ ନିକଟରୁ ଏକ ପିସ୍ତଲ୍ ମଧ୍ୟ ଜବତ କରିଛି । ପିସ୍ତଲ୍କୁ ସେ ଅଣ୍ଟାରେ ଖୋସିଥିଲେ ।