ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ରେ ଶନିବାର ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପାର୍ଟି ପ୍ରମୁଖ ଶରଦ ପାୱାରଙ୍କ କନ୍ୟା ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲ୍ଙ୍କୁ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ପାର୍ଟିର ୨୫ତମ ପ୍ରତିଷ୍ଠାନ ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ପାର୍ଟି ପ୍ରମୁଖ ଶରଦ ପାୱାର ଏହି ଘୋଷଣା କରିଛନ୍ତି । ତେବେ ପୁତୁରା ଅଜିତ ପାୱାରଙ୍କୁ କୌଣସି ଦାୟିତ୍ୱ ପ୍ରଦାନ କରାଯାଇ ନାହିଁ ।
ସୁପ୍ରିୟାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ୟତୀତ ମହାରାଷ୍ଟ୍ର, ହରିଆଣା ଏବଂ ପଞ୍ଜାବ ରାଜ୍ୟ ପ୍ରଭାରୀ ମଧ୍ୟ ନିଯୁକ୍ତ କରାଯାଇଛି । ସେହିପରି ପ୍ରଫୁଲ୍ଲ ପଟେଲ୍ଙ୍କୁ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୋଆର ଦାୟିତ୍ୱ ଦିଆଯାଇଛି । ସୁନୀଲ୍ ନଟକରେଙ୍କୁ ଜାତୀୟ ସାଧାରଣ ସମ୍ପାଦକ ବ୍ୟତୀତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପ୍ରଭାରୀ ନିଯୁକ୍ତ କରାଯାଇଛି । ସେ କିଶାନ ମୋର୍ଚ୍ଚା ଓ ସଂଖ୍ୟାଲଘୁ ପ୍ରକୋଷ୍ଠର ପ୍ରଭାରୀ ମଧ୍ୟ ହେବେ ।
ଏହା ବ୍ୟତୀତ ପାର୍ଟି ନେତା ମହମ୍ମଦ ଫୈଜଲ୍ଙ୍କୁ ତାମିଲନାଡ଼ୁ, ତେଲେଙ୍ଗାନା ଓ କେରଳ ଦାୟିତ୍ୱ ପ୍ରଦାନ କରାଯାଇଛି । ନନ୍ଦା ଶାସ୍ତ୍ରୀ ପାର୍ଟିର ଦିଲ୍ଲୀ ପ୍ରଦେଶ ସଭାପତି ନିଯୁକ୍ତ ହୋଇଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ସୁପ୍ରିୟା ପାର୍ଟି ସୁପ୍ରିମୋ ଶରଦ ପାୱାର୍, ସମସ୍ତ ବରିଷ୍ଠ ନେତା ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନ୍ସିପିକୁ ଶକ୍ତିଶାଳୀ କରିବା ନିମନ୍ତେ ସମସ୍ତଙ୍କୁ ସାଥୀରେ ନେଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।