ଭୋପାଳ: ବାଟେ ବାଟେ ଯାଉଥିଲା ବୋଲେରୋ । ଅଚାନକ ଘଟିଲା ଦୁର୍ଘଟଣା । ଦ୍ରୁତ ବେଗରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ବୋଲେରୋକୁ ଚାପି ଦେଲା । ଫଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲା ଘଟିଛି ଏହି ଦୁର୍ଘଟଣା । ସିଦ୍ଧି ଅଭିମୁଖେ ଯାଉଥିବା ବୋଲେରୋ ଉପରେ ଟ୍ରକ ପଡିଯିବାରୁ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁଥିବା ଜଣାପଡିଛି । ଟ୍ରକ ଚାଳକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲାରେ ସଡକ ଦୁର୍ଘଟଣା ଥମିବାର ନାମ ନେଉନାହିଁ । ପୁଣି ଥରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି ଫଳରେ ୭ ଜଣଙ୍କର ଜୀବନ ଦୀପ ଲିଭି ଯାଇଛି ।
ସିଦ୍ଧି ଜିଲ୍ଲା ଗ୍ରାମପଞ୍ଚାୟତ ବରମ ବାବା ଡୋଲ ଅଞ୍ଚଳରେ ଏକ ବୋଲେରୋ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ବୋଲେରୋ ଥିବା ୭ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଶିଶୁ ଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଜମୋଡି ଥାନା ଅଧିକାରୀ ଶୋଷମଣି ମିଶ୍ରା ସୂଚନା ଦେଇ କହିଛନ୍ତି ଟ୍ରକଟି ଅଚାନକ ନିୟନ୍ତ୍ରଣ ହରାଇଥିଲା । ସେହି ସମୟରେ ରାସ୍ତାରେ ଯାଉଥିବା ଏକ ବୋଲେରୋ ଉପରେ ଟ୍ରକଟି ପଡିଯାଇଥିଲା । ଫଳରେ ବୋଲେରୋରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଛି । ବୋଲେରୋରେ ଥିବା ବ୍ୟକ୍ତିମାନେ କିଏ କିଏ ତାହା ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣା ଖବର ମିଳିବା ମାତ୍ରେ ହିଁ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଚାରିଆଡେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।