27.1 C
Bhubaneswar
Friday, November 22, 2024
Homeଓଡିଶାଅଣସର ଘରେ ବିରାଜମାନ ଚତୁର୍ଦ୍ଧାମୂରତି, ଚାଲିଛି ଗୁପ୍ତ ଉପଚାର, ଓଲାଗି ହେଲା ଓଦା ବସ୍ତ୍ର

ଅଣସର ଘରେ ବିରାଜମାନ ଚତୁର୍ଦ୍ଧାମୂରତି, ଚାଲିଛି ଗୁପ୍ତ ଉପଚାର, ଓଲାଗି ହେଲା ଓଦା ବସ୍ତ୍ର

ପୁରୀ: ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାପ୍ରଭୁ ଏବେ ଅଣସର ଘରେ ବିରାଜମାନ । ୧୫ ଦିନ ଧରି ମହାପ୍ରଭୁଙ୍କ ଗୁପ୍ତ ଉପଚାର ଚାଲୁଛି । ଆଜି ଦଇତାପତି ମାନେ ମହାପ୍ରଭୁଙ୍କ ଓଦା ଲୁଗା ଓଲାଗି ବା ବାହାର କରିଥିବା ବେଳେ ମହାପ୍ରଭୁଙ୍କୁ ତୁଳସୀ ବଦଳରେ ଚକଟା ଓ ପଣା ଭୋଗ ଲାଗି କରିଥିଲେ । ସେପଟେ ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଆଜି ତୃତୀୟ ଭୂଇଁ ଉଠିଥିବା ବେଳେ ଚିତ୍ରକର ସେବକ ମାନେ ରଥରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ରଥକନା ପ୍ରସ୍ତୁତିର ଆଜି ଶୁଭାରମ୍ଭ କରିଛନ୍ତି ଦର୍ଜୀ ସେବାୟତ ।

ସ୍ନାନଯାତ୍ରାରେ ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଅଣସର ପିଣ୍ଡିର ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତ ଉପଚାର । ଦଇତାପତି ସେବାୟତ ମାନେ ପ୍ରତ୍ୟେକ ଦିନ ଅଣସର ଘରକୁ ଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା କରୁଛନ୍ତି । ପଣା ଓ ଚକଟା ଭୋଗ ସହ ଧଳା ଫୁଲ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ସ୍ନାନ ସମୟରେ ଶ୍ରୀଜୀଉ ପିନ୍ଧିଥିବା ଓଦା ବସ୍ତ୍ରକୁ ଆଜି ଅଣସରର ତୃତୀୟ ଦିନରେ ଓଲାଗି କରାଯାଇଥିଲା । ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱରରେ ପୀଡିତ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ପଥି ଦିଆଯାଉଛି । ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ଓ ବାଜା ସବୁକୁ ନିଷିଦ୍ଧ କରାଯାଇଛି । ଜ୍ୱରରେ ପୀଡିତ ଥିବା ମହାପ୍ରଭୁଙ୍କ ପାଇଁ ଦଇତାପତି ସେବାୟତ ମାନେ ଅଣସର ପଣା ପ୍ରସ୍ତୁତ କରିଛନ୍ତି । ଶ୍ରୀମନ୍ଦିର ଅଣସର ଘର ତାଟି ବାହାରେ ଦଇତାପତି ସେବାୟତ ମାନେ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିସାରିବା ପରେ ଏହାକୁ ଘରକୁ ଆଣି ସେଥିରେ ଅଣସର ପଣା ପ୍ରସ୍ତୁତ କରିଥାନ୍ତି । ଜ୍ୱରରୁ ଉପଶମ ପାଇବା ପାଇଁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଏ ବୋଲି କହିଥିଲେ ଦଇତାପତି ସେବାୟତ।

ସେପଟେ ଜୁନ୍ ୨୦ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାରୁ ରଥ ନିର୍ମାଣକାରୀ ସେବକ ମାନଙ୍କ ହାତକୁ ଆଉ ଫୁରସତ ନାହିଁ । ଆଜି ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକ ମାନେ ତିନି ରଥର ତୃତୀୟ ଭୂଇଁ ଟୁଙ୍ଗୁରା କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସେହିପରି ଚିତ୍ରକର ସେବକ ମାନେ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ସହ ରଥର ସୌନ୍ଦର୍ଯ୍ୟ ପାଇଁ ବିଭିନ୍ନ ଅଂଶକୁ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏପଟେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଦର୍ଜି ସେବକ ମାନେ ରଥକନା ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ନାଲି, ହଳଦିଆ, ସବୁଜ? ଓ କଳା ରଙ୍ଗର ୧,୨୫୦ ମିଟର କନାରେ ରଥକନା ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି । ସେପଟେ ରୂପକାର ସେବକ ମାନେ ତିନି ରଥର ନାଟଗୋଡରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିଥିବା ବେଳେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଖୋଦେଇ ସରିବା ପରେ ଏଥିରେ ଚିତ୍ରକର ମାନେ ରଙ୍ଗ ଚିତ୍ର କରିବେ । ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଏବଂ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ଗୋଟେ ପଟେ ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁଙ୍କ ସୁସ୍ଥତା ପାଇଁ ଦଇତାପତି ସେବାୟତ ମାନେ ସମସ୍ତ ପ୍ରକାର ଉପଚାର ଜାରି ରଖିଥିବା ବେଳେ ଅନ୍ୟପଟେ ତିନି ରଥର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ପ୍ରୟାସ ଚଳାଇଛନ୍ତି । ତେବେ ରଥ ନିର୍ମାଣ କାର୍ଯ୍ୟ ଆଜି ୪୪ ଦିନରେ ପହଞ୍ଚିଥିବା ବେଳେ ଏଥିରେ ବିଶ୍ୱକର୍ମା, ଭୋଇ, କରତି, ଓଝା, ରୂପକାର, ଚିତ୍ରକର ଓ ଦର୍ଜୀ ସେବାୟତ ମାନେ ବେଶ୍ ନିଷ୍ଠାର ସହ ମହାପ୍ରଭୁଙ୍କ କାର୍ଯ୍ୟକୁ ଅତି ନିଷ୍ଠାର ସହ ତ୍ୱରାନ୍ୱିତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking