ଭୁବନେଶ୍ୱର: ଏତେ ଭୟଙ୍କର ଦୁର୍ଘଟଣା; ଭୟାବହତା ବର୍ଣ୍ଣନା କରିବା ପାଇଁ ସତରେ ଶବ୍ଦ ନିଅଣ୍ଟ। କିଲୋମିଟର କିଲୋମିଟର ଯାଏ ଶୁଭୁଥିଲା ଆର୍ତ୍ତଚିତ୍କାର। ଲୁହ ଲହୁ ସବୁ ଏକାକାର। ଚିତ୍କାର କରି କରି କାହାର ସ୍ବର ନିରବି ଯାଇଥିଲା ତ ଆଉ କାହାର ଚିତ୍କାର ଗଳାପାଖରେ ହିଁ ଅଟକିଯାଇଥିଲା। ଏବେ ଶହଶହ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଏବେ ଆତ୍ମୀୟ ସ୍ବଜନ ସେମାନଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଖୋଜି ନ ପାଇବା ପରେ ଛାତିରେ ପଥର ରଖି ଶବଗଦା ଖେଳାଉଛନ୍ତି। କପଡ଼ା ଉଠାଇ ଗୋଟିଏ ପରେ ଗୋଟିଏ ମୁହଁ ଦେଖି ନିଜ ଲୋକଙ୍କୁ ପାଇଗଲା ପରେ… ଓଃ ସେ ଦୃଶ୍ୟ କହିବା କଷ୍ଟକର। ବଞ୍ଚିଯାଇଥିବା ଲୋକେ ବଡ଼ କଷ୍ଟରେ ବଖାଣୁଛନ୍ତି ସେ ଛାତିଫଟା ଅନୁଭବ।
ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ନିହାତି ପକ୍ଷେ ଏକ ସମୟସାପେକ୍ଷ କାର୍ଯ୍ୟ ଥିଲା। ତେବେ ଏହା ପୂର୍ବରୁ ସ୍ଥାନୀୟ ବାସିନ୍ଦାମାନେ କାହାରି ନିର୍ଦ୍ଦେଶକୁ ଅପେକ୍ଷା କିମ୍ବା ସାଜ ସରଞ୍ଜମକୁ ଉପେକ୍ଷା ନକରି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ଶାବଳଠାରୁ କୋଦାଳ ପର୍ଯ୍ୟନ୍ତ ସାଙ୍ଗରେ ଧରିେ ଟ୍ରେନ ଆଡ଼କୁ ମାଡ଼ି ଯାଇଥିଲେ। ଯିଏ ଯାହାର ଲାଗିପଡ଼ିଥିଲେ ଉଦ୍ଧାର କାମରେ। ସ୍ଥାନୀୟ ମହିଳାମାନେ ଟ୍ରେନ୍ ଭିତରୁ ଯେଉଁଭଳି ଭାବେ ଆହତ ଯାତ୍ରୀମାନଙ୍କୁ ଭିଡ଼ି କରି କାଢ଼ିଥିଲେ ତାହାକୁ ଦେଖିଲେ ଯେକୌଣସି ମଣିଷର ଆଖି ଉଭୟ ସୁଖ ଓ ଦୁଃଖରେ ଜକେଇ ଆସିବ।
ଆତ୍ମୀୟ ସ୍ୱଜନ ଭଳି କୋଳାଇ ନେଉଥିଲେ, ବାଲଟିରେ ବୋହି ଆଣିଥିବା ପାଣି ପିଇଆ ଦେଉଥିଲେ। ସ୍ଥାନୀୟ ବାସିନ୍ଦା ତଥା ଉଦ୍ଧାର କାର୍ଯ୍ୟରେ ରାତି ତମାମ୍ ଲାଗିଥିବା ବାବୁଲ ସୋରେନଙ୍କ ସମର୍ପଣ ମନୋଭାବ ଉପସ୍ଥିତ ଲୋକଙ୍କୁ ହତବାକ୍ କରିଥିଲା। ପାଖରେ ଗାଡ଼ି ନଥିବାରୁ ଲୋକଙ୍କୁ କାନ୍ଧରେ ପକାଇ ସେ ବଜାର ପର୍ଯ୍ୟନ୍ତ ନେଇଥିଲେ। ଜଣଙ୍କ ପରେ ଜଣେ; କେତେ ଯେ ଆହତଙ୍କୁ ସେ ଟ୍ରେନ୍ରୁ ଉଦ୍ଧାର କରି ଦେବଦୂତ ସାଜିଲେ ତାହା କେବଳ ଈଶ୍ୱର ସାକ୍ଷୀ ରହିଲେ।