ବାରାଣସୀ: ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବାଦେବୀଙ୍କ ପୂଜାର୍ଚ୍ଚନା ନିମନ୍ତେ ହିନ୍ଦୁ ମହିଳାଙ୍କ ତରଫରୁ ସ୍ଥାନୀୟ ଅଦାଲତଙ୍କ ଅନୁମତି ଲୋଡାଯାଇଛି । ତେବେ ମସଜିଦ ପରିଚାଳନା ଦାୟିତ୍ୱରେ ଥିବା ଅଞ୍ଜୁମନ ଇନ୍ତେଜାମିଆ କମିଟି ଏହାକୁ ବିରୋଧ କରି ଯେଉଁ ପିଟିସନ ଦାଏର କରିଥିଲା, ତାହାକୁ ଆହ୍ଲାବାଦ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି ।
ହିନ୍ଦୁ ମହିଳାଙ୍କ ଏଭଳି ଦାବିକୁ ଖାରଜ କରିବାକୁ ମସଜିଦ କମିଟି ଏବଂ ଉତ୍ତରପ୍ରଦେଶ ସୁନ୍ନି ୱାକଫ୍ ବୋର୍ଡ ମିଳିତଭାବେ ହାଇକୋର୍ଟରେ ପିଟିସନ ଦାଏର କରିଥିଲେ । ପୂଜାର୍ଚ୍ଚନା ସ୍ଥଳୀ ଆଇନ ୧୯୯୧ ଏବଂ ସେଣ୍ଟ୍ରାଲ ୱାକଫ୍ ଆକ୍ଟ ୧୯୯୫କୁ ଏହା ଉଲ୍ଲଂଘନ କରୁଥିବା ସେମାନେ ଯୁକ୍ତି ଦର୍ଶାଇଥିଲେ । ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ଅନୁମତି ପାଇବାକୁ ୫ଜଣ ହିନ୍ଦୁ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ବାରାଣସୀ ଜିଲ୍ଲା ଜଜ୍ ପୂର୍ବରୁ ମସଜିଦ କମିଟିର ପ୍ରତିବାଦ ପିଟିସନକୁ ଖାରଜ କରିବାପରେ ସେମାନେ ଆହ୍ଲାବାଦ ହାଇକୋର୍ଟରେ ସାନି ପିଟିସନ ଦାଏର କରିଥିଲେ । ସୂଚନାଯୋଗ୍ୟ ୨୦୨୧ରେ ଜ୍ଞାନବାପୀ ମସଜିଦରେ ସର୍ଭେ ଓ ଭିଡିଓଗ୍ରାଫି କାର୍ଯ୍ୟ ଚାଲିଥିବାବେଳେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତିର ସନ୍ଧାନ ମିଳିଥିଲା । ଏହାପରଠାରୁ ବିବାଦର ସୂତ୍ରପାତ ଘଟିଥିଲା । ଉଭୟପକ୍ଷ ନିଜ ନିଜ ଦାବିରେ ଅଟଳ ରହିଥିବାବେଳେ ମାମଲା ହାଇକୋର୍ଟରେ ପହଞ୍ଚିଛି ।