20.1 C
Bhubaneswar
Sunday, December 22, 2024
Homeଦେଶ ବିଦେଶକଂଗ୍ରେସର ଗ୍ୟାରେଣ୍ଟି ଫର୍ମୁଲା ଦେଶକୁ ଦେବାଳିଆ କରିବ: ମୋଦୀ

କଂଗ୍ରେସର ଗ୍ୟାରେଣ୍ଟି ଫର୍ମୁଲା ଦେଶକୁ ଦେବାଳିଆ କରିବ: ମୋଦୀ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାରଠାରୁ ରାଜସ୍ଥାନ ଗସ୍ତରେ ଯାଇଥିବାବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଆଜମେର ଓ ପୁଷ୍କରଠାରେ ବିଜେପିର ‘ଜନ ସମ୍ପର୍କ ଅଭିଯାନ’କୁ ଉଦ୍‌ଘାଟନ କରିବା ଅବସରରେ ମୋଦୀ କହିଛନ୍ତି ଯେ ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଫର୍ମୁଲାର ପ୍ରତିଶ୍ରୁତି ଦିଆଯାଉଛି, ତାହା ଦେଶକୁ ଦେବାଳିଆ କରିବ । ସଦ୍ୟ ସମାପ୍ତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କୁ ଯେଉଁ ୫ଟି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି, ତାହାକୁ ମୋଦୀ କଡା ସମାଲୋଚନା କରିଛନ୍ତି ।

ବିଜେପିର ମୁକାବିଲା କରିବାରେ ଅସଫଳ ହେବାପରେ କଂଗ୍ରେସ ବର୍ତ୍ତମାନ ଗ୍ୟାରେଣ୍ଟି ଫର୍ମୁଲାକୁ ଆପଣେଇଥିବା ମୋଦୀ ଅଭିଯୋଗ କରିଛନ୍ତି । କଂଗ୍ରେସ କ’ଣ ସତରେ ଏହି ଗ୍ୟାରେଣ୍ଟି ପୂରଣ କରିପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଚଳିତବର୍ଷ ଶେଷଆଡକୁ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଥିବାବେଳେ ପୁଣି ଗାଦି ଅକ୍ତିଆର କରିବାକୁ ଅଣ୍ଟା ଭିଡିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟବାସୀଙ୍କ ପାଇଁ ମାଗଣା ବିଜୁଳିଠାରୁ ଆରମ୍ଭ କରି ଶସ୍ତାରେ ଗ୍ୟାସ୍ ସିଲିଣ୍ଡର ବଣ୍ଟନ ଭଳି ଏକାଧିକ ଗ୍ୟାରେଣ୍ଟି ଦେଇସାରିଲେଣି । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ମୋଦୀ କହିଛନ୍ତି ଯେ ଆଜକୁ ୫୦ ବର୍ଷ ପୂର୍ବେ କଂଗ୍ରେସ କେନ୍ଦ୍ରରେ କ୍ଷମତାରେ ଥିବା ସମୟରେ ଦେଶରୁ ଗରିବୀ ହଟାଇବାକୁ ଗ୍ୟାରେଣ୍ଟି ଦେଇଥିଲା । କିନ୍ତୁ ଦୀର୍ଘ ପାଞ୍ଚ ଦଶନ୍ଧି ପରେ ମଧ୍ୟ କଂଗ୍ରେସର ଏହି ଗ୍ୟାରେଣ୍ଟି କେବଳ ପ୍ରହସନ ପାଲଟିଥିବା ମୋଦୀ କହିଛନ୍ତି ।

ଗରିବଙ୍କ ପ୍ରତି ଏହାଠାରୁ ବଡ ବିଶ୍ୱାସଘାତକତା କ’ଣ ହୋଇପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଛନ୍ତି । ଗରିବଙ୍କୁ ସବୁବେଳେ ବିଭ୍ରାନ୍ତ କରିବା ଏବଂ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରିବା କଂଗ୍ରେସର ଅଭ୍ୟାସ ପାଲଟିଥିବା ସେ କହିଛନ୍ତି । କଂଗ୍ରେସର ଏଭଳି ଦୋମୁହାଁ ନୀତି ଯୋଗୁଁ ରାଜସ୍ଥାନବାସୀମାନେ ମଧ୍ୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ଅବସରରେ ମୋଦୀ ରାଜସ୍ଥାନ କଂଗ୍ରେସରେ ଗେହଲଟ୍ ଓ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ପରିଣତ ବୟସରେ ମଧ୍ୟ ଗେହଲଟ୍ କ୍ଷମତା ମୋହ ଛାଡିପାରୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ମୋଦୀ କହିଛନ୍ତି । ମୋଦୀଙ୍କ ଏତାଦୃଶ ମନ୍ତବ୍ୟ ପରେ ସଚିନ ଅଧିକ ଉତ୍ସାହିତ ହୋଇପଡିବା ସହ ଗେହଲଟ୍‌ଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ସଚିନ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ ଚରମସୀମା ଦେଇଥିବା ପ୍ରକାଶ । ଦୁର୍ନୀତି ଓ ନ୍ୟାୟ ପ୍ରସଙ୍ଗରେ କୌଣସି ପ୍ରକାର ସାଲିସକୁ ପ୍ରଶ୍ରୟ ଦେବା ଅନୁଚିତ ବୋଲି ସଚିନ କହିଛନ୍ତି । ୨୦୨୩ରେ ଏଥରକୁ ମିଶାଇ ମୋଦୀ ଚତୁର୍ଥ ଥର ରାଜସ୍ଥାନ ଗସ୍ତ କରିଛନ୍ତି ।

କେନ୍ଦ୍ରରେ ମୋଦୀ ସରକାରଙ୍କ ନବମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯାଇଛି । ଦେଶକୁ କଂଗ୍ରେସ ସର୍ବାଧିକ କାଳ ଶାସନ କରିଥିବାବେଳେ ଅଧିକ ଦୁର୍ନୀତି ଓ ଆତଙ୍କବାଦ ଘଟଣା ଦେଖିବାକୁ ମିଳିଥିଲା । କଂଗ୍ରେସର ଏଭଳି ଦୁର୍ନୀତି ଫର୍ମୁଲା ଅବଲମ୍ବନ କରିଥିଲା, ଯାହାଫଳରେ ଦେଶବାସୀଙ୍କ ରକ୍ତ ଶୋଷିବାକୁ ସେମାନେ କୁଣ୍ଠାବୋଧ କରିନଥିବା ମୋଦୀ କହିଛନ୍ତି । ଅତୀତରେ କଂଗ୍ରେସର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏକଦା ସ୍ୱୀକାର କରିଥିଲେ ଯେ ୧୦୦ ପଇସାରୁ ମାତ୍ର ୧୫ ପଇସା ଗରିବଙ୍କ ପକେଟକୁ ଯାଉଛି ।

ବର୍ତ୍ତମାନ ଭାରତର ଅର୍ଥନୀତି ଊର୍ଦ୍ଧ୍ୱଗାମୀ ହେଉଥିବାବେଳେ ବିଶେଷଜ୍ଞମାନେ କହିଛନ୍ତି ବିଜେପି ଅମଳରେ ଭାରତରୁ ଦାରିଦ୍ର‌୍ୟ କ୍ରମଶଃ ଅପସରି ଯାଉଛି । ର‌୍ୟାଲିକୁ ସମ୍ବୋଧିତ କରିବା ପୂର୍ବରୁ ମୋଦୀ ପୁଷ୍କରଠାରେ ଥିବା ଦେଶର ଏକମାତ୍ର ବହ୍ମାଙ୍କ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking