ନୂଆଦିଲ୍ଲୀ: ବିଶ୍ୱର ସମସ୍ତ ଦେଶ ନିଜ ନିଜର ଉସର୍ଜନ ହ୍ରାସ ପ୍ରତିଶ୍ରୁତିକୁ ପାଳନ କରିବା ସତ୍ତ୍ୱେ ଶତାବ୍ଦୀର ଅନ୍ତ ବେଳକୁ ୬୦ କୋଟି ଭାରତୀୟଙ୍କ ସମେତ ବିଶ୍ୱର ୨୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିପଜ୍ଜନକ ଭାବେ ଭୀଷଣ ଗରମର ସାମ୍ନା କରିବାକୁ ପଡ଼ିବ । ଏହି ଗରମ ଏତେ ଭୟାନକ ହେବ ଯେ ଅସ୍ତିତ୍ୱକୁ ନେଇ ସଂକଟ ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଏକ ନୂଆ ଅଧ୍ୟୟନରେ ଦାବି କରାଯାଇଛି ।
ଜଳବାୟୁ ବୈଜ୍ଞାନିକଙ୍କ ଅନୁସାରେ ବର୍ତ୍ତମାନର ଜୟବାୟୁ ନୀତିଗୁଡ଼ିକର ପରିଣାମସ୍ୱରୂପ ଶତାବ୍ଦୀର ଶେଷ (୨୦୮୦-୨୧୦୦) ବେଳକୁ ତାପମାତ୍ରା ୨.୭ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ । ତାପମାତ୍ରାର ଏହି ବୃଦ୍ଧି ସାରା ବିଶ୍ୱରେ ଝାଞ୍ଜିର ଭୟଙ୍କର ଲହର, ଝଡ଼ବାତ୍ୟା ଏବଂ ବନ୍ୟା ତଥା ସମୁଦ୍ର ଜଳସ୍ତର ବୃଦ୍ଧି ଭଳି ଆଶଙ୍କା ସୃଷ୍ଟି କରିବ ।
ଏକ୍ସେଟର ବିଶ୍ୱବିଦ୍ୟାଳୟର ଗ୍ଲୋବାଲ୍ ସିଷ୍ଟମ୍ ଇନ୍ଷ୍ଟିଚ୍ୟୁଟ୍, ଆର୍ଥ କମିଶନ ଏବଂ ନାନ୍ଜିଙ୍ଗ୍ ବିଶ୍ୱବିଦ୍ୟାଳୟ ଶୋଧକର୍ତ୍ତାମାନେ ୨.୭ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ବୃଦ୍ଧିର ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଅଧ୍ୟୟନ ଅନୁସାରେ ଶତାବ୍ଦୀର ଅନ୍ତ ବେଳକୁ ଆନୁମନିକ ଜନସଂଖ୍ୟା (୯୫୦ କୋଟି)ର ୨୨ରୁ ୩୯ ପ୍ରତିଶତ ବିପଜ୍ଜନକ ଗରମ (ହାରାହାରି ତାପମାତ୍ର ୨୯ ଡିଗ୍ରୀ କିମ୍ବା ଅଧିକ)ର ଶିକାର ହେବେ । ଅଧ୍ୟୟନରେ କୁହାଯାଇଛି ଯଦି ତାପମାତ୍ରା ୨.୭ରୁ କମାଇ ୧.୫ କରାଯାଏ, ତେବେ ଏହା ପ୍ରଭାବରେ ଆସିଥିବାକୁ ଥିବା ଜନସଂଖ୍ୟା ପାଞ୍ଚଗୁଣା ହ୍ରାସ ପାଇବ ।
ଅଧ୍ୟୟନରେ କୁହାଯାଇଛି, ପୂର୍ବରୁ ବିଶ୍ୱ ଜନସଂଖ୍ୟାର ପ୍ରାୟ ୯ ପ୍ରତିଶତ (୬୦ କୋଟିରୁ ଅଧିକ) ଲୋକ ବିପଜ୍ଜନକ ଗରମର ସମ୍ପର୍କରେ ରହିଛନ୍ତି । ତାପମାତ୍ରା ୨.୭ ଡିଗ୍ରୀ ବୃଦ୍ଧି ପାଇଲେ ସର୍ବାଧିକ ଭାରତରେ ୬୦ କୋଟି ଲୋକ ଏହାର ଶିକାର ହେବେ । ସେହିପରି ୧.୫ ଡିଗ୍ରୀ ସେଲ୍ସିୟସ୍ ସ୍ଥିତିରେ ଏହି ସଂଖ୍ୟା ବହୁ କମ୍ ଅର୍ଥାତ୍ ପ୍ରାୟ ୯ କୋଟି ହେବ । ତାପମାତ୍ର ୨.୭ ଡିଗ୍ରୀ ବୃଦ୍ଧି ପାଇଲେ ନାଇଜେରିଆ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ହେବ ।
ଏଠାରେ ଏପରି ଲୋକଙ୍କ ସଂଖ୍ୟା ୩୦ କୋଟିରୁ ଅଧିକ ହେବ । ଅନ୍ୟପକ୍ଷରେ ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଲେ ଏହି ସଂଖ୍ୟା ୪ କୋଟିରୁ କମ୍ ରହିବ । ଅଧ୍ୟୟନ ଅନୁସାରେ ତାପମାତ୍ରା ୨.୭ ଡିଗ୍ରୀ ବୃଦ୍ଧି ପାଇଲେ ବୁର୍କିନା ଫାସୋ ଏବଂ ମାଲି ସହିତ କେତେକ ଦେଶରେ ବସବାସ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡ଼ିବ ।
ଅଷ୍ଟ୍ରେଲିଆ ଏବଂ ଭାରତରେ ମଧ୍ୟ ୪୦ ପ୍ରତିଶତ ଅଞ୍ଚଳ ଏହାର ସାମ୍ନା କରିବ । ପ୍ୟାରିସ୍ ଚୁକ୍ତି ଅନୁସାରେ ଗ୍ଲୋବାଲ୍ ତାପମାତ୍ର ବୃଦ୍ଧିକୁ ୨ ଡିଗ୍ରୀ ସେଲ୍ସିୟସ୍ ଏବଂ ମୁଖ୍ୟ ରୂପେ ୧.୫ ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ସୀମିତ ରଖିବାକୁ ୧୯୦ରୁ ଊର୍ଦ୍ଧ୍ୱ ଦେଶ ସଂକଳ୍ପ ନେଇଥିଲେ ।