17.1 C
Bhubaneswar
Saturday, January 11, 2025
Homeଓଡିଶାଏଣିକି ଫେକ୍ ସାର୍ଟିଫିକେଟ୍ ଧରାପଡିଲେ ଅଭିଭାବକଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ

ଏଣିକି ଫେକ୍ ସାର୍ଟିଫିକେଟ୍ ଧରାପଡିଲେ ଅଭିଭାବକଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନକଲି ସାର୍ଟିଫିକେଟ୍ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ରାଜ୍ୟରେ ନକଲି ସାର୍ଟଫିକେଟ୍ ମାଧ୍ୟମରେ ବିଭିନ୍ନ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ମିଳିବା ପରେ ଗତ କିଛି ସପ୍ତାହ ହେବ ଡାକ ବିଭାଗରେ ନକଲି ସାର୍ଟିଫିକେଟ ମାଧ୍ୟମରେ ଚାକୀରୀ ହାତେଇଥିବା କିଛି କରିତକର୍ମା ଚିହ୍ନଟ ହୋଇଛନ୍ତି । ତେବେ କେବଳ ନିଯୁକ୍ତି ନୁହେଁ ବିଦ୍ୟାଳୟରେ ମାଗଣାରେ ପିଲାକୁ ପଢ଼ାଇବା ଲାଗି ମଧ୍ୟ ନକଲି ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଲାଣି । ଏପରି କିଛି ନକଲି ସାର୍ଟିଫିକେଟ୍ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ନଜରକୁ ଆସିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଏପରି ସସମ୍ୟା ବଢ଼ିବାରେ ଲାଗିଛି ।

ଶିକ୍ଷା ଅଧିକାର ଆଇନ (ଆରଟିଇ)ଅଧିନରେ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଲାଗି ୨୫ % ସଂରକ୍ଷଣ ବ୍ୟବସ୍ଥା ରହିଛି । ଶିକ୍ଷା ଅଧିକାର ଅଧିନିୟମ ୧୨(୧)(ସି)ଅନ୍ତର୍ଗିତ ଗରିବ ଓ ଆର୍ଥକ ପଛୁଆବର୍ଗର ପିଲାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ୧୦% ପଛୁଆବର୍ଗ ଜାତି ଓ ଜନଜାତିଙ୍କ ଲାଗି ସଂରକ୍ଷିତ ରହୁଥିବା ବେଳେ ୧୦% ବିପିଏଲ ପରିବାରର ପିଲା ଓ ବଳକା ୫%ବାସହୀନଙ୍କ ଲାଗି ରହିଛି । ସେମାନେ ଆରଟିଇ ପାରଦର୍ଶି ପୋର୍ଟାଲରେ ଆବେଦନ କରି ଲଟେରି ମାଧ୍ୟମରେ ଚୟନ ବେହା ସହିତ ଘରୋଇ ସ୍କୁଲରେ ନାମ ଲେଖାଇବାର ପ୍ରବାଧାନ ରହିଛି । ତେବେ ଯେଉଁ ନିୟମ ରହିଛି ସେଥିରେ ଅଭିଭାବକଙ୍କ ଜାତି, ବୃତ୍ତି ଏବଂ ବାର୍ଷିକ ଆୟକୁ ଗୁରୁତ୍ୱ ଦିଆଯାଇଥାଏ ।

ସରକ୍ଷଣବର୍ଗକୁ ବାଦ୍‌ଦେଲେ ଯଦି ସାଧାରଣବର୍ଗର ଅଭିଭାବକଙ୍କ ବାର୍ଷିକ ଆୟ ୧ଲକ୍ଷ ୮୦ହଜାର ମଧ୍ୟରେ ରହିଥିବ ତେବେ ସେମାନଙ୍କ ପିଲାଙ୍କୁ ମଧ୍ୟ ୨୫% ସଂରକ୍ଷଣ ସିଟରେ ମାଗଣାରେ ପଢ଼ିବାର ସୁଯୋଗ ପାଇବେ ବୋଲି ନିୟମ ରହିଛି । ମାତ୍ର ଆରଟିଇ ପାରଦର୍ଶି ପୋର୍ଟାଲରେ ଆବେଦନ ସମୟରେ ଅନେକ ଆବେଦନକାରୀ ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗ ମିଳିଛି । ଏପରିକି କିଛି ଆଦେନକାରୀ ସରକାରୀ ଚାକିରୀ କରିଥିବା ବେଳେ ଆଉକିଛି ଆବେଦନକାରୀଙ୍କ ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ ଅଧିକ ହୋଇଥିବା ଜଣାପଡିଛି । ମାତ୍ର ୨୫% କୋଟା ସିଟ୍‌ରେ ସେମାନଙ୍କର ପିଲାମାନେ ପଢ଼ିବାର ସୁଯୋଗ ପାଉଛନ୍ତି ।

ଗରୀବ ତଥା ଅନଗ୍ରସର ପିଲାଙ୍କୁ ଶିକ୍ଷା ଦେବାକୁ ଯେଉଁ ବ୍ୟବସ୍ଥା ହେଉଛି ସେଥିରେ କିଛି ମଧ୍ୟବିତ୍ତ ପରିବାର ପିଲାମାନେ ମାଗଣାରେ ପଢ଼ିବାର ସୁଯୋଗ ହାତଉଥିବା ବେଳେ ପକୃତ ଗରୀବ ପିଲାମାନେ ଏହି ସୁବିଧାରୁ ବଞ୍ôଚତ ହେଉଛନ୍ତି । ତେବେ ରାଜଧାନୀର ୨ଟି ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ୨୫% କୋଟା ସିଟ୍‌ରେ ପିଲାମାନେ ନାମଲେଖାଉଛନ୍ତି ସେହି ଅର୍ଥ ସରକାର ଠିକ୍ ଭାବେ ପ୍ରଦାନ କରୁନାଁନ୍ତି । ଏପରିକି ଯେଉଁ ପିଲାମାନେ କୋଟା ସିଟ୍‌ରେ ନାମଲେଖାଇବାକୁ ସୁଯୋଗ ପାଉଛନ୍ତି ସେମାନଙ୍କର ସାର୍ଟିଫିକେଟ୍ ଠିକ୍ ଭାବେ ଯାଞ୍ଚ କରାଯାଉନାହିଁ । ଫଳରେ ନକଲି ସାର୍ଟିଫିକେଟ୍ ମାଧ୍ୟମରେ ଅନେକ ଅଭିଭାବକ ଏହି କୋଟାରେ ସିଟ୍ ଦଖଲ କରୁଛନ୍ତି ।

ଏପରି ସମସ୍ୟା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆରଟିଇ ପାରଦର୍ଶି ପୋର୍ଟାଲରେ ଆବେଦନ କରିବା ପରେ ଲଟେରି ମାଧ୍ୟମରେ ସ୍କୁଲ ଚୟନ ହେବା ପୂର୍ବରୁ ସମସ୍ତ ସାର୍ଟିଫିକେଟ୍ ଯାଞ୍ଚ କରାଯାଇଥାଏ । ତେବେ ସ୍କୁଲରେ ନାମଲେଖାଇବା ସମୟରେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ସେ ସବୁର ଯାଞ୍ଚ ପୁନ୍ନର୍ବାର କରିବା ଉଚିତ୍ । ଯଦି କିଛି ସମସ୍ୟା ଥିବାର ଜଣାପଡେ ତେବେ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଉଚିତ୍ । ତେବେ ଏହି ବ୍ୟବସ୍ଥାରେ ଅଧିକ ସ୍ୱଚ୍ଚତା ଆଣିବା ଲାଗି ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଛି । ଯଦି କୌଣସି ଅଭିଭାବକ ଫେକ୍ ସାର୍ଟିଫିକେଟ୍ ଦେଇଥିବା ଜଣାପଡେ ତେବେ ସମ୍ପୃକ୍ତ ଅଭିଭାବକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଶିକ୍ଷାବିତ୍ ତଥା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ କହିବା ଅନୁସାରେ ଏହି ନୀୟମଟି ନୂଆ ଭାବେ ଆରମ୍ଭ ହୋଇଥିବାରୁ କେଉଁ ଆବେଦନକାରୀଙ୍କୁ ସୁଯୋଗ ମିଳିବ ଏବଂ କାହାକୁ ବାଦ୍ ଦିଆଯିବ ସେ ସମ୍ପର୍କରେ କୌଣସି ନିତିଗତ ନିଷ୍ପତ୍ତି ହୋଇନାହିଁ । ତେବେ ସମସ୍ତଙ୍କୁ ଶିକ୍ଷା ମିଳିବା ଉଚିତ୍ । ମାତ୍ର ଯେଉଁମାନଙ୍କର ଆୟ ଅଧିକ ରହୁଛି ସେମାନେ ଏହି ସିଟ୍ କୁ ବାଦ୍ ଦେବା ଉଚିତ୍ । କାରଣ କମ ରୋଜଗାର ଥିବା ଗରୀବ ମେଧାବୀ ପିଲାଟିଏ ପଢ଼ିବାର ସୁଯୋଗ ପାଇବ । ବିଶେକରି ନକଲି ସାର୍ଟିଫିକେଟ୍ ମାଧ୍ୟମରେ ଏହି ସୁଯୋଗ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ଅପରପକ୍ଷେ ଖୋର୍ଦ୍ଧା ଓ ଭୁବନେଶ୍ୱରରେ ଥିବା ଘରୋଇ ସ୍କୁଲ ଗୁଡିକ ଏହି ନିୟମକୁ ଅବହେଳା କରୁଥିବା ଅଭିଯୋଗ ହୋଇଥିଲା । ଘରୋଇ ସ୍କୁଲରେ ଆରଟିଇ ନିୟମ ଅଧିନରେ ସିଟ ପୂରଣ ହେଉନଥିଲେ ମଧ୍ୟ ସ୍କୁଲ ମ୍ୟାନେଜମେଣ୍ଟ ଗରିବ ପିଲାଙ୍କୁ ନାମଲେଖାଇବାକୁ ରୋକଠୋକ ମନା କରିଦେଉଛନ୍ତି । ଚଳିତବର୍ଷ ଏହି କ୍ରମରେ ୪ ହଜାର ୧୩୮ ସ୍କୁଲରେ ୧୦ ହଜାର ୮୦୪ ଜଣ ପିଲା ନାମଲେଖା ଲାଗି ଚୟନ ହୋଇଥିଲେ । କିନ୍ତୁ ଭୁବନେଶ୍ୱର ଓ ଖୋର୍ଦ୍ଧାର ଅନେକ ପ୍ରତିଷ୍ଠିତ ଘରୋଇ ସ୍କୁଲ ପିଲାଙ୍କୁ ଆଡମିଶନ ଲାଗି ମନା କରିଦେଉଛନ୍ତି ।

ଆରଟିଇ ନିୟମ ଅଧିନରେ ୩୫ ହଜାର ୫୮୧ ସିଟ ରହିଥିବା ବେଳେ ୧୦ ହଜାର ୮୦୪ ପିଲା ଚୟନ ହୋଇଛନ୍ତି । କିନ୍ତୁ ଏହି ପିଲାମାନଙ୍କୁ ସିଟ ନମଳିବା ଦୁର୍ଭାଗ୍ୟର ବିଷୟ । ଆରଟିଇ ପାରଦର୍ଶି ପୋର୍ଟାଲ ଅପଡେଟ ହେଉନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ କିଛି ଦିନ ତଳେ ଅଭିଭାବକମାନେ ଆନ୍ଦୋଳନ କରିବା ସହିତ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking