ଗୁଆହାଟୀ : ଆସାମ ଶୁକ୍ରବାର ପ୍ରସିଦ୍ଧ ବହୁ ଫେଷ୍ଟିଭାଲ୍ ଅବସରରେ ବିଶ୍ୱ ରେକର୍ଡ କରିଛି । ସବୁଠୁ ବଡ଼ ବହୁ ଡ୍ୟାନ୍ସ ଆୟୋଜନ ଏବଂ ଏତେ ସଂଖ୍ୟାରେ ଢୋଲ ଡ୍ରମ୍ ବଜାଇବା ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ସର୍ମାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ଟିମ୍ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଏପ୍ରିଲ୍ ୧୪ ତାରିଖରେ ଗୁଆହାଟୀର ସୁରସଜାଈ ଷ୍ଟାଡିୟମ୍ରେ ୩୦ ଜିଲ୍ଲାର ୧୧୩୦୪ କଳାକାର ଡ୍ୟାନ୍ସ କରିଥିଲେ । ଏହି ଅବସରରେ ୨୫୪୮ କଳାକାର ଢୋଲ ବଜାଇଥିଲେ । ବହୁ ଫେଷ୍ଟିଭାଲ୍ ଅବସରରେ ଆସାମ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ମୋଟ ୧୪,୩୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ।
ସର୍ବପ୍ରଥମେ ସେ ଗୁଆହାଟୀରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ପ୍ରଥମ ଏମ୍ସର ଉଦ୍ଘାଟନ କରିଥିଲେ । ଏହା ବ୍ୟତୀତ ନଳବାଡ଼ି, ନାଗାଓଁ ଏବଂ କୋକ୍ରାଝାରରେ ତିନିଟି ମେଡିକାଲ୍ କଲେଜର ଭର୍ଚୁଆଲ୍ ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ଟାରେ ସୁରସଜାଈ ଷ୍ଟାଡିୟମ୍ରେ ୩୧ ଜିଲ୍ଲାର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ କଳାକାରଙ୍କ ଦ୍ୱାରା ଏକ ସଙ୍ଗରେ ଆୟୋଜିତ ବିହୁ ନୃତ୍ୟ ପରିବେଷଣ ଦେଖିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଆସାମର ଲୋକନୃତ୍ୟ ବିହୁକୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ପାଇଁ ଉଦ୍ୟମ କରାଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ‘ଆପଣଙ୍କ ଦୁଆରେ ଆୟୁଷ୍ମାନ’ ଅଭିଯାନର ଶୁଭାରମ୍ଭ କରିଥିଲେ ।
ଏହା ସହିତ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମ୍ଜେଏୱାଇ) କାର୍ଡ ବାଣ୍ଟିଥିଲେ । ଏହାପରେ ରାଜ୍ୟର ସମସ୍ତ ଜିଲ୍ଲାରେ ୧.୧ କୋଟି ଏବି-ପିଏମ୍ଜେଏୱାଇ କାର୍ଡ ବଣ୍ଟାଯାଇଥିଲା । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆସାମ ଆଡ୍ଭାନ୍ସଡ୍ ହେଲ୍ଥ କେୟାର୍ ଇନୋଭେସନ୍ ଇଷ୍ଟିଚ୍ୟୁଟ୍ (ଏଏଏଚ୍ଆଇଆଇ)ର ଶିଳାନ୍ୟାସ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଗୁଆହାଟୀର ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ରରେ ହାଇକୋର୍ଟ ପ୍ଲାଣ୍ଟିନମ୍ ଜୁବ୍ଲି ସମାରୋହରେ ମଧ୍ୟ ସାମିଲ ହୋଇଥିଲେ । ଅପରାଧ ନିୟନ୍ତ୍ରଣରେ ସହାୟକ ପାଇଁ ଆସାମ ପୁଲିସ ଦ୍ୱାରା ଡିଜାଇନ୍ କରାଯାଇଥିବା ‘ଆସାମ କପ୍’ ମୋବାଇଲ୍ ଆପ୍ର ମଧ୍ୟ ମୋଦୀ ଶୁଭାରମ୍ଭ କରିଛନ୍ତି । ବ୍ରହ୍ମପୁତ୍ର ନଦୀ ଉପରେ ପଳାଶବାଡ଼ି ଓ ସୁଆଲକୁଚିକୁ ଯୋଡ଼ୁଥିବା ପୋଲର ମଧ୍ୟ ଶିଳାନ୍ୟାସ କରିଛନ୍ତି ।