ଦୁବାଇ: ଆଇସିସି ପକ୍ଷରୁ ପ୍ରତି ମାସରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ରିକେଟର୍ଙ୍କୁ ପୁରସ୍କୃତ କରାଯାଇଆସୁଥିବା ବେଳେ ମାର୍ଚ୍ଚ ପାଇଁ ନ୍ୟୁଜିଲାଣ୍ଡ୍ର ପୂର୍ବତନ ଅଧିନାୟକ କେନ୍ ୱିଲିଅମ୍ସନ୍, ବାଂଲାଦେଶ ଅଧିନାୟକ ସାକିବ୍-ଅଲ୍-ହସନ୍ ଓ ୟୁଏଇ ବ୍ୟାଟ୍ସମ୍ୟାନ୍ ଆସିଫ୍ ଖାନ୍ ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ଦୌଡ଼ରେ ସାମିଲ୍ ହୋଇଛନ୍ତି । ୩୨ ବର୍ଷୀୟ ୱିଲିଅମ୍ସନ୍ ଗତ ମାସରେ ୨ଟି ଟେଷ୍ଟ୍ ଖେଳିଥିଲେ ହେଁ ଉଭୟରେ ଶତକ ହାସଲ କରିଥିଲେ । ବିଶେଷକରି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଅପରାଜିତ ୧୨୧ ରନ୍ କରିବା ସହ ଦଳକୁ ଅନ୍ତିମ ବଲ୍ରେ ବିଜୟ ଦେଇ ୱିଲିଅମ୍ସନ୍ ବେଶ୍ ପ୍ରଶଂସା ସାଉଁଟିଥିଲେ । ପରବର୍ତ୍ତୀ ଟେଷ୍ଟ୍ରେ ସେ ଦ୍ୱିଶତକ ହାସଲ କରିଥିଲେ, ଯାହାକୁ ଆଧାର କରି ନ୍ୟୁଜିଲାଣ୍ଡ୍ ଇନିଂସ ଓ ୫୮ ରନ୍ରେ ବିଜୟୀ ହେବା ସହ ସିରିଜ୍ କ୍ଲିନ୍ସୁଇପ୍ କରିଥିଲା । ଉକ୍ତ ଦ୍ୱିଶତକୀୟ ଇନିଂସରେ ୱିଲିଅମ୍ସନ୍ ୨୯୬ ବଲ୍ ଖେଳି ୨୧୫ ରନ୍ କରିଥିଲେ, ଯେଉଁଥିରେ ୨୩ଟି ଚୌକା ଓ ଦୁଇଟି ଛକା ସାମିଲ୍ ଥିଲା । ଉକ୍ତ ଦୁଇ ଟେଷ୍ଟ୍ ମ୍ୟାଚ୍ରେ ସେ ମୋଟ ୩୩୭ ରନ୍ ସଂଗ୍ରହ କରିଥିଲେ ।
ସେହିପରି ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ବାଂଲାଦେଶ ୧-୨ରେ ପରାସ୍ତ ହୋଇଥିଲେ ମଧ୍ୟ ସାକିବ୍ ସର୍ବାଧିକ ରନ୍ ସହ ସର୍ବାଧିକ ୱିକେଟ୍ ମଧ୍ୟ ଅକ୍ତିଆର କରିଥିଲେ । ପରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଇଂଲଣ୍ଡ ପରି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଟି-୨୦ ସିରିଜ୍ରେ କ୍ଲିନସୁଇପ୍ ବିଜୟ ହାସଲ କରିଥିଲା । ପରେ ତାଙ୍କ ନେତୃତ୍ୱାଧୀନ ବାଂଲାଦେଶ ଆୟର୍ଲାଣ୍ଡ୍ ବିପକ୍ଷ ଦିନିକିଆ ସିରିଜ୍ରେ ୨-୦ରେ ଓ ଟି-୨୦ ସିରିଜ୍ରେ ୨-୧ରେ ବିଜୟୀ ହୋଇଥିଲା । ସାକିବ୍ ପ୍ରଥମ ଦିନିକିଆରେ ୯୩ ରନ୍ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ମାର୍ଚ୍ଚରେ ସେ ଖେଳିଥିବା ୧୨ଟି ମ୍ୟାଚ୍ରେ ୩୫୩ ରନ୍ କରିବା ସହ ୧୫ଟି ୱିକେଟ୍ ନେଇଥିଲେ ।
ଆହୁରି ଆସିଫ୍ ଗତ ମାର୍ଚ୍ଚରେ ୪୦୩ ରନ୍ କରିଥିବା ବେଳେ ସେଥିରେ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ୍ ଥିଲା । ନେପାଳ ବିପକ୍ଷ ସିରିଜ୍ରେ ଆସିଫ୍ ମାତ୍ର ୪୨ ବଲ୍ରେ ୧୦୧ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ । ଏଥିସହ ସେ ଦିନିକିଆ କ୍ରିକେଟ୍ରେ ଆଇସିସିର କୌଣସି ଆସୋସିଏଟ୍ ସଦସ୍ୟ ଦେଶ ପାଇଁ ଦ୍ରୁତତମ ଶତକ ହାସଲ କରିଥିଲେ । ପରେ ସେ ଆମେରିକା ବିପକ୍ଷ ସିରିଜ୍ରେ ମଧ୍ୟ ଶତକୀୟ ଇନିଂସ ଖେଳି ତାଙ୍କର ଉନ୍ନତ ଫର୍ମକୁ ଜାରି ରଖିଥିଲେ । ସୂଚନାଯୋଗ୍ୟ ଯେ ଗତ ଫେବୃଆରୀରେ ଇଂଲିଶ୍ ବ୍ୟାଟର୍ ହ୍ୟାରୀ ବ୍ରୁକ୍ ଭାରତୀୟ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ୱେଷ୍ଟ୍ଇଣ୍ଡିଜ୍ ବୋଲର୍ ଗୁଡାକେଶ ମୋଟୀଙ୍କୁ ପଛରେ ପକାଇ ଆଇସିସି ପ୍ଲେୟର୍ ଅଫ୍ ଦି ମନ୍ଥ ପୁରସ୍କାର ହାତେଇଥିଲେ ।