30.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଗୁଜରାଟ ଓ ମହାରାଷ୍ଟ୍ରରେ ଶୋଭଯାତ୍ରା ଉପରେ ଆକ୍ରମଣ; ବଦୋଦରାର ଦୁଇଟି ସ୍ଥାନରେ ଟେକାମାଡ଼, ସମ୍ଭାଜୀନଗରରେ ଜଳାପୋଡ଼ା

ଗୁଜରାଟ ଓ ମହାରାଷ୍ଟ୍ରରେ ଶୋଭଯାତ୍ରା ଉପରେ ଆକ୍ରମଣ; ବଦୋଦରାର ଦୁଇଟି ସ୍ଥାନରେ ଟେକାମାଡ଼, ସମ୍ଭାଜୀନଗରରେ ଜଳାପୋଡ଼ା

ଅହମ୍ମଦାବାଦ: ରାମନବମୀ ଅବସରରେ ଗୁରୁବାର ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ଟେକାପଥର ମାଡ଼ ଏବଂ ପୋଡ଼ାଜଳା ହୋଇଛି । ଗୁଜରାଟର ବଦୋଦରାରେ ଦୁଇଟି ସ୍ଥାନରେ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଛି । ପ୍ରଥମେ ଫତେହପୁର ଏବଂ ପରେ କୁମ୍ଭାରବାଡ଼ାରେ ଶୋଭଯାତ୍ରା ବେଳେ ଟେକାପଥର ମାଡ଼ କରାଯାଇଛି ।

ତେବେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ସେହିପରି ପଶ୍ଚିମବଙ୍ଗର ହାଓଡ଼ାରେ ମଧ୍ୟ କେତେକ ଲୋକ ଶୋଭାଯାତ୍ରା ଉପରେ ଟେକାପଡ଼ର ମାଡ଼ କରିଛନ୍ତି । ଅନ୍ୟପକ୍ଷରେ ବୁଧବାର ରାତିରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ଏକ ମନ୍ଦିର ବାହାରେ କେତେକ ଲୋକ ପୋଡ଼ାଜଳା କରିଛନ୍ତି । ଏପରିକି ପୁଲିସ ଗାଡ଼ିକୁ ମଧ୍ୟ ପୋଡ଼ି ଦେଇଛନ୍ତି ।

କୁମ୍ଭାରବାଡ଼ା ଅଞ୍ଚଳରେ ଗୁରୁବାର ସନ୍ଧ୍ୟା ୫ଟା ୪୦ ବେଳେ ରାମନବମୀ ଅବସରରେ ବାହାରିଥିବା ଶୋଭଯାତ୍ରା ଉପରେ କିଛି ଲୋକ ଟେକାପଥର ମାଡ଼ କରିଥିଲେ । ତେବେ ପୁଲିସ ପହଞ୍ଚି ସ୍ଥିତିକୁ କାବୁ କରିଥିଲା । ଏହା ପୂର୍ବରୁ ଅପରାହ୍ଣ ପ୍ରାୟ ୨ଟା ବେଳେ ଫତେହପୁର ଅଞ୍ଚଳରେ ମଧ୍ୟ ଶୋଭଯାତ୍ରା ଉପରେ ଟେକାମାଡ଼ ହୋଇଥିଲା । ଦଙ୍ଗାକାରୀମାନେ ସଡ଼କରେ ଛିଡ଼ା ହୋଇଥିବା ବାହନ ଭଙ୍ଗାରୁଜା କରିଥିଲେ । ଘଟଣା ପରେ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରିଦିଆଯାଇଥିଲା ।

ହାଓଡ଼ାରେ ଶୋଭାଯାତ୍ରା ବେଳେ କେତେକ ଲୋକ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେମାନେ ସେଠାରେ ଫ୍ଲାଗ୍‌ମାର୍ଚ୍ଚ କରିଛନ୍ତି । ଅନ୍ୟପକ୍ଷରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୁରୁଣା ନାମ ଔରଙ୍ଗାବାଦ)ର କିରାଡ଼ପୁରା ଅଞ୍ଚଳରେ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଲୋକମାନେ ପରସ୍ପର ଉପରକୁ ଟେକାପଥର ମାଡ଼ କରିବା ସହିତ କେତେକ ଯାନବାହନରେ ନିଆଁ ଲଗାଇ ଦେଇଥିଲେ ।

ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଯାନବାହନ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଉପରେ ମଧ୍ୟ ଟେକାପଡ଼ର ମାଡ଼ ହୋଇଥିଲା । ଏଥିରେ ଦୁଇ ପୁଲିସ କର୍ମଚାରୀ ସମେତ ପାଞ୍ଚରୁ ଛଅଜଣ ଲୋକ ଆହତ ହୋଇଛନ୍ତି । ହିଂସାକାଣ୍ଡ ରାତି ସାଢ଼େ ୧୧ଟାରୁ ଆରମ୍ଭ ହୋଇ ଭୋର୍ ସାଢ଼େ ତିନିଟା ପର୍ଯ୍ୟନ୍ତ ଚାଲିଥିଲା । ଭିଡ଼କୁ କାବୁ କରିବା ନିମନ୍ତେ କେତେକ ଧର୍ମଗୁରୁଙ୍କୁ ଡକାଯାଇଥିଲା । ମାତ୍ର ଭିଡ଼ ସେମାନଙ୍କ କଥା ମାନିବାକୁ ପ୍ରସ୍ତୁତ ନଥିଲା । କିଛି ସମୟ ପରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ବହୁ ସଂଖ୍ୟା ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦଙ୍ଗାକାରୀ ସେମାନଙ୍କ ଉପରେ ମଧ୍ୟ ଟେକାପଥର ମାଡ଼ କରିବା ସହିତ କାର୍‌ର କାଚ ଭାଙ୍ଗି ଦେଇଥିଲେ ।

ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିଚାର୍ଜ ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ପୁଲିସ ଦୁଇ ତିନି ରାଉଣ୍ଡ୍ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲା । ସେହିପରି ପୁଲିସ ଆଜାଦ ଚୌକରୁ ସିଟି ଚୌକ ପର୍ଯ୍ୟନ୍ତ ସମସ୍ତ ରାସ୍ତା ବ୍ଲକ୍ କରିଦେଇଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ଅଧିକାଂଶ ଲୋକଙ୍କ ଘର ଉପରକୁ ମଧ୍ୟ ଟେକାପଥର ମାଡ଼ କରାଯାଇଥିଲା ।

ଦୁଇ ମଦ୍ୟପ ଗୋଷ୍ଠୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ହୋଇଥିବା ସମ୍ଭାଜୀନଗର ସାଂସଦ ଇମ୍‌ତିଆଜ୍ ଜଲିଲ୍ ଏକ ପ୍ରେସ୍ କନ୍‌ଫରେନ୍ସରେ କହିଛନ୍ତି । ସେମାନେ ହିଁ ଟେକାପଥର ମାଡ଼ କରିଛନ୍ତି । ରାମ ମନ୍ଦିରର କେଣସି କ୍ଷତି ହୋଇନାହିଁ ଏବଂ ମନ୍ଦିର ଭିତରେ କେହି ପଶିନାହାନ୍ତି । ତେଣୁ ଗୁଜବ ଉପରେ ଲୋକମାନେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking