ବାରିପଦା : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଦୁର୍ଗା ଚରଣ ମିଶ୍ର ଏକ ବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୧୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏହା ସହିତ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୧ ବର୍ଷର ଅତିରିକ୍ତ ଜେଲ୍ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ହେଲେ ଗୋରୁମହିଷାଣି ଥାନା ଅନ୍ତର୍ଗତ ଭୀମକାନ୍ଦା ଗ୍ରାମର ଲଖିରାମ ବିନ୍ଧାଣୀ ।
ସୂଚନା ଯୋଗ୍ୟ ଯେ, ଉକ୍ତ ଗ୍ରାମର ଜୈନିକା ଅନାଥ ବାଳିକା ତା’ସାଙ୍ଗ ସହିତ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅଭିଯୁକ୍ତ ଲଖିରାମ ଦୁହେଁଙ୍କୁ ବୁଲେଇବାକୁ ନେଇଯାଇଥିଲା । ସେଠାରେ ଜଣେ ସାଙ୍ଗକୁ ଗଛରେ ବାନ୍ଧି ଅନ୍ୟ ଜଣକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ଏ ଘଟଣା ବାବଦରେ ଘର ଲୋକଙ୍କୁ ଜଣାଇଲେ ହତ୍ୟା କରିବା ନେଇ ଧମକ ଦେଇଥିଲା । ପିଡିତା ନାବାଳିକା ଏ ନେଇ ଘଟଣା ବାବଦରେ ପରିବାର ଲୋକେ ଜଣାଇଥିଲେ ।
ଏହାକୁ ନେଇ ପିଉସୀ ବାସନ୍ତୀ ମୁଣ୍ଡା ୩ ଦିନ ପରେ ସ୍ଥାନୀୟ ଗୋରୁମହିଷାଣି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାର ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ୨୨ ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।