25.1 C
Bhubaneswar
Tuesday, November 26, 2024
Homeଓଡିଶା୧୫୮୬.୪୧ କୋଟି ଟଙ୍କାର ଖର୍ଚ୍ଚଦାବି ଗୃହୀତ; କୋଟିଆ ମାମଲା ଆଜିର ନୁହେଁ: ରାଜସ୍ୱ ମନ୍ତ୍ରୀ

୧୫୮୬.୪୧ କୋଟି ଟଙ୍କାର ଖର୍ଚ୍ଚଦାବି ଗୃହୀତ; କୋଟିଆ ମାମଲା ଆଜିର ନୁହେଁ: ରାଜସ୍ୱ ମନ୍ତ୍ରୀ

– କୋଟିଆରେ ଆନ୍ଧ୍ର ଆମ ଜମି ମାଡ଼ି ବସୁଛି, ସରକାର ନିରବ: କଂଗ୍ରେସ
– ସରକାରୀ ଜମି ଜବର୍‌ଦଖଲ ମୁକ୍ତ କରିବାରେ ସରକାର ଫେଲ୍‌: ବିଜେପି

ଭୁବନେଶ୍ୱର: କୋଟିଆ ମାମଲା ଆଜିର ନୁହେଁ । ବର୍ତ୍ତମାନ ଏହା ସୁପ୍ରିମକୋର୍ଟରେ ବିଚାରାଧୀନ । ଏହା ସତ୍ତ୍ୱେ କୋଟିଆ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ, ରାସ୍ତା, ପିଇବା ପାଣି, ବିଜୁଳି ଆଦି ବ୍ୟବସ୍ଥା ସେଠାରେ କରାଯାଇଛି । ସେହିପରି ପଡ଼ା ଗ୍ରାମଗୁଡ଼ିକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଉଛି । ଅନ୍‌ଲାଇନ୍‌ରେ ଭୂ-ରାଜସ୍ୱ ପଇଠ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ତାହା ‘ପାଉତି’ ମୋବାଇଲ୍ ଆପ୍ ଜରିଆରେ ପଇଠ କରିହେବ । ତେବେ ମନ୍ତ୍ରୀ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଉଭୟ ବିଜେପି ଓ କଂଗେଅସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ଶେଷରେ ଜଳସମ୍ପଦ ବିଭାଗର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ୧୫୮୬ କୋଟି ୪୧ ଲକ୍ଷ ୭୦ ହଜାର ଟଙ୍କାର ଖର୍ଚ୍ଚଦାବିକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଚନିକ ଭୋଟରେ ଗୃହୀତ କରିଥିଲେ ।

ଶନିବାର ବିଧାନସଭାରେ ଖର୍ଚ୍ଚଦାବିକୁ ବିରୋଧ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ସରକାରଙ୍କ ଉପରେ ବର୍ଷିଥିଲେ । ସେ କହିଥିଲେ, ରାଜସ୍ୱ ବିଭାଗର ପ୍ରମୁଖ ଦାୟିତ୍ୱ ହେଉଛି ଭୂମିହୀନଙ୍କୁ ଜମି ପ୍ରଦାନ ସହ ବିସ୍ଥାପିତଙ୍କୁ ଥଇଥାନ, ସରକାରୀ ଜମିକୁ ଜବରଦଖଲ ମୁକ୍ତ କରିବା । ମାତ୍ର ଏସବୁ ଦାୟିତ୍ୱ ତୁଲାଇବାରେ ବିଭାଗ ସମ୍ପୂର୍ଣ୍ଣ ଫେଲ୍ । ମାଇନର୍ ମିନେରାଲକୁ କାହିଁକି ରାଜସ୍ୱ ବିଭଗରୁ ଖଣି ଇସ୍ପାତ ବିଭଗକୁ ସ୍ଥାନାନ୍ତର କରାଗଲା ବୋଲି ପ୍ରଶ୍ନ ଉଠାଇ ଶ୍ରୀ ମାଝୀ କହିଛନ୍ତି ଯେ, ରାଜସ୍ୱ ବିଭାଗରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି । ଚୋରା ବାଲି ରୋକିବାରେ ବିଫଳ । ସେହିପରି ରାଜ୍ୟର ୧୬ହଜାର ୭୨୮ ଏକର ଜମିକୁ ୫ଲକ୍ଷ୬୨ ହଜାର ୪୨୨ ଜବରଦଖଲ କରୁ ମାଡିବସିଛନ୍ତି । ଯେଉଁ ଚାଷୀ ସରକାରୀ ଜମିରେ ୩୦ ବର୍ଷରୁ ଅଧିକ ସମୟ ଧରି ଚାଷ କରୁଥିବ, ସମ୍ପୁକ୍ତ ଚାଷୀର ମାଲିକାନା ଦେବାପାଇଁ ଚଳିତ ବର୍ଷ ଜାନୁୟାରୀରେ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇନାହିଁ । ରାଜ୍ୟର ୧୨୭୪ଟି ସ୍କୁଲ ୫୨ଟି କଲେଜ ଓ ୬୪୪ଟି ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ବେଆଇନ ଜବରଦଖଲ ଜମିରେ ବିଲ୍ଡିଂ ଛିଡା କରିଛନ୍ତି । ସେଥିପାଇଁ ସଂପୃକ୍ତ ମାଲିକାନା ଦିଆଯାଇ ପାରୁନାହିଁ । ଅନ୍ୟପକ୍ଷରେ ଜାଗା ମିଶନରେ ଡ୍ରୋନ୍ ସର୍ଭେ ମଧ୍ୟ ଅଧାପନ୍ତରିଆ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

ଖର୍ଚ୍ଚଦାବିକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଓଡ଼ିଶାର ସୀମା ଅସୁରକ୍ଷିତ । କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଆମ ଜମି ମାଡ଼ି ବସୁଛି । ରାଜ୍ୟ ସରକାର ଜାଣି ବି ନିରବ ଦ୍ରଷ୍ଟା ସାଜିଛନ୍ତି । କିଛି ବି ଆଖି ଦୃଶିଆ ପଦକ୍ଷେପ ନେଉ ନାହାନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ବହୁ ମୂଲ୍ୟବାନ ଜମି ଜବରଦାଖଲ ହେଉଛି । ଏସବୁ ଜମି ଗରୀବ ଲୋକ ନୁହେଁ, ଧନୀ ଲୋକ ମାଡ଼ି ବସିଛନ୍ତି । ସରକାର ବେଦଖଲ କରିବାରେ ଅସଫଳ ହୋଇଛନ୍ତି । କେବଳ ବଲାଙ୍ଗୀରରେ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ହଜାର କୋଟିଟଙ୍କାର କମିକୁ ଜବରଦଖଲରେ ରଖିଛନ୍ତି । ଅଥଚ କୋଡିଫାଏଡ୍ ରେଭିନୁୟୁ ଲ’ କରିବାରେ ସରକାର ବିଫଳ । ଆଜି ପର୍ଯ୍ୟନ୍ତ ଜମି ସେଟଲ୍‌ମେଣ୍ଟ କରୁନାହାନ୍ତି । ଜମି ସେଟଲମେଣ୍ଟ ଅନେକ ସମସ୍ୟା ସମାଧାନ ହୋଇଯାଇଥାନ୍ତା । ଲୋକଙ୍କୁ କମି ବିକିବାକୁ ମଧ୍ୟ ଅନୁମତି ମିଲୁ ନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ।

ଶାସକ ସଭ୍ୟ ଅମର ଶତପଥୀ କରିଥିଲେ, ରାଜସ୍ୱ ବିଭାଗର ସଫଳତା ୨୦୦୦ରୁ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ବସୁନ୍ଧରା ଯୋଜନାରେ ୫୦,୫୨୮ ପରିବାରଙ୍କୁ ଜମି ପଟ୍ଟା ମିଳିଛି । ଜମି ପଟ୍ଟା ଡିଜିଟାଇଡ଼ ହୋଇଛି । ଦେଶର ୭୫ ଜିଲ୍ଲା ମଧ୍ୟରେ ୨୦ ଜିଲ୍ଲା ପ୍ଳଟିନମ ବର୍ଗରେ କେନ୍ଦ୍ର ସରକାର ପୁରସ୍କୃତ କରିଛନ୍ତି ଓ ୧୦,୦୩୬ ସ୍କୁଲକୁ ଜମି ପଟ୍ଟା ଦିଆଯାଇଛି । ମାତ୍ର କିଛି ଏନଜିଓ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ବହୁ ମୂଲ୍ୟବାନ ଜମି ଅବ୍ୟବହୃତ ହୋଇ ପଡ଼ିରହିଛି ଓ ସେସବୁ ଫେରାଇ ଆଣିବା ଉଚିତ ବୋଲି ମତ ଦେଇଥିଲେ ।

ଆଲୋଚନାର ଶେଷରେ ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଜନଜାତିଙ୍କୁ ଜମିପଟ୍ଟା ପ୍ରଦାନ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗୁଆ । ସର୍ବାଧିକ ୧୦ ହଜାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଜମିପଟ୍ଟା ହସ୍ତାନ୍ତର ହୋଇଛି । ସେହିପରି ୨୦୧୮-୧୯ ସର୍ବେକ୍ଷଣ ଅନୁଯାୟୀ ୫୭,୧୧୭ ଘରଡିହ ଶୂନ୍ୟ ପରିବାର ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୫୦,୫୨୮ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଘରଡିହ ଯୋଗାଇ ଦିଆଯାଇଛି । ୨୦୨୨ ନଭେମ୍ବରରୁ ୮୦ଟି ତହସିଲ୍‌ରେ ଭର୍ଚୁଆଲ କୋର୍ଟ ଆରମ୍ଭ ହୋଇଛି । ଏପ୍ରିଲ ୨୦୨୩ ସୁଦ୍ଧା ସବୁ ତହସିଲ୍‌ରେ ଭର୍ଚୁଆଲ କୋର୍ଟ ଆରମ୍ଭ ଲାଗି ଜିଲାଗୁଡ଼ିିକୁ ନିର୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking