– ଗୃହ କମିଟି ଗଠନ କରି ସ୍ପଟ ଭିଜିଟ କରାଯାଉ: କଂଗ୍ରେସ
– ମହିଳା ସଶକ୍ତୀକରଣ ନାଁରେ ଚାଲିଛି ହରିଲୁଟ୍: ବିଜେପି
-ଏସ୍ଏଚ୍ଜିଙ୍କୁ ଉଦ୍ୟୋଗୀ ଲକ୍ଷ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ଖୁବ୍ଶୀଘ୍ର: ମନ୍ତ୍ରୀ
ଭୁବନେଶ୍ୱର: ଲକ୍ଷ୍ୟଠାରୁ ଦୂରେଇ ଯାଇଛି ମିଶନ ଶକ୍ତି ଆଭିମୁଖ୍ୟ । ମହିଳା ସଶକ୍ତୀକରଣ ନାଁରେ କୋଟି କୋଟି ଟଙ୍କା ହେଉଛି ହରିଲୁଟ୍ । ରାଜନୈତିକ ଉଦ୍ଦେଶ୍ୟ ରଖି ଏସ୍ଏଚ୍ଜି ମହିଳାଙ୍କୁ ବ୍ୟବହାର କରାଯାଉଛି । ଷ୍ଟାଣ୍ଡିଙ୍ଗ୍ କମିଟି ରିପୋର୍ଟ ନେଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟମାନେ ରାଜ୍ୟ ସରକାରଙ୍କୁ ଘେରିଥିଲାବେଳେ ଶାସକ ସଭ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ୟପକ୍ଷରେ ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଚଳିତବର୍ଷ ମିଶନ ଶକ୍ତି ବଜାର ସହ ମହିଳାଙ୍କୁ ୯ ହଜାର ୫୦୦ କୋଟି ଟଙ୍କା ଋଣ ଦିଆଯାଇଛି ଓ ସେମାନଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା କରାଯିବ ବୋଲି କହିିଥିଲେ ।
ମଙ୍ଗଳବାର ବିଧାନସଭାରେ ବିରୋଧୀ କଂଗ୍ରେସ ପକ୍ଷରୁ ‘ଲକ୍ଷ୍ୟ ଠାରୁ ଦୁରେଇ ଯାଉଛି ମିଶନଶକ୍ତି କାର୍ଯ୍ୟକ୍ରମ, ମହିଳା ସଶକ୍ତୀକରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ’ ଶୀର୍ଷକରେ ଆସିଥିଲା ଏକ ମୁଲତବୀ ପ୍ରସ୍ତାବ । ଏହି ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଥିଲେ ଯେ ମିଶନଶକ୍ତି ମହିଳାଙ୍କୁ ଯେଉଁଥିପାଇଁ ଋଣ ଦିଆଯାଉଛି, ତା’ର ସଦ୍ବ୍ୟବହାର ହେଉନାହିଁ । ସଠିକ ମାର୍ଗରେ ଖର୍ଚ୍ଚ ହେଉନଥିବାରୁ ଋଣ ପରିଶୋଧ କରିପାରୁନାହାନ୍ତି । ସ୍କିମକୁ ବିରୋଧ କରାଯାଉନି । ଏସ୍ଏଚ୍ଜି ମହିଳାଙ୍କ ଅର୍ଥନୈତିକ ବିକାଶ ପାଇଁ ହୋଇଛି । ମାତ୍ର ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି ।
ସରକାରୀ ପଇସାରେ ସରକାରୀ ଦଳ ରାଜନୀତି କରୁଛି । ମହିଳାଙ୍କ ବିକାଶ ପରିବର୍ତ୍ତେ ବିନାଶ ହେଉଛି । ଉଦ୍ଦେଶ୍ୟ ସାଧିତ ନ ହୋଇ ଋଣ ପରିଶୋଧ ନ ହେଲେ କ୍ଷତି ସହୁଛନ୍ତି ସରକାର । ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ । ଷ୍ଟାଣ୍ଡିଙ୍ଗ୍ କମିଟି ଉପରେ ଯଦି ବିଶ୍ୱାସ ନାହିଁ ଗୃହ କମିଟି ଗଠନ କରାଯାଇ ସବୁ ଦଳର ସଦସ୍ୟଙ୍କୁ ନେଇ ସ୍ପଟ ଭିଜିଟ କରିବାକୁ ନରସିଂହ ଦାବି କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଥିଲେ, ମାଛ ତେଲରେ ମାଛ ଭାଜୁଛନ୍ତି ସରକାର । ମିଶନ ଶକ୍ତି ବିଜେଡିର ପ୍ରଧାନ ଅସ୍ତ୍ର । ଏସ୍ଏଚ୍ଜିଙ୍କୁ ଯେଉଁ ଅର୍ଥ ଋଣ ଆକାରରେ ଦିଆଯାଉଛି, ଗାଇଡଲାଇନ୍ସ ଆଧାରରେ ତାହା ଖର୍ଚ୍ଚ ହେଉନି । ସେମାନେ ସାହୁକାର ସାଜି ମହାଜନୀ କାରବାର କରୁଛନ୍ତି । ଚାଷୀଙ୍କୁ ଋଣ ଦେଉଛନ୍ତି ଏସ୍ଏଚଜି । ବ୍ୟାପକ୍ ଲୁଟ୍ ଚାଲିଛି । ମହିଳାଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ଅନେକ ଯୋଜନା ।
ପୋଷଣ ୨.୦ରେ ୧୨,୯୨୦ କୋଟି ଟଙ୍କା ଦେଇଛନ୍ତି । ବେଟି ବଚାଓ ବେଟି ପଢ଼ାଓରେ ୩ ଶହରୁ ଊର୍ଦ୍ଧ୍ୱ, ସକ୍ଷମ ଅଙ୍ଗନୱାଡ଼ିରେ ୭୫୬ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ଏନ୍ଆର୍ଏଲ୍ଏମ୍, ଦିନ ଦୟାଲ ଯୋଜନାରେ ବି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏସ୍ଏସଚ୍ଜି ମହିଳାଙ୍କୁ ଶାସକ ଦଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କେବଳ ହୁଳହୁଳି ନିମନ୍ତେ ବ୍ୟବହାର କରୁଛନ୍ତି ବୋଲି କଟାକ୍ଷ କରିଥିଲାବେଳେ ବିଜେପି ବିଧାୟକ ମୁକେଶ୍ ମହାଳିଙ୍ଗ ଓ କୁସୁମ୍ ଟେଟେ ପ୍ରମୁଖ ଋଣର ଦୁରୂପଯୋଗ ହେଉଥିବା ଅଭିଯୋଗ କରିଥିଲେ । ଅପରପକ୍ଷରେ ଶାସକ ସଭ୍ୟ ଦେବୀ ପ୍ରସାଦ ମିଶ୍ର, ସୁନନ୍ଦା ଦାସ, ଲତିକା ପ୍ରଧାନ, ମିନାକ୍ଷୀ ମହନ୍ତ ପ୍ରମୁଖ ବିରୋଧୀଙ୍କ ଅଭିଯୋଗକୁ ପ୍ରତ୍ୟଖ୍ୟାନ କରି ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସଠିକ୍ ପଦକ୍ଷେପ ନେଉଥିବା ମତ ରଖିଥିଲେ।
ଆଲୋଚନାର ଉତ୍ତରରେ ମହିଳା, ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ, ୨୦୦୧ରେ ଆରମ୍ଭ ହୋଇଛି ମିଶନଶକ୍ତି । ମହିଳା ସଶକ୍ତୀକରଣ ସରକାରଙ୍କ ଲକ୍ଷ୍ୟ । ସରକାରଙ୍କ ବିଭିନ୍ନ ବିଭାଗରେ ୧ ଲକ୍ଷ ଏସ୍ଏଚ୍ଜି କାର୍ଯ୍ୟ କରୁଛନ୍ତି । ଚଳିତବର୍ଷ ୯ ହଜାର ୫୦୦ କୋଟି ଟଙ୍କା ଋଣ ଦିଆଯାଇଛି । ୩ ଲକ୍ଷ ଏସ୍ଏଚ୍ଜିଙ୍କୁ ୧୬୫ କୋଟି ଟଙ୍କା ଋଣ ଫେରସ୍ତ କରାଯାଇଛି । ପଞ୍ଚାୟତ, ବ୍ଲକ୍ ସ୍ତରରେ ମିଶନଶକ୍ତି ଗୃହ, ମହାସଂଘ କାର୍ଯ୍ୟାଳୟ, ମିଶନଶକ୍ତି ଭବନ ନିର୍ମାଣ କରାଯିବ । ମିଶନ ଶକ୍ତି ବଜାର ସହ ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ମାତ୍ର ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ ଗୃହଛାଡ଼ି ବାହାରକୁ ଚାଲିଯାଇଥିଲେ ।