ଜଗନ୍ନାଥପ୍ରସାଦ: ଜଗନ୍ନାଥପ୍ରସାଦ ବ୍ଲକ କଇଥ ସାହିର ରାଜୁ ପ୍ରଧାନଙ୍କ ବଡ ପୁଅ ଜୟଦେବ ପ୍ରଧାନ(୩୧)ଙ୍କ ତାମିଲନାଡୁ ସହରରେ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ତାମିଲନାଡୁରେ ରହୁଥିବା ଜଗନ୍ନାଥପ୍ରସାଦ ବ୍ଲକ କଇଥ ସାହିର ରାଜୁ ପ୍ରଧାନଙ୍କ ବଡ଼ ପୁଅ ଜୟଦେବ ପ୍ରଧାନଙ୍କ ୧୦ ତାରିଖ ସକାଳେ ଅସ୍ୱାଭାବିକ ଭାବେ ମୃତ୍ୟୁ ଘଟିଥିଲା । ସେ ଦୀର୍ଘ ଦିନ ହେବ ତାମିଲନାଡୁ ରାଜ୍ୟର ଇ-ରୋଡ ଜିଲ୍ଲା ପେରେନ୍ଦେରାଇ ସ୍ଥିତ ନନ୍ଧା ଇଞ୍ଜିନିୟରିଙ୍ଗ କଲେଜରେ ରହି ଶ୍ରମିକ ଭାବେ କାମ କରୁଥିଲେ ।
ଅନ୍ୟପଟେ ରୋଜଗାରିଆ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ପରିବାରବର୍ଗ । ସ୍ୱର୍ଗତ ଜୟଦେବଙ୍କ ପରିବାର କହିଲେ ବାପା ମାଆ ଏବଂ ତିନି ଭଉଣୀ ସହ ଦୁଇ ଭାଇ ଅଛନ୍ତି । ବାପା ରାଜୁ ପ୍ରଧାନ କିଛି ବର୍ଷ ହେବ ପାରାଲିସିସ୍ ରୋଗରେ ପୀଡିତ ଥିବାରୁ ଘରୁ ବାହାରକୁ ଯାଇ ପାରୁନାହାନ୍ତି । ଜୟଦେବଙ୍କ ମୁଣ୍ଡ ଉପରେ ଥିଲା ତିନି ଭଉଣୀଙ୍କ ବାହାଘର ଏବଂ ପରିବାର ଚିନ୍ତା । ତେଣୁ ସେ ବାହାର ରାଜ୍ୟରେ ରହି ଦାଦନ ଖାଟି ପରିବାର ଚଳାଇବା ସହିତ ବାପାଙ୍କ ଔଷଧ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ । ଗତକାଲି ରାତ୍ର ସମୟରେ ସାଙ୍ଗସାଥିଙ୍କ ସହ ଖାଇସାରି ଶୋଇଥିଲେ ଜୟଦେବ । ସାଙ୍ଗସାଥିଙ୍କ କହିବା ଅନୁଯାଇ ମଧ୍ୟରାତ୍ରରେ ପେଟ କାଟିବାରୁ ଜୟଦେବ ପାଇଖାନା ଯିବା ପରେ ଘରେ ଶୋଇଥିଲେ ।
ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଉଠିବାରୁ କାମକୁ ଯିବା ପାଇଁ ପାଖରେ ଥିବା ସାଙ୍ଗମାନେ ଜୟଦେବକୁ ଉଠାଇଥିଲେ । ସେ ନ ଉଠିବାରୁ ତୁରନ୍ତ ତାଙ୍କୁ ପାଖରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜୟଦେବଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଭାଇ ମିଶିକି ତାମିଲନାଡୁ ରାଜ୍ୟରେ ରହି ଶ୍ରମିକ ଭାବେ କାମ କରୁଥିଲେ ।
କିଛି ଦିନ ପୂର୍ବେ ସାନ ଭଉଣୀଙ୍କ ବାହାଘର ଥିବାରୁ ସାନ ଭାଇ ସନ୍ନ୍ୟାସୀ ଗ୍ରାମକୁ ଫେରିଥିଲେ । ଘରର ରୋଜଗାରିଆ ପୁଅ ଜୟଦେବଙ୍କ ମୃତ୍ୟୁ ପରେ ଆର୍ଥିକ ଅବସ୍ଥା ଭଲ ନଥିବା ଏହି ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଣୁ ମୃତ ଜୟଦେବଙ୍କ ପରିବାରକୁ ପ୍ରଶାସନିକ ସହାୟତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।