25.1 C
Bhubaneswar
Monday, October 21, 2024
Homeଓଡିଶାଶିକ୍ଷା ହିଁ ସଶକ୍ତୀକରଣ ପାଇଁ ବଳିଷ୍ଠ ଅସ୍ତ୍ର; ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଖର୍ଚ୍ଚହେବ...

ଶିକ୍ଷା ହିଁ ସଶକ୍ତୀକରଣ ପାଇଁ ବଳିଷ୍ଠ ଅସ୍ତ୍ର; ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଖର୍ଚ୍ଚହେବ ୮୧୧ କୋଟି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଶିକ୍ଷା ହିଁ ଏହି ଉପେକ୍ଷିତ ଲୋକମାନଙ୍କର ସଶକ୍ତୀକରଣ ପାଇଁ ବଳିଷ୍ଠ ଅସ୍ତ୍ର । ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ବିଭାଗ ମେଧାବୀ ଛାତ୍ରଛାତ୍ରୀ ବୃତ୍ତି, ଆବାସିକ ଛାତ୍ରାବାସ ନିର୍ମାଣ, ପଢ଼ିବା ଲେଖିବା ଶିକ୍ଷା ସାମଗ୍ରୀ, ଅନ୍‌ଲାଇନ୍ ଶିକ୍ଷାଦାନ ବ୍ୟବସ୍ଥା, ଜୀବିକାର୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮ ଶହ ୧୧ କୋଟି ଟଙ୍କା ବ୍ୟୟ କରାଯିବ । ୨୩ ଲକ୍ଷ (୬୦ ପ୍ରତିଶତ ଛାତ୍ରୀ ଓ ୪୦ ପ୍ରତିଶତ ଛାତ୍ର) ମେଧାବୀ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବେ । ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ୨ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କର ପୋଷଣ ବୃଦ୍ଧି କରାଯିବ । ପ୍ରାକ୍ ମାଟ୍ରିକ୍ ସ୍କଲାରସିପ୍ ଯୋଜନାରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦିବାଧ୍ୟାୟୀମାନଙ୍କ ଛାତ୍ରବୃତ୍ତି ବୃଦ୍ଧି କରାଯିବ । ବର୍ଷକୁ ୫୦୦ ଟଙ୍କା ଛାତ୍ରବୃତ୍ତି ମିଳିବ ।

ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ରକ୍ଷଣାବେକ୍ଷଣ ଭତ୍ତା ପ୍ରୋତ୍ସାହନ ବାର୍ଷିକ ଅତିରିକ୍ତ ଏକ ହଜାର ଟଙ୍କା ଅନ୍ତେବାସୀମାନଙ୍କ ପାଇଁ ଓ ୫୦୦ ଟଙ୍କା ଦିବାଧ୍ୟାୟୀମାନଙ୍କ ପାଇଁ ଖର୍ଚ୍ଚ ହେବ । ଅନ୍ୱେଷା କାର୍ଯ୍ୟକ୍ରମ ଅଧୀନରେ ୧୦୬ଟି ଅନ୍ୱେଷା ବିଦ୍ୟାଳୟ ଓ ୮୦ଟି ଛାତ୍ରାବାସ ମାଧ୍ୟମରେ ଛାତ୍ରାବାସ ଓ ଟ୍ୟୁସନ୍ ଫି ପ୍ରଦାନ କରାଯାଉଛି । ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି । ଏଥିରେ ୧୨୪ କୋଟି ଟଙ୍କା ବ୍ୟୟ କରାଯିବ । ରାଜ୍ୟର ସହରାଞ୍ଚଳରେ ଉଚ୍ଚଶିକ୍ଷା ପାଇଁ ପଢ଼ୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ‘ଆକାଂକ୍ଷା’ ଯୋଜନାରେ ୪ଟି ଛାତ୍ରାବାସ ନିର୍ମାଣ ବାବଦରେ ୪ କୋଟି ଟଙ୍କା ବ୍ୟୟ କରାଯିବ । ୪୨୨ଟି ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ଲର୍ଣ୍ଣିଂ ସେଣ୍ଟରରେ ଉନ୍ନୀତ କରାଯାଇ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଲୋକାର୍ପଣ କରାଯିବ । ୧୦୦ ଶଯ୍ୟାବିଶିଷ୍ଟ ୧୦୦ଟି ଓବିସି ହଷ୍ଟେଲ (ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ) ମଧ୍ୟରୁ ୬୬ଟି ଛାତ୍ରାବାସ ସଂପୂର୍ଣ୍ଣ ହୋଇସାରିଛି । ୩୪ଟି ହଷ୍ଟେଲ ନିର୍ମାଣାଧୀନ ଅଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।

ବିଭାଗୀୟ ସଚିବ ରୂପା ରୋଶନ ସାହୁ ପାୱାର ପଏଣ୍ଟ ଜରିଆରେ ସାମ୍ବାଦିକମାନଙ୍କୁ ବିଭାଗର ଚଳିତ ବର୍ଷର ରୋଡ୍‌ମ୍ୟାପ୍ ସମ୍ବନ୍ଧରେ ସୂଚନା ଦେଇଥିଲେ । ଚଳିତ ଆର୍ôଥକ ବର୍ଷଠାରୁ ଜନଜାତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଜୀବିକା ମିଶନ ନାମରେ ଅନନ୍ୟ ଜୀବିକା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ପର୍ଯ୍ୟାୟକ୍ରମେ ଏହି ମିଶନରେ ସାଢ଼େ ୧୪ ଲକ୍ଷ ପରିବାର ସାମିଲ ହେବେ । ପ୍ରଥମ ପର୍ଯ୍ୟାୟରେ କ୍ଲଷ୍ଟର ମାଧ୍ୟମରେ ୫୦୦ କୋଟି ଟଙ୍କା ବିନିଯୋଗ କରାଯାଇ ଦେଢ଼ଲକ୍ଷ ପରିବାରଙ୍କ ଜୀବିକା ବିକାଶ କାର୍ଯ୍ୟ ସମାହିତ ହେବ । ଏଥିରେ ଭିତ୍ତିଭୂମି ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦୦ ଶଯ୍ୟାବିଶିଷ୍ଟ ୨୩ଟି ହଷ୍ଟେଲ ନିର୍ମାଣ କରାଯାଉଛି । ୧୦୦ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ସ୍ଥାପନ କରାଯାଇ ସେମାନଙ୍କର ସ୍ୱତନ୍ତ୍ର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ କରାଯିବ । ଏହାଛଡ଼ା ଅଗ୍ରାଧିକାର ଭିତ୍ତିରେ ୧୦୦ଟି ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ କରାଯାଇ ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା କରାଯିବ । ଆଦିବାସୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ଓ ପ୍ରତ୍ୟେକ ଜନଜାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ନିମନ୍ତେ ସ୍ୱତନ୍ତ୍ର ବିକାଶ ପରିଷଦ ୨୦୧୭-୧୮ ମସିହାରେ ୯ଟି ଜନଜାତି ବହୁଳ ଜିଲ୍ଲାରେ ଗଠନ କରାଯାଇଥିଲା ।

ଆଦିବାସୀମାନଙ୍କ ପୂଜାସ୍ଥଳୀ, କ୍ଲବ୍ ଘର, ସାପ୍ତାହିକ ହାଟ, ବାଦ୍ୟଯନ୍ତ୍ର ଓ ନୃତ୍ୟ, ବେଶଭୂଷା ନିମନ୍ତେ ୨୮୧ କୋଟି ଟଙ୍କା ବିନିଯୋଗ କରାଯାଇଛି । ଚଳିତ ଆର୍ôଥକ ବର୍ଷରେ ଏଥି ନିମନ୍ତେ ୧୭୬ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି ବୋଲି ସଚିବ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ପ୍ରକାଶଯୋଗ୍ୟ ଯେ ୨୦୨୨-୨୩ ଶିକ୍ଷାବର୍ଷରେ ୯୯ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ମାଧ୍ୟମିକ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ସମଗ୍ର ରାଜ୍ୟ ଓ ବିଭାଗ ପାଇଁ ଗର୍ବ ଓ ଗୌରବର ବିଷୟ । ୨୦୨୩-୨୪ ବର୍ଷ ପାଇଁ ବିଭାଗର ମୋଟ ବଜେଟ ବ୍ୟୟ ୪୬୫୧.୨୭ କୋଟି ଟଙ୍କା ରହିଛି । ଏହି ସାମ୍ବାଦିକ ସମ୍ମଳନୀକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ ପରିଚାଳନା କରିଥିବାବେଳେ ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking