26.1 C
Bhubaneswar
Saturday, January 11, 2025
Homeଓଡିଶାଚିନ୍ମୟୀ ମୃତ୍ୟୁ ମାମଲା; ଭୁବନେଶ୍ୱରରେ ଛାନବିନ କଲା ବୁର୍ଲା ପୁଲିସ

ଚିନ୍ମୟୀ ମୃତ୍ୟୁ ମାମଲା; ଭୁବନେଶ୍ୱରରେ ଛାନବିନ କଲା ବୁର୍ଲା ପୁଲିସ

ଭୁବନେଶ୍ୱର: ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାର ତଦନ୍ତ ବୁର୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଛି । ବୁର୍ଲାର ଏକ ୫ ଜଣିଆ ପୁଲିସ ଟିମ୍ ଭୁବନେଶ୍ୱରରେ ପହଞ୍ôଚଛି । ଚିନ୍ମୟୀ ଭୁବନେଶ୍ୱର ବଡ଼ଗଡ଼ରେ ରହୁଥିବା ଭଡ଼ା ଘରେ ବୁର୍ଲା ପୁଲିସ ଟିମ୍ ଛାନଭିନ ଆରମ୍ଭ କରିଛି । ଘର ମାଲିକଙ୍କ ସହ ଅନ୍ୟମାନଙ୍କୁ ଚିନ୍ମୟୀଙ୍କ ସମ୍ପର୍କରେ ପଚରାଉଚରା କରାଯାଇଛି ।

ଯେପରିକି ସେ କେବେଠାରୁ ରହୁଥିଲେ, କେତେଦିନ ଧରି ରହିଥିଲେ, ତାଙ୍କ ସହ ଆଉ କିଏ ରହୁଥିଲେ, ଏଠାରେ ଚିନ୍ମୟୀ ରହିଲା ବେଳେ କାହା ସହ ତାଙ୍କର କିଛି ପାଟିତୁଣ୍ଡ ହୋଇଛି କି ନାହିଁ, ଏଭଳି ଆନେକ ପ୍ରଶ୍ନ କରାଯାଇଥିଲା । ଚିନ୍ମୟୀ ଭୁବନେଶ୍ୱରରେ ରହି ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ ହେଉଥିଲେ । ଏହି ଭଡ଼ା ଘରଟିକୁ ଚିନ୍ମୟୀଙ୍କର ଯୁବକ ବନ୍ଧୁ ପ୍ରୀତିମାନ ଦେ ଠିକ୍ କରିଦେଇଥିଲେ ବୋଲି ଜଣାପଡ଼ିଛି । ଏହି ଭଡ଼ାଘରଟି ପ୍ରୀତିମାନଙ୍କ ଘର ସାମ୍ନାରେ । ଏସମ୍ପର୍କରେ ପ୍ରୀତିମାନଙ୍କ ମା’ କହିଛନ୍ତି, ଚିନ୍ମୟୀ ବାରମ୍ବାର ପ୍ରୀତିମାନଙ୍କୁ ଘର ଖୋଜିବାକୁ କହୁଥିଲେ ।

ତେଣୁ ସେ ତାଙ୍କ ଘର ପାଖରେ ଏକ ଘର ଠିକ୍ କରିଦେଇଥିଲେ । ପ୍ରୀତିମାନ ଯାହାପାଖରେ ପିଲାବେଳୁ ପାଠ ପଢ଼ୁଥିଲେ ସେହି ମିସ୍‌ଙ୍କ ଘରେ ସେ ଚିନ୍ମୟୀଙ୍କୁ ରଖିଥିଲେ । ତାଙ୍କ ମା’ ଆହୁରି ମଧ୍ୟ କହିଛନ୍ତି, ପ୍ରୀତିମାନ ଜଣେ ଭଲ ପିଲା । ସେ କାହାରିକୁ ମାରି ପାରିବ ନାହିଁ । ପ୍ରୀତିମାନ ଓ ଚିନ୍ମୟୀ ଦୁୂହେଁ ଭଲ ସାଙ୍ଗ । ମିଶି କରି ପାଠ ପଢୁଥିଲେ । ଏକ ପୂଜାରେ ସେ ଦୁଇ ଥର ପ୍ରୀତିମାନଙ୍କ ଘରକୁ ଆସିଛନ୍ତି । ଗୋଟିଏ ପୁଅ ଏବଂ ଝିଅ ସାଙ୍ଗ ହେବା କିଛି ଭୁଲ କଥା ନୁହେଁ ।

ଅନ୍ୟପକ୍ଷରେ ପୁଲିସ ଆଉ ୨ଟି ଟିମ୍ ଗଠନ କରିଛି; ଯାହକୁ ତଦନ୍ତ ପାଇଁ ବଲାଙ୍ଗିର ଓ ସୋନପୁର ପଠାଯିବ । ସୂଚନାଯୋଗ୍ୟ ଗତକାଲି ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଛି । ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ସେପଟେ ତାଙ୍କ ମୃତ ଦେହ ଜବତ ହେଲା ବେଳେ ବେକରେ ଏକ ରଶି ବନ୍ଧା ଦାଗ ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ତେବେ ଦାଗ କ’ଣ, ଏହା କେମିତି ହେଲା ତାହାକୁ ନେଇ ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

ସେ ପିନ୍ଧିଥିବା ସୁନା ଚେନ୍ ତାଙ୍କ ବେକରେ ନ ଥିଲା । ଯଦି ସେ ଆତ୍ମହତ୍ୟା କରିଥାନ୍ତେ, ତେବେ ବେକରୁ ସୁନାଚେନ୍ କ’ଣ ପାଇଁ ଖୋଲିଥାନ୍ତେ ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି । ତେବେ କେହି ଚିନ୍ମୟୀଙ୍କୁ ହତ୍ୟା କରି ଥିବା ତାଙ୍କ ମା’ ଲବଙ୍ଗ ସାହୁ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ପ୍ରୀତିମାନଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେବଳ ବ୍ୟବଚ୍ଛେଦ ନୁହେଁ ପୁଲିସ ଏନେଇ ବିଭିନ୍ନ ପ୍ରକାର ପରୀକ୍ଷା କରିବ । ସମସ୍ତ ରିପୋର୍ଟ ମିଳିବା ପରେ ସେହି ଅନୁଯାୟୀ ତଦନ୍ତ ଆଗକୁ ବଢିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ଅନ୍ୟ ପକ୍ଷରେ ଚିନ୍ମୟୀ ମୃତ୍ୟୁକୁ ନେଇ ରାଜନୈତିକ ପ୍ରତିକ୍ରିୟା ତୀବ୍ର ହୋବରେ ଲାଗିଛି । ଏହି ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ବର୍ତ୍ତମାନ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ହେଲେ ଏହାକୁ ନେଇ ମୃତକଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ତଦନ୍ତ ଉପରେ ସନ୍ଦେହ କରୁଛନ୍ତି । ତେଣୁ ପୁଲିସର ତଦନ୍ତ ନିରପେକ୍ଷ ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର । ଏହାଛଡ଼ା ସେ ସମ୍ବଲପୁର ଏସ୍‌ପି ବତୁଲା ଗଙ୍ଗାଧରଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ତେବେ ତଦନ୍ତ ସଠିକ ଭାବେ ନ ହେଲେ ବିଧାନସଭାରେ ଏନେଇ ପ୍ରଶ୍ନ କରିବେ ବୋଲି କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି, ପୁଲିସ ପାଖରେ ଅଟକ ଥିବା ମୁଖ୍ୟ ସନ୍ଦିଗ୍ଧଙ୍କ ବାପା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଗିରଫ କରିନାହିଁ । ତେଣୁ ରାଜ୍ୟରେ ଆଇନ ସବୁବେଳେ ଅବାଟରେ ଯିବା ସହ ପ୍ରଭାବଶାଳୀ ଲୋକଙ୍କ ପ୍ରଭାବରେ ଦିଗହରା ହେଉଛି ବୋଲି କହିଛନ୍ତି ଜୟ ନାରାୟଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking