କଟକ : ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ଝାରସୁଗୁଡ଼ା ଜେଲରୁ ଆସି ଚୌଦ୍ୱାର ମଣ୍ଡଳ କାରାଗାରରେ ଆଜକୁ ୯ ଦିନ ହେବ ରହୁଥିବା ଅଭିଯୁକ୍ତ ଗୋପାଳ ଦାସଙ୍କୁ ତାଙ୍କ ବଡ଼ଭାଇ ଓ ପୁଅ ଆଜି ଭେଟ କରିଛନ୍ତି । ବଡ଼ଭାଇ ସତ୍ୟ ନାରାୟଣ ଦାସ ଓ ପୁଅ ମନୋଜ ଦାସ(୧୮) ଦିନ ୧୨ଟା ୧୫ ମିନିଟରେ ଜେଲର ମୁଲାକାତ ଗୃହରେ ତାଙ୍କୁ ସାକ୍ଷାତ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ଗୋପାଳଙ୍କୁ ହାଇ ସିକ୍ୟୁରିଟି ସେଲରୁ ଅଣାଯିବା ପରେ ୩ ଥାକିଆ ଗ୍ରୀଲ ଯୁକ୍ତ ମୁଲାକାତ ଗୃହର ଭିତର ପଟରୁ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ସେ ଭାଇ ଓ ପୁଅଙ୍କୁ ସାକ୍ଷାତ କରିଥିଲେ ।
ଜେଲ ତରଫରୁ ବ୍ୟବସ୍ଥା କରାଯାଇଥିବା ଇଣ୍ଟରକମ୍ ମେସିନ୍ ସାହାଯ୍ୟରେ ଗୋପାଳ ତାଙ୍କ ଭାଇ ଓ ପୁଅ ସହିତ ପ୍ରାୟ ୧୫ ମିନିଟ ଧରି କଥା ହୋଇଥିଲେ । ସାକ୍ଷାତ ସମୟରେ ଉଭୟ ଗୋପାଳ,ସତ୍ୟ ନାରାୟଣ ଓ ପୁଅ ମନୋଜ ଭାବପ୍ରବଣ ହୋଇ ପଡ଼ିଥିଲେ ବୋଲି ଜେଲ ସୁତ୍ରରୁ ପ୍ରକାଶ । ତେବେ ଭାଇ ସାଥିରେ ଆଣିଥିବା ଓକିଲାତନାମାରେ ଗୋପାଳଙ୍କ ଦସ୍ତଖତ ନେଇଥିବା ଜଣା ପଡ଼ିଛି । ଜେଲ ଭିତରେ ଗୋପାଳ ସର୍ବଦା ଶାନ୍ତ ରହୁଥିବା ଓ ଚିନ୍ତା ମଗ୍ନ ରହୁଛି । ପୂର୍ବରୁ ସେ ବେଶ୍ ହାଲକାଫୁଲକା ବ୍ୟବହାର କରୁଥିଲେ ବି ଏବେ ଅଧିକାଠଶ ସମୟ ଗମ୍ଭୀର ରହୁଥିବା ଜଣାପଡ଼ିଛି ।