ଭୁବନେଶ୍ୱର: ରାଜ୍ୟ ସରକାର ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା ପ୍ରକାଶିତ ଗତ ଫେବୃଆରୀ ୧୬ ତାରିଖର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମ୍ଏସ୍ଏମ୍ଇ ବିକାଶ ନୀତି ୨୦୧୬ରେ ସଂଶୋଧନ ଆଣିଛନ୍ତି । ତେବେ ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ତାଙ୍କ କାର୍ଯ୍ୟ ଆରମ୍ଭର ୬ ମାସରୁ ୧୨ ମାସ ମଧ୍ୟରେ ଉପରୋକ୍ତ ତିନୋଟି ନୀତି ଅଧୀନରେ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିବା ନିୟମ ରହିଥିଲା । ନିର୍ଦ୍ଧାରିତ ୬ରୁ ୧୨ ମାସ ଅବଧି ପରେ ଆବେଦନ ଜନିତ ବିଳମ୍ବ ପାଇଁ କ୍ଷମା କରିବାର କୌଣସି ପ୍ରାବଧାନ ନଥିବାରୁ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନକୁଡ଼ିକୁ ଖାରଜ କରି ଦିଆଯାଉଥିଲା ।
ବର୍ତ୍ତମାନ ଏହି ନୀତିରେ ସଂଶୋଧନ କରି ନିର୍ଦ୍ଧାରିତ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ୨ ବର୍ଷ ପରେ ମଧ୍ୟ କ୍ଷମା କରିବାର ସୁଯୋଗ ଦିଆଯାଇଛି । ଫଳରେ ପୂର୍ବରୁ ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନ ବିଳମ୍ବ ପାଇଁ ଖାରଜ କରାଯାଇଥିଲା ସେମାନଙ୍କ ଲାଗି ଶେଷ ସୁଯୋଗ ରହିଛି । ଥରକ ପାଇଁ କୋହଳ ନୀତି ଅବଲମ୍ବନ କରି ଏହି ସମୟ ଅବଧିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଫଳରେ ସେମାନେ ଏହି ଆର୍ôଥକ ପ୍ରୋତ୍ସାହନ ପାଇବା ପାଇଁ ନୂତନ ଭାବେ ଆବେଦନ କରି ପାରିବେ ।