18.1 C
Bhubaneswar
Tuesday, November 19, 2024
Homeଓଡିଶା+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

+୨ ପରୀକ୍ଷା ପରିଚାଳନା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ପରୀକ୍ଷା ଋତୁ । ଆଉ ୧୫ ଦିନ ପରେ ଆରମ୍ଭ ହେବ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା । କୋଭିଡ୍ ପରିସ୍ଥିତି ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଶତ ପ୍ରତିଶତ ସିଲାବସ୍‌ରେ ପରୀକ୍ଷା ହେବାକୁ ଯାଉଛି । ଖାଲି ସେତିକି ନୁହେଁ ପରୀକ୍ଷା ପଦ୍ଧତି ବି ରାଜ୍ୟ ବୋର୍ଡ ବଦଳାଇଛି । ମାର୍ଚ୍ଚ ୧ ରୁ ଏପ୍ରିଲ ୫ ଯାଏ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ଯୁକ୍ତ ଦୁଇରେ ପ୍ରାୟ ସାଢେ ତିନି ଲକ୍ଷ ପିଲା ପରୀକ୍ଷା ଦେବେ । ଚଳିତବର୍ଷ +୨ ଥିଓରି ପରୀକ୍ଷା ପାଇଁ ପରିବର୍ତ୍ତନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଦେବାକୁ ଥିବା ରେଗୁଲାର ତଥା ୨୦୨୧ରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ୩୦ ପୃଷ୍ଠାର ଉତ୍ତର ଖାତା ପ୍ରଦାନ କରାଯିବ ।

୨୦୨୦ ପୂର୍ବରୁ ପଞ୍ଜୀକରଣ କରିଥିବା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ୨୮ ପୃଷ୍ଠାର ଉତ୍ତର ଖାତା ଦିଆଯିବ । କୌଣସି ବି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ଉତ୍ତର ଖାତା ଦିଆଯିବ ନାହିଁ । ଥିଓରି ପରୀକ୍ଷା ଲାଗି ଉଦ୍ଦିଷ୍ଟ ଉତ୍ତର ଖାତାକୁ କୌଣସି ବି ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ପ୍ରାକ୍ଟିକାଲ ପରୀକ୍ଷାରେ ବ୍ୟବହାର କରିପାରିବେ ନାହିଁ । ଏନେଇ ପରିଷଦ ଅଧୀନ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ/ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ପରିଷଦ ପରୀକ୍ଷା ନିୟନ୍ତ୍ରକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏଥର ବି ଦୁଇଟି ପର୍ଯ୍ୟାୟରେ ପରିକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ପ୍ରଶ୍ନପତ୍ର ପଠାଯିବ । ହବ୍‌ରେ ସିସିଟିଭି ଲଗାଇବା ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି ।

ପ୍ରତି ହବ୍‌ରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହିବେ । ଇନ୍‌ଭିଜିଲେଟର, ଅବଜରଭର, ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ଦେଖି ଡେପୁଟି ସୁପରିଟେଣ୍ଡେଣ୍ଟ୍ ନିଯୁକ୍ତ ହେବେ । ୫୦୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ୍ ରହିବେ । ସେହିପରି ୫୦୧ରୁ ୧୦୦୦ ପରୀକ୍ଷାର୍ଥୀ ଥିଲେ ଦୁଇ ଜଣ, ୧୦୦୧ରୁ ୧୨୫୦ ପରୀକ୍ଷାର୍ଥୀଙ୍କ ଲାଗି ୩ଜଣ, ୧୨୫୧ରୁ ୧୫୦୦ ପରୀକ୍ଷାର୍ଥୀଙ୍କ ଲାଗି ୪ଜଣ, ୧୫୦୧ରୁ ୨୦୦୦ ପରୀକ୍ଷାର୍ଥୀଙ୍କ ପାଇଁ ୫ ଜଣ ଓ ୨୦୦୧ରୁ ଅଧିକ ପରୀକ୍ଷାର୍ଥୀ ଥିବା କେନ୍ଦ୍ରରେ ୬ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ୍ ନିଯୁକ୍ତ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking