ନୂଆଦିଲ୍ଲୀ: ଭାରତରେ ୨୦୨୨ରେ ଇଲେକ୍ଟ୍ରିକ୍ ଭେହିକଲ୍ (ବାହନ) ବିକ୍ରି ୧୦ ଲକ୍ଷରେ ପହଞ୍ଚିଛି । ଏହି ସଂଖ୍ୟା ୨୦୨୧ ତୁଳନାରେ ତିନିଗୁଣରୁ ଅଧିକ । ନିକଟରେ ପ୍ରକାଶିତ ଆର୍ଥିକ ସର୍ବେକ୍ଷଣରେ ଦେଶରେ ଇଲେକ୍ଟ୍ରିକ୍ ବାହନ ବିକ୍ରି ୨୦୩୦ ସୁଦ୍ଧା ଏକ କୋଟିକୁ ଟପିଯିବ ବୋଲି ସରକାର ଅନୁମାନ କରିଛନ୍ତି । ସେହିପରି ଏହା ସହିତ ଜଡ଼ିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସଂଖ୍ୟା ମଧ୍ୟ ପ୍ରାୟ ୫ କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛି । ଇଭି ଏବଂ ହାୟରିଂ ସେକ୍ଟର ସହିତ ଜଡ଼ିତ ବିଶେଷଜ୍ଞଙ୍କ ଅନୁସାରେ ଇଭି ସେକ୍ଟର ଦେଶରେ ନିଯୁକ୍ତି ପ୍ରଦାନ କରିବାର ଏକ ପ୍ରମୁଖ ସ୍ରୋତ ଭାବେ ଉଭା ହେବାକୁ ଯାଉଛି ।
୨୦୩୦ ସୁଦ୍ଧା ଦେଶରେ ମୋଟ ବାହନ ବିକ୍ରି ସଂଖ୍ୟାରେ ଇଭିର ଭାଗୀଦାରୀ ୩୦ ପ୍ରତିଶତ କରିବାକୁ ସରକାର ଉଦ୍ୟମ ଚଳାଇଛନ୍ତି । ବାହନ ସଂଖ୍ୟାରେ ବୃଦ୍ଧି ଫଳରେ ଅରିଜିନାଲ୍ ମାନୁଫାକ୍ଚର୍ ଏବଂ କମ୍ପୋନେଣ୍ଟ୍ କମ୍ପାନୀଙ୍କ ଏକ ବିଶାଳ ଇକୋସିଷ୍ଟମ୍ ନିର୍ମିତ ହେବ । ଏହା ସହିତ ସମ୍ପୃକ୍ତ କ୍ଷେତ୍ରଗୁଡ଼ିକରେ ମଧ୍ୟ ଲକ୍ଷାଧିକ ନୂଆ ଟେକ୍ନିସିଆନ୍ଙ୍କ ଆବଶ୍ୟକତା ଦେଖାଦେବ । ସଚୂନାଯୋଗ୍ୟ, ଭାରତରେ ୨୦୧୩ରେ ମାତ୍ର ୨,୬୯୩ ଇଲେକ୍ଟ୍ରିକ୍ ବାହନ ବିକ୍ରି ହୋଇଥିଲା । ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ୯,୯୯,୯୪୯ ହୋଇଛି । ଅର୍ଥାତ୍ ଏହି ଅବସରରେ ଇଭିର ବିକ୍ରି ବାର୍ଷିକ ୮୦.୭୧% ହାରରେ ବୃଦ୍ଧି ପାଇଛି ।