19.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶଏମ୍‌ସରେ ହେବ ଅବିବାହିତ ଛାତ୍ରୀଙ୍କ ପ୍ରସବ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଏମ୍‌ସରେ ହେବ ଅବିବାହିତ ଛାତ୍ରୀଙ୍କ ପ୍ରସବ, ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୯ ସପ୍ତାହରୁ ଅଧିକ ସମୟ ହୋଇଥିବା ଜଣେ ଅବିବାହିତ ଛାତ୍ରୀଙ୍କ ଗର୍ଭନଷ୍ଟ କରିବା ଆବେଦନ ଉପରେ ରାୟ ଶୁଣାଇଛନ୍ତି । ଏଥିପାଇଁ ଗୁରୁବାର ପ୍ରଧାନ ବିଚାରପତି ନିଜ ଚାମ୍ବରରେ ଅନ୍ୟ ବିଚାରପତିମାନଙ୍କ ସହ ୪୦ ମିନିଟ୍ ଧରି ଆଲୋଚନା କରିଥିଲେ । ପରେ ଏମ୍ସର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଛାତ୍ରୀଙ୍କ ପ୍ରସବ (ଡେଲିଭରୀ) କରିବା ଲାଗି ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଜନ୍ମ ପରେ ଶିଶୁଟିକୁ ଗ୍ରହଣ କରିବାକୁ ଚାହୁଁଥିବା କୌଣସି ଏକ ପରିବାରକୁ ଦେଇଦିଆଯିବ । ତେବେ ଏହି ସମସ୍ତ ପ୍ରକ୍ରିୟାକୁ ଗୋପନ ରଖାଯିବ । ସେପଟେ ଛାତ୍ରୀ ଜଣକ ମଧ୍ୟ ଶିଶୁଟିକୁ ଜନ୍ମଦେବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।

ପ୍ରକୃତରେ ୨୦ ବର୍ଷୀୟା ଏହି ଇଞ୍ଜିନିୟରିଂ ଛାତ୍ରୀ ନିଜର ୨୯ ସପ୍ତାହ ଗର୍ଭକୁ ନଷ୍ଟ କରିବା ଲାଗି ଅନୁମତି ଦେବା ସକାଶେ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରିଥିଲେ । ସେଥିରେ ଦର୍ଶାଇଥିଲେ କି ସେ ଗର୍ଭବତୀ ହୋଇଥିବା ନେଇ ପ୍ରାୟ ୭ ମାସ ପରେ ଜାଣିବାକୁ ପାଇଲେ । ସେ ଅବିବାହିତ । ତେଣୁ ତାଙ୍କ ଶିଶୁକୁ ପରିବାର ଲୋକେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ସୁପ୍ରିମକୋର୍ଟ ଏହି ମାମଲା ଉପରେ ଏମ୍ସ ଡାକ୍ତରଙ୍କ ପରାମର୍ଶ ମାଗିଥିଲେ । ଡାକ୍ତରମାନେ ଦର୍ଶାଇଥିଲେ କି ୨୯ ସପ୍ତାହରୁ ଅଧିକ ସମୟ ଗର୍ଭଧାରଣ ହୋଇସାରିଲାଣି । ଏଭଳି ସ୍ଥିତିରେ ଗର୍ଭନଷ୍ଟ କରିବା ବେଆଇନ ତଥା ଅସୁରକ୍ଷିତ । ମାମଲାର ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱାର‌୍ୟ୍ୟା ଭଟି ଭାବପ୍ରବଣ ହୋଇଯାଇଥିଲେ । କୋର୍ଟରେ ଦର୍ଶାଇଥିଲେ କି ସେ ନିଜେ ଶିଶୁଟିକୁ କୋଳେଇ ନେବାକୁ ଚାହାନ୍ତି । ତେଣୁ ଶିଶୁଟିକୁ ହତ୍ୟା (ନଷ୍ଟ) କରିବା ଉପରେ ନିଷ୍ପତ୍ତି ନିଆ ନଯାଉ । କୋର୍ଟଙ୍କ ଆଦେଶ ଅନୁସାରେ ଐଶ୍ୱର‌୍ୟ୍ୟା ନିୟମିତ ଭାବେ ଛାତ୍ରୀଙ୍କ ସହିତ ଯୋଗାଯୋଗରେ ରହିଛନ୍ତି ।

ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ଅନ୍ୟ ବିଚାରପତି ଓ ମାମଲା ସହ ଜଡିତ ଲୋକମାନଙ୍କୁ ଗୁରୁବାର ପୂର୍ବାହ୍ନ ୧୧ଟାରେ ନିଜ ଚାମ୍ବରକୁ ଡାକିଥିଲେ । ସେଠାରେ ବିସ୍ତୃତ ଆଲୋଚନା ହୋଇଥିଲା । ବେଞ୍ଚରେ ସାମିଲ ୩ଜଣ ବିଚାରପତି ଗର୍ଭନଷ୍ଟ କରିବା ସପକ୍ଷରେ ଥିଲେ । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଥିଲେ କି ସେ ମଧ୍ୟ ଶିଶୁଟିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହାନ୍ତି ଏବଂ ଅନାଥ ଶିଶୁର ଦାୟିତ୍ୱ ନେବା ସମସ୍ତଙ୍କର ରହିଛି । ସେ କହିଥିଲେ କି ଛାତ୍ରୀଙ୍କ ଠାରୁ ଜନ୍ମିତ ଶିଶୁକୁ ଏକ ଦମ୍ପତି ପୋଷ୍ୟ କରିନେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯିବ । ଏହା ପରେ ୩ ଜଣିଆ ଖଣ୍ଡପୀଠ ଏମ୍ସ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିଶୁଜନ୍ମ କରାଇବା ଲାଗି ରାୟ ଶୁଣାଇଥିଲେ । ଶିଶୁଟି ଜନ୍ମ ହେବା ପରେ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଦସ୍ତାବିଜ ଆଧାରରେ ଉକ୍ତ ଦମ୍ପତିକୁ ପ୍ରଦାନ କରାଯିବ । ଛାତ୍ରୀଙ୍କର ବର୍ତ୍ତମାନ ପରୀକ୍ଷା ଚାଲିଛି । ସେ ମଧ୍ୟ ଶିଶୁଟିକୁ ଜନ୍ମଦେବା ଲାଗି ରାଜି ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking