ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପ୍ରେ ଗୁରୁବାର ଇଂଲଣ୍ଡ ପୁଲ୍-ଡି’ରେ ଶୀର୍ଷ ସ୍ଥାନ ଦଖଲ କରି ସିଧାସଳଖ କ୍ୱାର୍ଟର୍ ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ଅର୍ଜନ କରିଛି । ଦଳ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ସ୍ପେନ୍କୁ ଭେଟିଥିବା ବେଳେ ଏଥିରେ ୪-୦ରେ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ପରାଜୟ ବରଣ କରି ସ୍ପେନ୍ ତୃତୀୟ ସ୍ଥାନରେ ରହିବା ସହ ଏହି ପୁଲ୍ରୁ ଅନ୍ୟତମ ଦଳ ଭାବେ କ୍ରସଓଭର୍କୁ ଉନ୍ନୀତ ହୋଇଛି ।
ମ୍ୟାଚ୍ର ପ୍ରଥମ କ୍ୱାର୍ଟର୍ରେ ଦଶମ ମିନିଟ୍ରେ ଇଂଲଣ୍ଡ ପ୍ରଥମ ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିଲା । ଏହାକୁ ଗୋଲ୍ରେ ପରିଣତ କରି ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ ଫିଲ୍ ରୋପର୍ । ଚତୁର୍ଦ୍ଦଶ ମିନିଟ୍ରେ ସ୍ପେନ୍ ତା’ର ପ୍ରଥମ ପେନାଲ୍ଟି କର୍ଣ୍ଣର୍ ପାଇଥିଲେ ମଧ୍ୟ ଏହାର ଫାଇଦା ନେବାରେ ସକ୍ଷମ ହୋଇ ନ ଥିଲା । ତେଣୁ ପ୍ରଥମ ୧୫ ମିନିଟ୍ର ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ୧-୦ରେ ଆଗୁଆ ଥିଲା । ଦ୍ୱିତୀୟ କ୍ୱାର୍ଟର୍ରେ ମ୍ୟାଚ୍ର ଷୋଡ଼ଶ ମିନିଟ୍ରେ ସ୍ପେନ୍ ରେଫରାଲ୍ ମାଧ୍ୟମରେ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିଲା । କିନ୍ତୁ ଏହା ସତ୍ତ୍ୱେ ବି ଦଳ ପଛୁଆ ରହିଥିଲା । ବରଂ ୨୧ତମ ମିନିଟ୍ରେ ଇଂଲଣ୍ଡର ଡେଭିଡ୍ କୋଣ୍ଡନ୍ ଦଳ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ ।
୨୪ତମ ମିନିଟ୍ରେ ଇଂଲଣ୍ଡ ଗୋଲ୍କିପର୍ ଓଲିଭର୍ ପେନ୍ ଚମତ୍କାର ଢଙ୍ଗରେ ବଲ୍କୁ ରୋକିଥିଲେ । ୨୭ତମ ମିନିଟ୍ରେ ନିକୋଲାସ୍ ବାନ୍ଦୁରାକ୍ ଶଟ୍କୁ ସ୍ପେନ୍ ଗୋଲ୍କିପର୍ ଆଡ୍ରିଆନ୍ ରଫି ରୋକିବା ଫଳରେ ଦଳ ଉପରୁ ବିପଦ ଟଳିଥିଲା । ଦ୍ୱିତୀୟ କ୍ୱାର୍ଟର୍ ଶେଷ ସୁଦ୍ଧା ଇଂଲଣ୍ଡ ତା’ର ଅଗ୍ରଣୀକୁ ବଜାୟ ରଖିଥିବା ବେଳେ ତୃତୀୟ କ୍ୱାର୍ଟର୍ଟି ଗୋଲ୍ଶୂନ୍ୟ ରହିଥିଲା । ତୃତୀୟ କ୍ୱାର୍ଟର୍ରେ ମ୍ୟାଚ୍ର ୩୯ତମ ମିନିଟ୍ରେ ସ୍ପେନ୍ ତା’ର ତୃତୀୟ ପେନାଲ୍ଟି କର୍ଣ୍ଣର୍ ପାଇଥିଲା । କିନ୍ତୁ ଦଳର ଡ୍ରାଗ୍ଫ୍ଲିକର୍ମାନେ ଏହାର ମଧ୍ୟ କୌଣସି ଫାଇଦା ନେଇପାରି ନ ଥିଲେ । ଏହାର କେଇ ସେକେଣ୍ଡ୍ ପରେ ଅଧିନାୟକ ମାର୍କ ମିରାଲେସ୍ଙ୍କ ଶଟ୍ ଇଂଲଣ୍ଡ ଗୋଲ୍ପୋଷ୍ଟ୍ ବାହାର ଦେଇ ଚାଲିଯାଇଥିଲା ।
ତେବେ ଅନ୍ତିମ କ୍ୱାର୍ଟର୍ଟି ବେଶ୍ ଘଟଣାବହୁଳ ଥିଲା । ମ୍ୟାଚ୍ର ୪୬ତମ ମିନିଟ୍ରେ ଇଂଲଣ୍ଡକୁ ଦ୍ୱିତୀୟ ପେନାଲ୍ଟି କର୍ଣ୍ଣର୍ ମିଳିଥିଲା । କିନ୍ତୁ ସାମ୍ ୱାର୍ଡଙ୍କ ଶଟ୍କୁ ସ୍ପେନ୍ ଗୋଲ୍କିପର୍ ମାରିଓ ଗାରିନ୍ ରୋକିଦେଇଥିଲେ । ୪୯ତମ ମିନିଟ୍ରେ ସ୍ପେନ୍ ପାଇଁ ଗେରାର୍ଡ କ୍ଲେପ୍ସ ଏକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାଙ୍କୁ ସାଥୀ ଖେଳାଳିଙ୍କ ସହଯୋଗ ମିଳି ନଥିଲା । ଅଧିକନ୍ତୁ ୫୧ତମ ମିନିଟ୍ରେ ଇଂଲଣ୍ଡ ତୃତୀୟ ଗୋଲ୍ ଦେଇଥିଲା । ଦଳ ପକ୍ଷରୁ ଏହି ଗୋଲ୍ଟି ସ୍କୋର୍ କରିଥିଲେ ବାନ୍ଦୁରାକ୍ । ୫୨ତମ ମିନିଟ୍ରେ ଇଂଲଣ୍ଡକୁ ତୃତୀୟ ପେନାଲ୍ଟି କର୍ଣ୍ଣର୍ ଅମ୍ପାୟାର୍ ଦେଇଥିଲେ ମଧ୍ୟ ସ୍ପେନୀୟ ଖେଳାଳିଙ୍କ ରେଫରାଲ୍ ଏହାକୁ ଖାରଜ କରିଥିଲା । ବରଂ ସ୍ପେନୀୟ ଖେଳାଳି ମାର୍କ ଭିଜକାଇନୋଙ୍କୁ ଅମ୍ପାୟାର୍ ଗ୍ରୀନ୍ କାର୍ଡ ଦେଖାଇଥିଲେ । ତେଣୁ ତାଙ୍କୁ ଦୁଇ ମିନିଟ୍ ପାଇଁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା । ଇଂଲଣ୍ଡ ଦଳ ଏହାର ତୁରନ୍ତ ଫାଇଦା ଉଠାଇ ଚତୁର୍ଥ ଗୋଲ୍ ଦେଇଥିଲା । ଲିଆମ୍ ଆନ୍ସେଲ୍ ଏହି ଗୋଲ୍ଟି ସ୍କୋର୍ କରିଥିଲେ । ଇଂଲଣ୍ଡର ରୋପର୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ତାଙ୍କୁ ଟାଟା ଷ୍ଟିଲ୍, ଓଡ଼ିଶାର ଉପସଭାପତି ଚାଣକ୍ୟ ଚୌଧୁରୀ ପୁରସ୍କୃତ କରିଥିଲେ ।