କଟକ : ଭୋଜିଭାତ ଖାଇ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମହାଜନପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଗ୍ରାମର ୩୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ଏବେ ସେମାନଙ୍କୁ କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଜଣ ଶିଶୁ ଥିବା ଜଣାପଡିଛ। ଚିକିତ୍ସିତ ସମ୍ପର୍କୀୟମାନଙ୍କ ସୂଚନା ମୁତାବକ ଗତକାଲି ରାତିରେ ଗ୍ରାମରେ ଜଣଙ୍କର ଏକା ଦଶାହ ନିମନ୍ତେ ଭୋଜିଭାତ ହୋଇଥିଲା। ଗ୍ରାମର ଲୋକମାନେ ଭୋଜିଭାତ ଖାଇଥିଲେ। ହେଲେ ଆଜି କିଛି ଲୋକଙ୍କର ଝାଡ଼ା, ବାନ୍ତି, ଜ୍ଵର ସହ ମୁଣ୍ଡ ବୁଲାଇ ଥିଲା। ଏଥିସହ ସେହି ଗ୍ରାମର ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କର ବିଦ୍ୟାଳୟରେ ଝାଡ଼ାବାନ୍ତି ଓ ଜ୍ଵର ହେବାରୁ ଅଭିଭାବକମାନେ ସଙ୍ଗେସଙ୍ଗେ ସେମାନଙ୍କୁ ଘରକୁ ନେଇ ଆସିଥିଲେ।
ହେଲେ ପିଲାମାନଙ୍କର ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ନ ହେବାରୁ ସେମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। କୁହାଯାଉଛି ସେହି ଗ୍ରାମର କିଛି ଲୋକ ପଦ୍ମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ କେତେକ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଅପରପକ୍ଷେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଅଭଜିତ ସାହୁ(୭), ଆଦ୍ୟଶା କୁଣ୍ଡୁ ( ୭), ଭାନୁ ପ୍ରିୟା କୁଣ୍ଡୁ ( ୩୧), ବାବୁନି ବେହେରା ( ୩୪), ଲକ୍ଷ୍ମୀଧର କୁଣ୍ଡୁ ( ୧୧), ଏଚ୍ କେ ଦାସ(୩୧), ସରୋଜ ଗୁଇଁ (୭), ଶକ୍ତି ପ୍ରସାଦ ଦତ୍ତ (୯), ସବ୍ର ପ୍ରସାଦ ଦତ୍ତ( ୯), ଜଗବନ୍ଧୁ ବେହେରା( ୧୩), ସୂର୍ଯ୍ୟକାନ୍ତ ବେହେରା(୨୨)ଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଚିକିତ୍ସିତ ହେଉଛନ୍ତି। ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଙ୍କଜ ତ୍ରିପାଠୀଙ୍କ ସୂଚନା ମୁତାବକ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।