ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଶାଶୁ-ବୋହୂ ସମ୍ମିଳନୀ କରାଯିବ । ଓଡ଼ିଶାରେ ପରିବାର ନିୟୋଜନ ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟ ସରକାର ଏହି ସମ୍ମିଳନୀ ଆୟୋଜନ କରିବେ । ଏହି ସମ୍ମିଳନୀ ବର୍ଷକୁ ଦୁଇଥର ହେବ । ଏହି ସମ୍ମିଳନୀ ଆୟୋଜନ କରିବା ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ ହୋଇଛି । ସମ୍ମିଳନୀରେ ଶାଶୁ ଏବଂ ବୋହୂମାନଙ୍କୁ ପରିବାର ନିୟୋଜନ ସଂକ୍ରାନ୍ତରେ ସଚେତନ କରାଯିବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
ସୂଚନାନୁସାରେ, ପ୍ରଥମ ପର୍ଯ୍ୟାରେ ଚଳିତମାସ ଶେଷ ଆଡ଼କୁ ଏହି ଶାଶୁ-ବୋହୂ ସମ୍ମିଳନୀର ଆୟୋଜନ କରାଯିବ । ଏହି ସମ୍ମିଳନୀରେ ନୂଆ ବିବାହିତା ମହିଳା, ଗର୍ଭବତୀ ମହିଳା, ପରିବାର ନିୟୋଜନ ଶୈଳୀ ଆପଣାଇ ପିଲା ଜନ୍ମ କରୁଥିବା ମହିଳାମାନେ ଯୋଗଦେବେ । ନୂଆ ବିବାହିତା ମହିଳାଙ୍କୁ ବିବାହ ଉପହାର ଭାବେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ୨୦୧୭ ମସିହାର ସମ୍ମିଳନୀ ଢାଞ୍ଚାରେ ଏହି ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । ଜନସଂଖ୍ୟା ସ୍ଥିରତା ଆଣିବା ପାଇଁ ଦୁଇଟି ପିଲା ଜନ୍ମର ଅବଧି ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ମହିଳାମାନଙ୍କୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯିବ । କେନ୍ଦ୍ର ସରକାର ୨୦୧୭ରେ ଦେଶର ୧୪୬ଟି ଜିଲାରେ ଜନ୍ମହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ମିଶନ ପରିବାର ବିକାଶ କାର୍ଯ୍ୟକ୍ରମ କରିଥିଲେ । ଓଡ଼ିଶାରେ ଜନ୍ମହାର ଜାତୀୟ ହାରରୁ କମ୍ ରହିଥିଲେ ମଧ୍ୟ ଆଧୁନିକ ଗର୍ଭନିରୋଧକ ଶୈଳୀର ଉପଯୋଗ, ଅବାଞ୍ôଚତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସିପାରିନି ।
ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ଏହି ଶାଶୁ-ବୋହୂ ସମ୍ମିଳନୀ ଦ୍ୱାରା ଶାଶୁ ଓ ବୋହୂଙ୍କ ମଧ୍ୟରେ ଭାବଗତ ଆଦାନ ପ୍ରଦାନରେ ସୁଧାର ଆସିବ ଏବଂ ପରିବାର ନିୟୋଜନରେ ଫଳପ୍ରଦ ହେବ । ମହିଳାମାନଙ୍କର ଏହି ସମାବେଶ ଦ୍ୱାରା ଶାଶୁ ଓ ବୋହୂଙ୍କୁ ଗୋଟିଏ ପ୍ଲାଟଫର୍ମ ମିଳିବ; ଯେଉଁଠି ମହିଳା ସଦସ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇପାରିବେ । ଏହି କାର୍ଯ୍ୟକ୍ରମକୁ ଅଧିକ ରୁଚିପୂର୍ଣ୍ଣ ଢଙ୍ଗରେ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି । ସୂଚନାଯୋଗ୍ୟ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନ୍ଏଫ୍ଏଚ୍ଏସ୍-୫) ଅନୁସାରେ ଓଡ଼ିଶାରେ ଗର୍ଭନିରୋଧକ ଶୈଳୀ ଭାବେ ବଟିକା ଉପଯୋଗ ୧୨%ରୁ ୧୦.୮ ପ୍ରତିଶତକୁ ହ୍ରାସ ପାଇଛି । ଯଦିଓ କଣ୍ଡୋମ ଉପଯୋଗ ୩.୪%ରୁ ୫.୫%କୁ ବୃଦ୍ଧି ପାଇଛି । ରାଜ୍ୟରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ସରକାରୀ ଭାବେ କଣ୍ଡୋମ ଯୋଗାଣ ହାର ହ୍ରାସ ପାଇଛି ।