ଶ୍ରୀନଗର : ଜମ୍ମୁ-କଶ୍ମୀରର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୋନ୍ମାର୍ଗରେ ଶନିବାର ସନ୍ଧ୍ୟାରେ ପୁଣି ହିମସ୍ଖଳନ ଘଟିଛି । ବିଗତ ଦୁଇଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଭିଡିଓ ଅନୁଯାୟୀ ସୋନ୍ମାର୍ଗର ସର୍ବଲ ଗ୍ରାମରେ ବିରାଟକାୟ ବରଫ ଖଣ୍ଡ ଖସୁଥିବା ଲକ୍ଷ୍ୟ କରାଯାଇଛି । ତେବେ ଏଥିଯୋଗୁଁ କେହି ମୃତାହତ ହୋଇନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉକ୍ତ ଗ୍ରାମରେ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍ ପକ୍ଷରୁ ଟନେଲ ନିର୍ମାଣ କରାଯାଉଛି । ତେବେ ହିମସ୍ଖଳନ ପରେ ଉକ୍ତ ଟନେଲରେ କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଗୁରୁବାର ସୋନମାର୍ଗରେ ହିମସ୍ଖଳନ ଯୋଗୁଁ ଦୁଇଜଣ ଶ୍ରମିକ ପ୍ରାଣ ହରାଇଥିଲେ । ଅପରପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୁପୱାଡା ଓ ବାନ୍ଦିପୋରା ଜିଲ୍ଲାରେ ହିମସ୍ଖଳନ ଘଟିବାର ଆଶଙ୍କା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ବାନ୍ଦିପୋରା, ବାରମୁଳା, ଡୋଡା, କିସ୍ତୱାଡ୍, ଗାନ୍ଦେରବାଲ, ପୁଞ୍ଚ୍, ରମ୍ବାନ ଓ ରିଆସି ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଗତ ୪୮ ଘଣ୍ଟାରେ କଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ତୁଷାରପାତ ହୋଇଥିବା ଜଣାପଡିଛି ।