ସିଡ୍ନୀ : ଅଷ୍ଟ୍ରେଲିଆ ମହିଳା ଦଳର ପୂର୍ବତନ ଅଧିନାୟିକା ବେଲିଣ୍ଡା କ୍ଲାର୍କଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଏଥିସହ ଏ କ୍ଷେତ୍ରରେ ବେଲିଣ୍ଡା ପ୍ରଥମ ମହିଳା କ୍ରିକେଟର୍ ହୋଇପାରିଛନ୍ତି । ଏଠାକାର ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡ୍ ବାହାରେ ତାଙ୍କର ଏକ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିବା ବେଳେ ଏହି ଉନ୍ମୋଚନ ଉତ୍ସବରେ ବେଲିଣ୍ଡା ଯୋଗଦେଇଥିଲେ । ତାଙ୍କ ପ୍ରତିମୂର୍ତ୍ତି ଅଷ୍ଟ୍ରେଲିଆର ଦୁଇ ଜଣ କିମ୍ବଦନ୍ତୀ କ୍ରିକେଟର୍ ରିଚି ବେନଉଡ୍ ଓ ଷ୍ଟିଭ୍ ୱ’ଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ଥାପିତ ହୋଇଛି । ବେଲିଣ୍ଡା ୧୨ ବର୍ଷ ଧରି ଅଷ୍ଟ୍ରେଲିଆ ଦଳର ଅଧିନାୟିକା ଦାୟିତ୍ୱ ତୁଲାଇବା ପରେ ଗତ ୨୦୦୫ରେ ଅବସର ନେଇଥିଲେ । ଅଧିନାୟିକା ଭାବେ ସେ ୧୯୯୭ ଓ ୨୦୦୫ରେ ଅଷ୍ଟ୍ରେଲିଆକୁ ବିଶ୍ୱକପ୍ ଚାମ୍ପିଅନ୍ ମଧ୍ୟ କରାଇଥିଲେ । ୧୧୮ ମ୍ୟାଚ୍ ଖେଳି ବେଲିଣ୍ଡା ଅଷ୍ଟ୍ରେଲୀୟ ମହିଳା ଭାବେ ସର୍ବାଧିକ ୪୮୪୪ ରନ୍ କରିଥିଲେ ।