ଭବାନୀପାଟଣା : ପୁଣି ଭାରରେ ବୁହା ହେଲେ ଗର୍ଭବତୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତା ଅଭାବ ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ ।ଖଲଖମା ରାସ୍ତା ଦେଇ ଖଟିଆରେ ଗର୍ଭବତୀଙ୍କୁ ନେଇ ସମ୍ପର୍କୀୟ ଯାଇଥିଲେ ବ୍ଲକ ମୁଖ୍ୟାଳୟ ଠାରୁ ୨୫ କିଲୋମିଟର ଦୂରରେ ଥିବା ଖମନପଡା ଗାଁ।
ସୂଚନାନୁଯାୟୀ, ସେହି ଗାଁର ଦ୍ରୌପଦୀ ଗୌଡ଼ଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଆଉ ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା । କିନ୍ତୁ ଗାଁକୁ ରାସ୍ତା ଓ ନଦୀରେ ପୋଲ ନଥିବା କାରଣରୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ପରେ ପରିବାର ଓ ଗ୍ରାମବାସୀ ମିଶି ତାଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ ନଦୀ ପାରି କରାଇ ଗାଁରୁ ୫ କିଲୋମିଟର ଡେର୍ଲାଗାଁ ପର୍ୟ୍ୟନ୍ତ ବୋହି ଆଣିବା ପରେ ଆମ୍ବୁଲାନ୍ସରେ ଦ୍ରୌପଦୀଙ୍କୁ ନେଇ ଥୁଆମୂଳ ରାମପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଖମାନପଡା ଗାଁକୁ ସବୁଦିନିଆ ରାସ୍ତା ନଥିବା ରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ନ ମିଳିବା ଅଭିଯୋଗ କରିବା ସହ ଗ୍ରାମବାସୀ ନଦୀରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି ।