ଭୁବନେଶ୍ୱର: ପଦ୍ମପୁରରେ ବିଜେପି ଏବଂ କଂଗ୍ରେସକୁ ମାତ୍ ଦେଇ ବିରାଟ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ଏହାପରେ ବିଜେଡି ଶିବିରରେ ଚାଲିଛି ଶଙ୍ଖନାଦ ଏବଂ ସେଲିବ୍ରେସନ । ସେପଟେ ବିଜେପି ଏବଂ କଂଗ୍ରେସ ଶିବିରରେ ନୀରବତା ଖେଳିଯାଇଛି । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁରରେ ଲୋକମାନଙ୍କ ନିଷ୍ପତ୍ତି ଏବଂ ଜନାଦେଶକୁ ସେ ସ୍ୱୀକାର କରିଛନ୍ତି ।
ପଦ୍ମପୁରରେ ଯାହା ଭାବିଥିଲୁ, ତାହାର ବିପରୀତ ପରିଣାମ ମିଳିଛି । ତେବେ ଏହା ଜନତାଙ୍କ ନିଷ୍ପତ୍ତି ଏବଂ ଆମେ ଏହାକୁ ସ୍ୱୀକାର କରୁଛୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ଆସନ୍ତା ୨୦୨୪ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ କି ନାହିଁ ବୋଲି ପ୍ରଶ୍ନର ମଧ୍ୟ ସେ ଉତ୍ତର ରଖିଛନ୍ତି । ଧର୍ମେନ୍ଦ୍ରଙ୍କ କହିବା ଅନୁସାରେ, ଏଠାରେ ଆଗୁଆ ନିର୍ବାଚନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।