ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସାଇବର କ୍ରାଇମକୁ ନେଇ ଚିନ୍ତାରେ ପଡିଛି କମିଶନରେଟ ପୋଲିସ । ତେଣୁ ଏହାକୁ ସମୂଳେ ନାଶ କରିବା ପାଇଁ ନେଇଛି ଏକ ବଡ ପଦକ୍ଷେପ । ଟ୍ୱି ସିଟିର ବିଭିନ୍ନ ସ୍କୁଲରେ ଏଣିକି ଦିଆଯିବ ସାଇବର ଟ୍ରେନିଙ୍ଗ । ସାଇବର କ୍ରାଇମ ଏବଂ ଏହା ସମ୍ପର୍କରେ ସଚେତନତା କରାଇବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରୁଛି କମିଶନରେଟ ପୋଲିସ ।
ଟ୍ୱିନ ସିଟିର ମୋଟ ୧୦୦ଟି ସ୍କୁଲକୁ ଏହି ଟ୍ରେନିଙ୍ଗ ପାଇଁ ଚୟନ କରିଛି ପୋଲିସ ଡିପାର୍ଟମେଣ୍ଟ । ଏହି ସ୍କୁଲର ଛାତ୍ରଛତ୍ରୀମାନଙ୍କୁ ସାଇବର କ୍ରାଇମ ସମ୍ବନ୍ଧୀୟ ଟ୍ରେନିଙ୍ଗ ଦେବା ପାଇଁ ଶିବିର ଆୟୋଜନ କରିବ କମିଶନରେଟ ପୋଲିସ । ତେବେ କିଛି ସ୍କୁଲରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ସୂଚନା ମିଳିଥିବା ବେଳେ ଆସନ୍ତା ମାସ(ଜାନୁୟାରୀ) ପହିଲାରୁ ଏହି ଶିକ୍ଷା ପ୍ରଦାନ କରାଯିବ । ଗତ ୫ ତାରିଖରେ ରାଜଧାନୀର ଉପକଣ୍ଠରେ ଥିବା ବିକାଶ ରେସିଡେନ୍ସିଆଲ ଇନଷ୍ଟିଚ୍ୟୁଟରେ ପୋଲିସ ତରଫରୁ ଏହି ଅଭିଯାନ ଆରମ୍ଭ ହୋଇଛି ।
ପ୍ରତି ସ୍କୁଲରେ ୩ ଜଣ ପିଲାଙ୍କୁ ସାଇବର ମିତ୍ର ଭାବେ ଚୟନ କରାଯାଇଛି । ଏମାନେ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରିବା ସହିତ ସାଇବର ଅପରାଧ ସମ୍ପର୍କିତ ଘଟଣାବଳୀ ଇତ୍ୟାଦିକୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ପୋଲିସର ନଜରକୁ ଆଣିବେ । ଏହାବ୍ୟତୀତ ସାଇବର କ୍ରାଇମର ଶିକାର ହେଲେ ସିଧାସଳଖ ପୋଲିସ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।