ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାକୁ ସତ କରି ଦେଖାଇଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମୋଦିଙ୍କ ରେକର୍ଡକୁ ବି ଭୂପେନ୍ଦ୍ର ପଛରେ ପକାଇବେ ବୋଲି ପ୍ରଚାର ସମୟରେ କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ଏବେ ପ୍ରମାଣ ହୋଇଯାଇଛି । ବିଧାନସଭା ନିର୍ବାଚନରେ ବିଜେପି ୧୫୬ ସିଟରେ ବିଜୟ ମିଳିଛି । କଂଗ୍ରେସ ଏବଂ ଆମ୍ ଆଦମି ପାର୍ଟିକୁ ଖୁବ ପଛରେ ପକାଇ ବିଜେପି ଗୁଜୁରାଟ ସିଂହାସନ ଉପରେ କବଜା କରିଛି ।
୧୯୬୦ରେ ଦଳ ଗଠନ ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରାର୍ଥି ଏହି କାରନାମା କରିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ ୧୯୮୫ ମସିହାରେ କଂଗ୍ରେସର ମାଧବ ସିଂହ ସୋଲାଙ୍କୀଙ୍କ ନେତୃତ୍ୱରେ କଂଗ୍ରେସ ୧୪୯ ସିଟରେ ବିଜୟ ହାସଲ କରିଥିଲା । ଯାହା ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏକ ବିଶାଳ ରେକର୍ଡ ହୋଇ ରହିଥିଲା । ତେବେ ଚଳିତ ନିର୍ବାଚନରେ ଏହି ରେକର୍ଡକୁ ଭାଙ୍ଗିବା ଲକ୍ଷ୍ୟରେ ରହିଛି ବିଜେପି । ଏହି ବିଜୟ ସହ ଗୁଜୁରାଟରେ ନିଜର ସପ୍ତମ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ବାମପନ୍ଥୀ ଦଳ ୭ ଥର ବିଜୟୀ ହୋଇଥିଲା ।
ତେବେ ଏହି ବିଜୟ ପରେ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗାଦିରେ ରହିବ ବିଜେପି । ଏହାସହିତ ଆଗାମୀ ନିର୍ବାଚନ ମଧ୍ୟରେ ଗୁଜୁରାଟରେ ବିଜେପି ଶାସନ ୩୨ ବର୍ଷରେ ପହଞ୍ଚିବ । ଯାହା କୌଣସି ରାଜ୍ୟ ନିର୍ଦ୍ଦିଷ୍ଟ ଦଳର ସର୍ବାଧିକ କ୍ଷମତାରେ ରହିବା ରେକର୍ଡ ଭାଙ୍ଗିବ ବିଜେପି । ଗୁଜୁରାଟରେ ବିଜେପିକୁ ୫୩ ପ୍ରତିଶତ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୨୬.୮ପ୍ରତିଶତ ଏବଂ ଆମ୍ ଆଦମି ପାର୍ଟିକୁ ୧୩.୬ ପ୍ରତିଶତ ଭୋଟ ହାସଲ ହୋଇଛି । ତେଣୁ କୁହାଯାଉଛି ଯେ, ନିର୍ବାଚନରେ ଆପ୍ ପାର୍ଟିର ଉପସ୍ଥିତି କଂଗ୍ରେସ ପାଇଁ ପରାଜୟର କାରଣ ପାଲଟିଛି । ଏହା ସତ୍ତ୍ୱେ ମଧ୍ୟ ୧୮୨ ସିଟରୁ ୧୫୬ ସିଟ ସହ ଆଗୁଆ ରହିବା ବିଜେପି ପାଇଁ ଏକ ବଡ ଉପଲବ୍ଧି ।