ନୂଆଦିଲ୍ଲୀ: ଚଳିତ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ସିରିଜ୍ରେ ୧-୦ରେ ଅଗ୍ରଣୀ ଲାଭ କରିଥିବା ଇଂଲଣ୍ଡକୁ ସୋମବାର ଜବରଦସ୍ତ ଝଟ୍କା ଲାଗିଛି । କାରଣ ଦଳର ଅଲ୍ରାଉଣ୍ଡର୍ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଆଉ ଚଳିତ ସିରିଜ୍ରେ ଖେଳିପାରିବେ ନାହିଁ । ରାୱଲପିଣ୍ଡିଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଡେବ୍ୟୁଟାଣ୍ଟ୍ ଲିଭିଙ୍ଗ୍ଷ୍ଟୋନ୍ ବାଉଣ୍ଡାରୀ ଲାଇନ୍ରେ ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ଡାହାଣ ଗୋଡ଼ ଆଣ୍ଠୁରେ ଆଘାତ ପାଇଥିଲେ । ଏହି କାରଣରୁ ପାକିସ୍ତାନର ପ୍ରଥମ ଇନିଂସ ସମୟରେ ସେ ପଡ଼ିଆ ବାହାରେ ରହିଥିଲେ । ଅବଶ୍ୟ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ସେ ବ୍ୟାଟିଂ କରିଥିଲେ । କିନ୍ତୁ ସେ ମାତ୍ର ୭ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଆହତ ହୋଇଥିବାରୁ ତାଙ୍କୁ ସିରିଜ୍ର ଅବଶିଷ୍ଟ ଦୁଇଟି ଟେଷ୍ଟ୍ରୁ ବାଦ୍ ଦିଆଯାଇଥିବା ନେଇ ସୋମବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି । ମଙ୍ଗଳବାର ଲିଭିଙ୍ଗଷ୍ଟୋନ୍ ଯୁକ୍ତରାଜ୍ୟ ଫେରିବା ସହ ଇସିବି ଓ ଲାଙ୍କାଶାୟର୍ ମେଡିକାଲ୍ ଟିମ୍ ସହଯୋଗରେ ରିହାବିଲିଟେସନ୍ କରିବେ ବୋଲି ଏହି ବିବୃତିରେ ସ୍ପଷ୍ଟ କରାଯାଇଛି । ତେବେ ଲିଭିଙ୍ଗଷ୍ଟୋନ୍ଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ପାକିସ୍ତାନ ପଠାଯିବ କି ନାହିଁ, ସେନେଇ ଇସିବି କୌଣସି ଠୋସ୍ ନିଷ୍ପତ୍ତି ନେଇନାହିଁ ।