30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶକଫ୍‌ ସିରପ୍‌ ଆଳରେ ନିଶା କାରବାର; ୪୫ ଲକ୍ଷର ସିରପ୍‌ ଜବତ, ଦୁଇ ଗିରଫ

କଫ୍‌ ସିରପ୍‌ ଆଳରେ ନିଶା କାରବାର; ୪୫ ଲକ୍ଷର ସିରପ୍‌ ଜବତ, ଦୁଇ ଗିରଫ

ଚୌଦ୍ୱାର: କଫ ସିରପ୍‌ ଆଳରେ ଚାଲିଥିବା ନିଶା କାରବାର। ସିରପ ବୋତଲ ଖୋଲି ସେଥିରେ ମିଶାଯାଉଥିଲା ନିଶା ସୃଷ୍ଟି କରୁଥିବା ନାଇଟ୍ରୋସନ୍‌ ଟାବଲେଟ୍‌। ପୁଣି ବୋତଲକୁ ସିଲ୍‌ କରି ବିକ୍ରି କରାଯାଉଥିଲା । ଗ୍ରାମାଞ୍ଚଳରେ ଏଭଳି ଯୋଜନାବଦ୍ଧ ଭାବେ ନିଶା କାରବାର ଚଳାଇଥିବା ଏକ ର‌୍ୟାକେଟ୍‌ ଆଜି ଟାଙ୍ଗୀ ପୁଲିସ ହାତରେ ଧରାପଡିଛି । ଟାଙ୍ଗୀ ଥାନା ସାନସର୍ଦ୍ଦୋଳା ନିକଟସ୍ଥ ବ୍ରାହ୍ମଣଭୋଗ ଗ୍ରାମରେ ଚଢଉ କରି ପୁଲିସ ୨୬୨ ପେଟିରେ ଥିବା ଲାବରେଟ୍‌ କମ୍ପାନିର ୨୫ ହଜାର ୯୨୦ ଏସ୍‌କଫ୍‌ (କୋଡାଇନ୍‌) ସିରପ୍‌ ସହ ୮ ଶହ ନାଇଟ୍ରୋସେନ୍‌ (୧୦ ଏମ.ଜି) ଟାବଲେଟ୍‌୍‌ ଜବତ ହୋଇଛି। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭୁବନେଶ୍ୱର ଭରତପୁର ଅଞ୍ଚଳର ଅଂଶୁମାନ ଅଭିଜିତ୍‌ ସାହୁ ଓରଫ ରାଜା ଏବଂ ସର୍ଦ୍ଦୋଳା ଗ୍ରାମର ଗାଡ଼ି ଡ୍ରାଇଭର ସୁଧୀର ଭୋଇଙ୍କୁ ଗିରଫ କରିଛି। ଜବତ କଫ୍‌ ସିରପ୍‌ର ମୂଲ୍ୟ ୪୫ ଲକ୍ଷ ହେବ ବୋଲି ପୁଲିସ କହିଛି। ଏହି ର‌୍ୟାକେଟ୍‌ରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି।

ପୁଲିସ ସୂଚନା ଅନୁଯାୟୀ, ଏହି ର‌୍ୟାକେଟ୍‌ ୩ ମାସରୁ ଅଧିକ ଦିନ ଧରି ଏହି ନିଶାଯୁକ୍ତ କଫ୍‌ ସିରପ୍‌ କାରବାର ଚଳାଇଛି। ବୁଧବାର ନିର୍ଦ୍ଦିଷ୍ଟ ଏକ ସ୍ଥାନରୁ ଟାଟାଏସ୍‌ରେ ଏକ ଟ୍ରିପ୍‌ କଫ୍‌ ସିରପ୍‌ ଆଣି ବ୍ରାହ୍ମଣଭୋଗ ସ୍ଥିତ ଘରେ ରଖାଯାଇଥିଲା। ପରେ ପୁଣି ଗାଡ଼ିରେ ଆଉ ଏକ ଟ୍ରିପ୍‌ ଆସି ସେଠାରେ ରହିଥିଲା। ଏ ସଂପର୍କରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ରାତିରେ ସେଠାରେ ଚଢଉ କରିଥିଲା। ଚଢଉ କଲାବେଳେ ଘର ଭିତରେ ମୁଖ୍ୟ ଅଭିଯୁକ୍ତ ରାଜା ସହ ଡ୍ରାଇଭର ସୁଧୀର ଓ ଅନ୍ୟ ସହଯୋଗୀମାନେ କଫ୍‌ ସିରପ୍‌ ବୋତଲର ଠିପି ଖୋଲି ସେଥିରେ ନାଇଟ୍ରୋସନ୍‌ ଟାବଲେଟ୍‌ ଫେଣ୍ଟି ପୁଣି ସିଲ୍‌ କରୁଥିବା ଦେଖିବାକୁ ପାଇଥିଲେ। ତେବେ ଚଢ଼ଉ ବେଳେ ରାଜା ଓ ସୁଧୀର ଧରା ପଡ଼ିଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ।

ପୁଲିସ ସମସ୍ତ କଫ୍‌ ସିରପ୍‌କୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏତେ ପରିମାଣର କଫ୍‌ ସିରପ୍‌ କେଉଁ ସ୍ଥାନରୁ ଆସୁଥିଲା ଏବଂ କାରବାର ପଛରେ ଆଉ କାହାର ହାତ ଅଛି ସେନେଇ ପୁଲିସ ଅନେକ ତଥ୍ୟ ଦୁଇ ଅଭିଯୁକ୍ତଙ୍କଠାରୁ ହାସଲ କରିଛି। ଏହାର ଚେର ବିହାରର ପାଟନାକୁ ଲମ୍ବିଛିି ବୋଲି ସଂଦେହ କରୁଛି। ପୂର୍ବରୁ ନକଲି ଔଷଧ କାରବାର ଘଟଣାରେ ବିହାର ଲିଂକ୍‌ ଥିବାରୁ ଏହି ସିରପ୍‌ କାରବାର ପଛରେ ବି ବିହାରର ବ୍ୟବସାୟୀ ସଂପୃକ୍ତ ଥିବା ପୁଲିସ ଆଶଙ୍କା କରୁଛି। ସେହିପରି କୌଣସି ଡ୍ରଗ୍ସ ଡିଷ୍ଟ୍ରିବ୍ୟୁଟରଙ୍କ ସଂପୃକ୍ତକୁ ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି । ଜବତ କଫ୍‌ ସିରପ୍‌କୁ ଯାଞ୍ଚ୍‌ ପାଇଁ ଅତିରିକ୍ତ ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ ନିକଟକୁ ପଠାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏଜେଣ୍ଟଙ୍କ ଜରିଆରେ ଗୋଟିଏ ସିରପ୍‌ ବୋତଲକୁ ୧୭୫ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଏହି କଫ୍‌ ସିରପ୍‌ ଟାଙ୍ଗୀ ସମେତ ଅନ୍ୟ କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା ତାହା ଜାଣିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଏସବୁ ଟ୍ରାନ୍‌ସପୋର୍ଟ ଜରିଆରେ ଆସୁଥିଲା ନା କୌଣସି ବଡ଼ ଡିଷ୍ଟ୍ରିବ୍ୟୁଟରଙ୍କ ଜରିଆରେ ଆସୁଥିଲା ସେନେଇ ମଧ୍ୟ ଛାନଭିନ୍‌ ଚାଲିଛି ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ଚଢ଼ଉରେ ଟାଙ୍ଗୀ ଆଇଆଇସି ସୁଚିତ୍ରବୀର୍ଯ୍ୟ ଦାସଙ୍କ ସହ ପୁଲିସ ଫୋର୍ସ ସାମିଲ ହୋଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking