ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ରବିବାର ପାଳିତ ହେବ। କ୍ୟାମ୍ପସ୍ ପରିସରକୁ ସଫେଇ କରାଯିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ ୮୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାରୁ ଏହା କିଭଳି ଅଧିକ ଆକର୍ଷଣୀୟ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।
ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ-ଏ++ ମାନ୍ୟତା କିଭଳି ମିଳିପାରିବ ସେଥିପାଇଁ ପ୍ରୟାସ ଜାରି ରହିଛି ଏବଂ ଯେକୌଣସି ସମୟରେ ନାକ୍ କମିଟି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ମୂଲ୍ୟାଙ୍କନ କରିବା ସମ୍ଭାବନା ରହିଛି । ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି । ଏଥର ଆମେ ନାକ୍ ଏ++ ମାନ୍ୟତା ପାଇବା ନେଇ ଲକ୍ଷ୍ୟ ରଖିଛୁ ବୋଲି କୁଳପତି ପ୍ରକାଶ କରିଥିଲେ। ବିଶ୍ବବିଦ୍ୟାଳୟକୁ ଡିଜିଟାଲ କ୍ୟାମ୍ପସରେ ପରିଣତ କରିବା ପାଇଁ ପ୍ରୟାସ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଯାହାକି ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା ଓ ଏହାର ବିକାଶ ଦିଗରେ ସହାୟକ ହେବ । ସେହିପରି ୨୦୧୮ମସିହାରେ ପ୍ରତିଷ୍ଠା ହୋଇଥିବା ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଯୋଗୁଁ ଅନେକ ଛାତ୍ରଛାତ୍ରୀ ଓ ଶିଳ୍ପଦ୍ୟୋଗୀମାନେ ଏଠାରେ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, ଯାହାକି ଅନ୍ୟ ଏକ ସଫଳତା l ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ ପ୍ରଣୟନ କରିବା ପାଇଁ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ଥିବା କହିଛନ୍ତି l
ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ବୀତ ନୟିନ୍ତ୍ରକ୍ ନଗୌତଭ ପ୍ରଧାନ, ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ସାମ୍ବାଦିକତା ଓ ଗଣଯୋଗାଯୋଗ ସଂଯୋଜିକା ଡ. ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉତ୍କଳ ବିଶ୍ବବିଦ୍ୟାଳୟର ୮୦ତମ ପ୍ରତିଷ୍ଠା ଦିବସ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ମୁଖ୍ୟ ଅତିଥି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କରଜ୍ୟୋତି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେବେ । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ଏବଂ କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସମେତ ବିଶ୍ବବିଦ୍ୟାଳୟର ଅନ୍ୟ ପଦାଧିକାରୀ ଉପସ୍ଥିତ ରହିବେ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।