ନୂଆଦିଲ୍ଲୀ : ଯାତ୍ରୀବାହୀ ଟ୍ରେନ୍ରେ କ୍ୟାଟେରିଂ (ଯାତ୍ରୀଙ୍କ ପାଇଁ ଖାଦ୍ୟ) ବ୍ୟବସ୍ଥାକୁ ଅଧିକ ଉନ୍ନତ ଓ ଲୋକାଭିମୁଖୀ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଯୋଜନା ହାତକୁ ନିଆଯାଇଛି । ତଦନୁଯାୟୀ ଏଣିକି ଟ୍ରେନ୍ରେ ଯାତ୍ରା କରୁଥିବା ମଧୁମେହ ରୋଗୀଙ୍କ ପାଇଁ ଡାଏବେଟିକ୍ ଖାଦ୍ୟ ଏବଂ ଶିଶୁଙ୍କ ସ୍ୱାସ୍ଥୋପଯୋଗୀ ଖାଦ୍ୟ ପରିବେଷଣ କରିବାକୁ ଚିନ୍ତା କରାଯାଉଛି । ଏହାବ୍ୟତୀତ ଯେଉଁ ରୁଟ୍ ଦେଇ ସଂପୃକ୍ତ ଟ୍ରେନ୍ ଗତି କରୁଛି, ସେହି ଅଞ୍ଚଳର ସ୍ଥାନୀୟ ଖାଦ୍ୟକୁ ମେନୁରେ ସାମିଲ କରାଯିବ ବୋଲି ମଧ୍ୟ କୁହାଯାଇଛି । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ କ୍ୟାଟେରିଂ ଦାୟିତ୍ୱ ସମ୍ଭାଳୁଥିବା ଆଇଆରସିଟିସି (ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ)କୁ ଏକ ଲିଖିତ ପ୍ରସ୍ତାବ ପଠାଯାଇଛି ।
ଏହାଦ୍ୱାରା ଖାଦ୍ୟପେୟକୁ ନେଇ ଯାତ୍ରୀଙ୍କ ନିକଟରେ ଅଧିକ ବିକଳ୍ପ ରହିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଆଇଆରସିଟିସି ପକ୍ଷରୁ ଟ୍ରେନ୍ ଯାତ୍ରୀଙ୍କୁ ରେଲୱେ ବୋର୍ଡ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଖାଦ୍ୟ ଓ ପାନୀୟ ପରିବେଷଣ କରାଯାଉଛି । ଯେଉଁ ଟ୍ରେନ୍ରେ ଟିକଟ ମୂଲ୍ୟରେ ଖାଦ୍ୟପାନୀୟ ମୂଲ୍ୟକୁ ସାମିଲ (ପ୍ରିପେଡ୍) କରାଯାଇଛି, ସେହି ମୂଲ୍ୟ ଅନୁଯାୟୀ ଖାଦ୍ୟ ତାଲିକା ପ୍ରସ୍ତୁତ କରିବାକୁ ଆଇଆରସିଟିସିକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡିଛି । ତେବେ ‘ଜନତା ମିଲ୍’ ମୂଲ୍ୟକୁ ଅପରିବର୍ତ୍ତିତ ରଖାଯିବ ବୋଲି କୁହାଯାଇଛି । ଟ୍ରେନ୍ ଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ ସମୟରେ ଖାଦ୍ୟ ପରିମାଣ ଓ ଗୁଣାତ୍ମକ ମାନକୁ କୌଣସି ପରିସ୍ଥିତିରେ ହ୍ରାସ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।