ବୁଚାରେଷ୍ଟ୍ : ରୋମାନିଆର ତାରକା ମହିଳା ଟେନିସ୍ ଖେଳାଳି ସିମୋନା ହାଲେପ୍ ସାମୟିକ ଭାବେ ବାସନ୍ଦ ହୋଇଛନ୍ତି । ଅଦ୍ୟାବଧି କ୍ୟାରିୟର୍ରେ ଦୁଇଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିବା ହାଲେପ୍ଙ୍କ ନମୁନାରେ ପ୍ରତିବନ୍ଧିତ ଔଷଧ ଠାବ କରାଯିବା ପରେ ତାଙ୍କୁ ଶୁକ୍ରବାର ଟେନିସ୍ ଇଣ୍ଟରନାସନାଲ୍ ଇଣ୍ଟିଗ୍ରିଟି ଏଜେନ୍ସି (ଆଇଟିଆଇଏ) ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି । ଏବେ ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗ୍ରେ ନବମ ସ୍ଥାନରେ ଥିବା ହାଲେପ୍ ଗତ ୟୁଏସ୍ ଓପନ୍ ସମୟରେ ଡୋପ୍ ଟେଷ୍ଟ୍ର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କର ଉଭୟ ନମୁନା ପଜିଟିଭ୍ ଆସିଥିଲା । ତେଣୁ ୩୧ ବର୍ଷୀୟା ହାଲେପ୍ଙ୍କୁ ୨୦୨୨ ଟେନିସ୍ ଆଣ୍ଟି-ଡୋପିଙ୍ଗ୍ ପ୍ରୋଗ୍ରାମ୍ (ଟିଏଡିପି)ର ଧାରା ୭.୧୨.୧ ଅନୁସାରେ ବାସନ୍ଦ କରାଯାଇଥିବା ଜାରି ଏକ ବିବୃତିରେ କୁହାଯାଇଛି । ଏପରି ନିଷ୍ପତ୍ତିରେ ହାଲେପ୍ ସୋସିଆଲ୍ ମିଡିଆରେ ତାଙ୍କର ପ୍ରତିକ୍ରିୟା ଦେଇ ଏହାକୁ ଜୀବନର ସବୁଠାରୁ ବଡ଼ ଝଟ୍କା ବୋଲି ଅଭିହିତ କରିଛନ୍ତି । ଏଥିସହ ଏପରି ବାସନ୍ଦାଦେଶ ଲାଗୁ କରାଯାଇ ତାଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ହାଲେପ୍ କହିବା ସହ ଏହାକୁ ନେଇ ସେ ଦ୍ୱନ୍ଦ୍ୱରେ ଅଛନ୍ତି ଓ ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା ଅନୁଭବ କରୁଛନ୍ତି ବୋଲି ଟ୍ୱିଟର୍ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ।