ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଅଣ-ମାନ୍ୟତାପ୍ରାପ୍ତ ମଦ୍ରାସାର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏକମାସ ୫ ଦିନ ଧରି ଚାଲିଥିବା ସର୍ଭେ ପରେ ରାଜ୍ୟରେ ପ୍ରାୟ ୭୫ ହଜାର ମଦ୍ରାସାଙ୍କ ମାନ୍ୟତା ନଥିବା ଜଣାପଡ଼ିଛି । ସବୁଠୁ ଅଧିକ ୫୮୫ ମୋରାବାଦ ଜିଲ୍ଲାରେ ଥିବାବେଳେ ବସ୍ତିରେ ୩୫୦ ଏବଂ ମୁଜାଫରନଗରରେ ୨୪୦ ମଦ୍ରାସା ବିନା ମାନ୍ୟତାରେ ଚାଲୁଛି । ରାଜଧାନୀ ଲକ୍ଷ୍ନୌରେ ୧୦୦ ମଦ୍ରାସାର ମାନ୍ୟତା ନାହିଁ । ଏହା ବ୍ୟତୀତ ପ୍ରୟାଗରାଜ-ମଉରେ ୯୦, ଆଜମଗଢ଼ରେ ୯୫ ଏବଂ କାନପୁରରେ ୮୫ରୁ ଅଧିକ ଅଣମାନ୍ୟତାପ୍ରାପ୍ତ ମଦ୍ରାସା ଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶ ମଦ୍ରାସା ବୋର୍ଡ ଚେୟାରମ୍ୟାନ୍ ଇଫ୍ତିଖାର୍ ଅହମ୍ମଦ ଜାଭେଦ୍ କହିଛନ୍ତି, ସର୍ଭେ ରିପୋର୍ଟ ଟିମ୍ର ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ଜିଲ୍ଲାପାଳ ସମୀକ୍ଷା ପରେ ନଭେମ୍ବର ୧୫ ତାରିଖ ସୁଦ୍ଧା ରିପୋର୍ଟ ସରକାରଙ୍କୁ ଦେବେ । ଏହାପରେ ସରକାର ଏହି ମଦ୍ରାସା ସମ୍ପର୍କରେ ନିଷ୍ପତ୍ତି ନେବେ । ଜାଭେଦ୍ କହିଛନ୍ତି, ଶିକ୍ଷାର ଗୁଣବର୍ତ୍ତା ବୃଦ୍ଧି ନିମନ୍ତେ ସରକାର ଏହି ସର୍ଭେ କରାଇଛନ୍ତି । ମଦ୍ରାସାକୁ ଅବୈଧ ଘୋଷଣା କରିବା ସର୍ଭେର ଉଦ୍ଦେଶ୍ୟ ନୁହେଁ ।