29.1 C
Bhubaneswar
Tuesday, November 26, 2024
Homeଓଡିଶାଘରୋଇ ସ୍କୁଲ ମାଲିକଙ୍କ ନାଁରେ ମାମଲା: ସିବିଏସ୍‌ଇ ବୋର୍ଡ ସାର୍ଟିଫିକେଟ୍ ବଦଳରେ ଦେଲେ କର୍ଣ୍ଣାଟକ ବୋର୍ଡ...

ଘରୋଇ ସ୍କୁଲ ମାଲିକଙ୍କ ନାଁରେ ମାମଲା: ସିବିଏସ୍‌ଇ ବୋର୍ଡ ସାର୍ଟିଫିକେଟ୍ ବଦଳରେ ଦେଲେ କର୍ଣ୍ଣାଟକ ବୋର୍ଡ ସାର୍ଟିଫିକେଟ୍

ବ୍ରହ୍ମପୁର: ସହରର ଏକ ଘରୋଇ ସ୍କୁଲ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀଙ୍କୁ ଠକୁଥିବା ନେଇ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ଆଜି ୬ ଜଣ ଅଭିଭାବକଙ୍କ ସହ କିଛି ଛାତ୍ରଛାତ୍ରୀ ଆସି ଏସ୍‌ଏକ୍ସ ପବ୍ଳିକ ସ୍କୁଲ ନାମରେ ଅଭିଯୋଗ କରିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ସ୍କୁଲ ମାଲିକ ସୁଶାନ୍ତ ପୃଷ୍ଟିଙ୍କୁ ପୁଲିସ ସ୍କୁଲରେ ନପାଇ ଖୋଜାଖୋଜି କରୁଛି । ବ୍ରହ୍ମପୁର ଧର୍ମନଗର ପ୍ରଥମ ଗଳିରେ ଥିବା ଏସ୍‌ଏକ୍ସ ପବ୍ଳିକ ସ୍କୁଲରେ କିଛି ବର୍ଷ ହେବ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ସେଥିମଧ୍ୟରୁ ବ୍ରହ୍ମପୁର ଫାଷ୍ଟଗେଟ ଅଞ୍ଚଳର ଅନିତା ମହାନ୍ତି ତାଙ୍କ ପୁଅଙ୍କୁ ୨୦୧୯ ମସିହାରେ ଏହି ସ୍କୁଲରେ ସିବିଏସ୍‌ଇ ପାଠ୍ୟକ୍ରମରେ ନାମଲେଖାଇ ଥିଲେ । ଅନିତା ପାଠ ପଢ଼ା ବାବଦକୁ ଲକ୍ଷେରୁ ଊର୍ଦ୍ଧ୍ୱ ଟଙ୍କା ଦେଇଥଲେ । ଏହି ସମୟରେ ଉକ୍ତ ସ୍କୁଲର ମାଲିକ ତାଙ୍କ ଠାରୁ ଏକ ଧଳା କାଗଜରେ ଦସ୍ତଖତ କରାଇ ନେଇଥିଲେ । ପୁଅର ଦଶମ ସରିବା ପରେ ଅନିତା ଅନ୍ୟତ୍ର ନାମ ଲେଖାଇବା ପାଇଁ ଦଶମ ସାର୍ଟିଫିକେଟ୍ ମାଗିଥିଲେ । କିନ୍ତୁ ସ୍କୁଲ ମାଲିକ ତାଙ୍କୁ ସାର୍ଟିଫିକେଟ୍ ନେଇ ସେହି ସ୍କୁଲରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ବାଧ୍ୟ କରିଥିଲେ । ଶେଷରେ ସେ ବାଧ୍ୟହୋଇ ସେଠାରେ ଯୁକ୍ତ ଦୁଇ ବିଜ୍ଞାନରେ ତାଙ୍କ ପୁଅଙ୍କ ନାମଲେଖାଇ ଥିଲେ । ଯେତେବେଳେ ଅନିତାଙ୍କ ପୁଅଙ୍କ ଯୁକ୍ତ ଦୁଇ ସରିଲା ସେତେବେଳେ ସେ ସ୍କୁଲ ମାଲିକଙ୍କୁ ସାର୍ଟିଫିକେଟ୍ ମାଗିଥିଲେ । ବହୁ ଦିନ ଦଉଡାଇବା ପରେ ସ୍କୁଲ ମାଲିକ ସୁଶାନ୍ତ ପୃଷ୍ଟି ସହଯୋଗୀ ଲମ୍ବୋଧର ମହାନ୍ତି ସବୁ ପ୍ରମାଣପତ୍ର ଦେବେ ବୋଲି କହିଥିଲେ । ଏହାପରେ ଲମ୍ବୋଧର ମହାନ୍ତି ହ୍ୱାଟସ୍‌ଆପ୍‌ରେ କର୍ଣ୍ଣାଟକ ହୁଗୁଳି ବୋର୍ଡର ଦଶମ ସାର୍ଟିଫିକେଟ ଓ ଯୁକ୍ତ ଦୁଇ ବିଜ୍ଞାନର ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲିଂର ମାର୍କସିଟ୍ ଦେଇଥିଲେ । ଏହି ସାର୍ଟିଫିକେଟ୍ ନେଇ ଅନିତାଙ୍କ ପୁଅ ଯୁକ୍ତ ତିନିରେ ନାମଲେଖା ପାଇଁ ସାମ୍ସରେ ଫର୍ମ ପକାଇଥିଲେ । ଏହି ସାର୍ଟିଫିକେଟ୍ କର୍ଣ୍ଣାଟକ ବୋର୍ଡର ହୋଇଥିବାରୁ ତାଙ୍କୁ ଓଡ଼ିଶାରେ ନାମ ଲେଖିବା ନିମନ୍ତେ ସୁଯୋଗ ମିଳିନଥିଲା । ଏ ନେଇ ଅନିତା ସ୍କୁଲର ମାଲିକ ସୁଶାନ୍ତ ପୃଷ୍ଟିଙ୍କୁ ଯୋଗାଯୋଗ କରିଥିଲେ । ଏହା ପରେ ସେ ଅନିତାଙ୍କୁ ପ୍ରଥମେ ୨୦ ହଜାର ପରେ ୩୦ ହଜାର ଓ ୧୦ ହଜାର ଟଙ୍କା ପଠାଇ ତାଙ୍କ କଲେଜରେ ଯୁକ୍ତ ତିନିରେ ନାମ ଲେଖା ପାଇଁ ବାଧ୍ୟ କରିଥିଲେ । ସେ ଏଥିରେ ରାଜି ନହେବାରୁ ତାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ଅନ୍ୟପକ୍ଷରେ ଉକ୍ତ ସାର୍ଟିଫିକେଟ୍ ସମ୍ପର୍କରେ ପଚାରିବୁଝିବାରୁ ଏଭଳି କୌଣସି ସଂସ୍ଥା ନଥିବା ସେମାନେ ଜାଣିବାକୁ ପାଇଥିଲେ । ଏ ନେଇ ଆଜି ଅନିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏହା ସହ ଆଉ ୫ ଜଣ ଅଭିଭାବକ ସମାନ ଅଭିଯୋଗ ସ୍କୁଲ ମାଲିକ ଓ ତାଙ୍କର ଜଣେ ସହଯୋଗୀଙ୍କ ବିରୋଧରେ ଆଣିଛନ୍ତି । ସେମାନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କେସ ନଂ୨୬୭/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ସ୍କୁଲ ମାଲିକ ସୁଶାନ୍ତ ପୃଷ୍ଟି ଫେରାର ଥିବା ବେଳେ ପୁଲିସ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking